ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ଏବଂ ଫସଲହାନି ଚିନ୍ତାରେ ଆମ୍ବାଭୋନା ବ୍ଲକ ଚିଚୋଲି ଗାଁର ଶେଷଦେବ ଶାହା କୀଟନାଶକ ପିଇଥିବା ପରିବାରବର୍ଗ କହିଛନ୍ତି।
୩ ଏକର ଜମିରେ ଫସଲ କରିବା ପାଇଁ ଶେଷଦେବ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୪୦ ହଜାର ଟଙ୍କା, ଆକ୍ସିସ ବ୍ୟାଙ୍କରୁ ୧୮ ହଜାର ଏବଂ ସାହୁକାରଙ୍କଠାରୁ ୩୦ ହଜାର ଟଙ୍କା ଋଣ ଆଣିଥିଲେ। ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଭଲ ଫସଲ ହୋଇ ନଥିଲା। ଋଣ ସୁଝିବା ଚିନ୍ତାରେ ଶେଷଦେବ କୀଟନାଶକ ପିଇ ଦେଇଥିଲେ। ଗୁରୁବାର ସକାଳେ ତାଙ୍କୁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
କିଛି ମାସ ହେଲା ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଲାଗି ରହିଛି। ଧାନ ଫସଲରେ ଚକଡ଼ା ପୋକ ଲାଗିବା ନେଇ ବହୁ ଚାଷୀ ଆତ୍ମହତ୍ୟା କରିଥିଲେ। ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଚାଷୀ ଆତ୍ମହତ୍ୟା ଥମୁନି।
















