ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାଦ ଭିତରେ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଶୁକ୍ରବାର ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ଦେଖି ଚଳିତ ଶୀତକାଳୀନ ଅଧିବେଶନକୁ ବନ୍ଦ କରାଯାଇଛି।

ଶୁକ୍ରବାର ସକାଳୁ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଅନ୍ୟପଟେ ଏନଡିଏ ସାଂସଦମାନେ ରାହୁଲ ଗାନ୍ଧୀ ଗୁରୁବାର ଠେଲାପେଲା କରିଥିବା ଅଭିଯୋଗରେ ହଙ୍ଗମା କରିଥିଲେ।

ହଟ୍ଟଗୋଳ ବଢ଼ିବା ପରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଲୋକସଭା ମୁଲତବୀ ହେବାର କିଛି ସମୟ ପରେ ରାଜ୍ୟସଭାକୁ ମଧ୍ୟ ମୁଲତବୀ ଘୋଷଣା କରାଯାଇଥିଲା।

ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ ତାରିଖରେ ଆରମ୍ଭ ହୋଇଥିଲା। ଏଥିରେ ଏକାଧିକ ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ସେହିପରି କେନ୍ଦ୍ର ସରକାର ଏହି ଅଧିବେଶନରେ ‘ଏକ ଦେଶ ଏକ ନିର୍ବାଚନ’ ସମେତ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ବିଲ୍ ସଂସଦରେ ଆଗତ କରିଥିଲେ।

ତେବେ ଗୁରୁବାର ସଂସଦ ଭବନ ପରିସରରେ ଶାସକ ଓ ବିରୋଧୀଙ୍କ ଠେଲାପେଲା ସମୟରେ ରାହୁଲ ଗାନ୍ଧୀଙ୍କ ଧକ୍କାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ଜଣେ ସାଂସଦ ଗୁରୁତର ଆହତ ହୋଇଥିବା ଅଭିଯୋଗ ହେବା ପରେ ରାଜନୀତି ତେଜିବାରେ ଲାଗିଛି।

Tags: #Parliament #WinterSession #LokSabha #RajyaSabha #India

LEAVE A REPLY

Please enter your comment!
Please enter your name here