ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ପରିବେଶ ଓ ପରପିଢ଼ି ପାଇଁ ଇନ୍ଧନ ସଂରକ୍ଷଣର ବାର୍ତ୍ତା ନେଇ ରାଜଧାନୀରେ ଗଡ଼ିଥିଲା ୮ହଜାର ସାଇକେଲ୍‌।

  • ତିନିଟି ବର୍ଗରେ ଗଡ଼ିଲା ୮ ହଜାର ସାଇକେଲ୍
  • କଳିଙ୍ଗ ଷ୍ଟାଡ଼ିୟମ୍‌ରୁ ଖଣ୍ଡଗିରି ସାଇକେଲ୍‌ମୟ
  • ଏଲିଟ୍‌ ରେସ୍‌ରେ ତାମିଲନାଡ଼ୁର ରାଜେଶ ଓ ମହାରାଷ୍ଟ୍ରର ଋତୁଜା ବିଜୟୀ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରୁ ଖଣ୍ଡଗିରି ଯାଏଁ ଲାଗିଥିଲା ସାଇକେଲ୍‌ର ଭିଡ଼। ନୀଳ ଓ କମଳା ରଙ୍ଗର ଜର୍ସି ପିନ୍ଧି ସବୁ ବର୍ଗର ଜନତା ରାଜଧାନୀ ରାଜପଥରେ ସାଇକଲ ଚଳାଇଥିଲେ ୧୧କିଲୋମିଟର। ଅବସର ଥିଲା ସକ୍ଷମ ସାଇକ୍ଲୋଥନ୍‌।

ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (ପିସିଆର୍‌ଏ) ପକ୍ଷରୁ ଆୟୋଜିତ ଏହି ର‍୍ୟାଲି ଗାଡ଼ି ମୋଟରକୁ ମାତ୍ ଦେଇ ଗଡ଼ିଥିଲା କେବଳ ସାଇକେଲ୍।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ।  ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୮ ହଜାର ଜଣ ପ୍ରତିଯୋଗୀ ଓ ବ୍ୟକ୍ତିବିଶେଷ ଏହି ଏଲିଟ୍‌ ରେସ୍‌ରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଧାନ କହିଥିଲେ, ଦେଶକୁ ତେଲ ଆଣିବା ପାଇଁ ୮ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ଆମେ ସପ୍ତାହକୁ ଥରେ ଛୁଟି ଦିନରେ ବି ଗାଡ଼ି ମୋଟରରେ ନଯାଇ ସାଇକେଲ୍‌ରେ ଯାତାୟାତ କରିବା ତେବେ ସଂପୃକ୍ତ ଦିନ ୮ହଜାର କୋଟି ଟଙ୍କା ବଞ୍ଚେଇ ପାରିବା। ଏହା କେବଳ ଇନ୍ଧନ ବଞ୍ଚେଇବ ନାହିଁ କି ପରିବେଶକୁ ସୁରକ୍ଷିତ ରଖିବ ନାହିଁ ବରଂ ଏହାଦ୍ୱାରା କେତେକ ରୋଗ ବି ହେବ ନାହିଁ। ତେଣୁ ପ୍ରତ୍ୟେକ ସଚେତନ ନାଗରିକ ଏ କ୍ଷେତ୍ରରେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର। ପ୍ରତ୍ୟେକ ବର୍ଷ ଭୁବନେଶ୍ୱରରେ ଏହିଭଳି ସାଇକ୍ଲୋଥନ୍‌ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।

ଏହି ସାଇକେଲ ର‍୍ୟାଲିର ମୁଖ୍ୟ ଆକର୍ଷଣ ଥିଲେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ମୁନାଫ ପଟେଲ୍‌, ଭାରତର ପୂର୍ବତନ ହକି ଅଧିନାୟକ ହରପାଲ୍‌ ସିଂ, ହକି ଖେଳାଳି ଭିଆର୍‌ ରଘୁନାଥ, ଟେବୁଲ୍‌ ଟେନିସ୍‌ ଖେଳାଳି ପୌଲୋମି ଘଟକ, ସାଇକ୍ଲିଷ୍ଟ୍‍ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, ଆଥ୍‌ଲେଟ୍‌ ଅମିୟ କୁମାର ମଲ୍ଲିକ, ଦୀପସାନ ତିର୍କୀ, ବୀରେନ୍ଦ୍ର ଲାକ୍ରା, କ୍ରିକେଟର ପରେଶ ପଟେଲ୍‌ଙ୍କ ଭଳି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌।

ଏଥିସହିତ ବହୁ ଓଲିଉଡ ତାରକା ମିହିର ଦାସ, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା, ଅନୁ ଚୌଧୁରୀ, ଶ୍ରୀତମ, ଦେବୁ ପଟ୍ଟନାୟକଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ରହି ସାଇକେଲ୍‌ ଚଳାଇବାର ବାର୍ତ୍ତା ଦେଇଥିଲେ।

ସାଇକେଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସଭାପତି ପରମିନ୍ଦର ସିଂ ଧିନ୍ଦ୍‌ସା ଉପସ୍ଥିତ ରହି ଆଗାମୀ ଦିନରେ ମୁମ୍ବାଇରେ ସାଇକ୍ଲୋଥନ୍‌ ହେବା ନେଇ ସୂଚନା ଦେଇଥିଲେ।

ଏହି ଅବସରରେ ପୁରୁଷ ଏଲିଟ୍‌ ରେସ୍‌ରେ ତାମିଲନାଡ଼ୁର ରାଜେଶ ପ୍ରଥମ ସ୍ଥାନ ଅଧିକାର କରି ୧ଲକ୍ଷ ୨୫ ହଜାର ଟଙ୍କା ଓ ସ୍ୱର୍ଣ୍ଣପଦକ, ହରିୟାଣାର ପଙ୍କଜ ରୌପ୍ୟ ପଦକ ସହ ୭୫ ହଜାର ଟଙ୍କା ଏବଂ ଶତବୀର ତାମ୍ର ପଦକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ଜିତିଥିଲେ। ସେହିପରି ମହିଳା ଏଲିଟ୍‌ ରେସ୍‌ରେ ମହାରାଷ୍ଟ୍ରର ଋତୁଜା ସ୍ୱର୍ଣ୍ଣପଦକ ସହ ୧ଲକ୍ଷ ଟଙ୍କା, ହରିୟାଣାର ଆଶୁ ଶର୍ମା ରୌପ୍ୟ ପଦକ ସହ ୫୦ ହଜାର ଟଙ୍କା ଏବଂ କେରଳର ଲିଡିଆ ତାମ୍ର ପଦକ ସହ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ସ୍ୱରୂପ ପାଇଥିଲେ।

ପରେ ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୫୦ ଜଣଙ୍କୁ ଲକି-ଡ୍ର ମାଧ୍ୟମରେ ପୁରସ୍କାର ସ୍ୱରୂପ ସାଇକେଲ୍‌ ଦେଇ ପୁରସ୍କୃତ କରାଯାଇଥିଲା। ଦେବପ୍ରସାଦ ଦାଶ ଏବଂ ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here