ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ କଂଗ୍ରେସ କର୍ମୀମାନେ ଉତ୍ସବ ମନାଉଛନ୍ତି। ଆମ୍ ଅଦମୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଥିଲା ନୈରାଶ୍ୟଜନକ ଖବର। ଏହି ଦୁଇଟି ରାଜ୍ୟରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।
‘ସବ୍କା ସାଥ୍ ସବ୍କା ବିକାଶ’ ସ୍ଲୋଗାନ ଦେଇ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବ ବୋଲି ଆଶା ରଖିଛି। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଜୋରଦାର ଝଟକା ଲାଗିଛି। ଏହି ଦୁଇଟି ରାଜ୍ୟରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।
କଂଗ୍ରେସ ରାଜସ୍ଥାନରେ ବିଜେପିର ବିଜୟ ରଥକୁ ରୋକିଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଯାଦୁ କାମ କରିଛି।
ରାଜସ୍ଥାନରେ ଚାଲିଛି ବିଜେପି ସରକାର। ବସୁନ୍ଧରା ରାଜେ ସିନ୍ଧିଆ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ରାଜସ୍ଥାନର ଦୁଇଟି ଲୋକସଭା ଏବଂ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ଫେଲ୍ ମାରିଛି।
ରାଜସ୍ଥାନର ଆଜମେର ଏବଂ ଅଲୱର ଲୋକସଭା ଆସନ ଓ ମଣ୍ଡଳଗଡ଼ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି। ଏହି ତିନୋଟି ସିଟ୍ ବିଜେପି ଅକ୍ତିଆର୍ରେ ଥିଲା। ହେଲେ ଉପ-ନିର୍ବାଚନରେ ଏହି ଆସନ କଂଗ୍ରେସ ହାତକୁ ଚାଲିଯାଇଛି।
ଅଲଓ୍ବର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର କରଣ ସିଂହ ଯାଦବ ବିଜେପିର ଯଶବନ୍ତ ଯାଦବଙ୍କୁ ପରାଜିତ କରିଛନ୍ତି। ସେହିପରି ଆଜମେର ଆସନରେ କଂଗ୍ରେସର ରଘୁ ଶର୍ମା ବିଜେପି ପ୍ରାର୍ଥୀ ରାମସ୍ବରୂପଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ସେହିପରି ମାଣ୍ଡଲଗଡ ବିଧାନସଭା ଆସନରେ ପଦ୍ମ ଫୁଟିବା ସମ୍ଭବ ହୋଇନି।
୨୦୧୬ ପରେ ରାଜସ୍ଥାନରେ ୬ଥର ଉପ-ନିର୍ବାଚନ ହୋଇଛି। ହେଲେ ବିଜେପିକୁ ୪ ଥର ପରାଜିତ ହେବାକୁ ପଡ଼ିଛି।
ପଶ୍ଚିମବଙ୍ଗର ନଭାପଡ଼ା ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ଫେଲ୍ ମାରିଛି। ଏଠାରେ ପୁଣି ‘ଦିଦି’ଙ୍କ ଯାଦୁ କାମ କରିଛି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁନିଲ ସିଂହ ବିଜେପି ପ୍ରାର୍ଥୀ ସନ୍ଦୀପ ବାନାର୍ଜୀଙ୍କୁ ପରାଜିତ କରିଛି।


















