ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୧୩ ମସିହାରେ ନିର୍ମାଣ କରାଯାଇଥିବା ପୁରୀ ରାଜଭବନ ଏବେ ବିପଦସଙ୍କୁଳ ଅବସ୍ଥାରେ। ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଆସୁଥିବାରୁ ତାଙ୍କ ରହଣି ପାଇଁ ସ୍ପେଶାଲ ସର୍କିଟ ହାଉସରେ ବ୍ୟବସ୍ଥା କରିଛି ପ୍ରଶାସନ।
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ପ୍ରଥମ ଓଡିଶା ଗସ୍ତ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ତାଙ୍କର ରହଣିକୁ ନେଇ ବିକଳ୍ପ ଚିନ୍ତା କରିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ। ସମ୍ମାନଜନକ ବ୍ୟକ୍ତି ଯେତେବେଳେ ପୁରୀ ଗସ୍ତରେ ଆସନ୍ତି ସେମାନେ ପ୍ରାୟତଃ ପୁରୀ ରାଜଭବନରେ ରାତି କଟାଇଥାନ୍ତି। କିନ୍ତୁ ରାଜଭବନ ନିରାପଦ ନଥିବା ଦର୍ଶାଇ ରାଷ୍ଟ୍ରପତିଙ୍କୁ ସ୍ପେଶାଲ ସର୍କିଟ ହାଉସରେ ରଖାଯାଉଛି।
ପୂର୍ତ୍ତ ବିଭାଗ ପକ୍ଷରୁ ପୂର୍ବରୁ ରାଜଭବନକୁ ନିରାପଦ ଘୋଷଣା କରାଯାଇଥିଲା। ପୁରୀ ରାଜଭବନ ୧୯୧୩ ମସିହାରେ ନିର୍ମାଣ କରାଯାଇଥିଲା। ୧୦ ଏକର ପରିମିତ ଅଞ୍ଚଳରେ ଏହା ଅବସ୍ଥିତ ଏବଂ ବେଳାଭୂମିକୁ ଲାଗି ଏହି କୀର୍ତ୍ତିଟି ରହିଛି। ନିରାପତ୍ତା କର୍ମଚାରୀ,ଅଫିସ କର୍ମଚାରୀଙ୍କ ରହିବା ପାଇଁ ମଧ୍ୟ ରାଜଭବନ ପରିସରରେ ବ୍ୟବସ୍ଥା ରହିଛି।
ଗୋଟିଏ ସମୟରେ ଓଡ଼ିଶାର ପ୍ରଶାସନିକ କାମ ଏଠାରୁ ଚାଲୁଥିଲା। ବର୍ତ୍ତମାନ ଏହାକୁ ଏକ ଐତିହ୍ୟ ରୂପେ ପରିଗଣିତ କରାଯାଉଛି। ଅତୀତରେ ବ୍ରିଟିଶ ଶାସନ ସମୟରେ ବିହାର, ବେଙ୍ଗଲ ଓ ଓଡ଼ିଶାର ଗଭର୍ଣ୍ଣରମାନେ ଏଠାରେ ଆସି ରହୁଥିଲେ।
ସ୍ୱାଧୀନତା ପ୍ରାପ୍ତି ପରେ ଭାରତର ରାଷ୍ଟ୍ରପତିମାନେ ଓଡ଼ିଶା ଗସ୍ତରେ ଆସିବା ବେଳେ ଏହି ରାଜଭବନରେ ଅବସ୍ଥାନ କରୁଥିଲେ। ରାଷ୍ଟ୍ରପତି କୋବିନ୍ଦଙ୍କ ରହଣି ପାଇଁ ବିକଳ୍ପ ଭାବରେ ସ୍ପେଶାଲ ସର୍କିଟ ହାଉସକୁ ବ୍ୟବହାର କରାଯିବାର ନିଷ୍ପତ୍ତି ନିଆଯିବା ପରେ ଗୁରୁବାରଠାରୁ ଏହାକୁ ରିଜର୍ଭ କରାଯିବ। ତା ଛଡା ଆଚାର୍ଯ୍ୟ ହରିହର ରାସ୍ତା ଓ ନେତାଜୀ ଛକ ନିକଟ ରାସ୍ତାକୁ ପୂରା ବନ୍ଦ ରଖାଯିବ।
ସର୍କିଟ ହାଉସରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ପୂର୍ତ୍ତ ବିଭାଗର ଇଞ୍ଜିନିୟରମାନେ ରାତିଦିନ କାମରେ ଲାଗିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ରାଷ୍ଟ୍ରପତି ମହାପ୍ରଭୂ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବେ। ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତିଙ୍କ କୁଳ ପୁରୋହିତ ମନ୍ଦିର ପ୍ରବେଶ ବେଳେ ତାଙ୍କ ସହିତ ରହିବେ ଓ ରାଷ୍ଟ୍ରପତିଙ୍କ ସମସ୍ତ ପୂଜାର୍ଚ୍ଚନାରେ ସାହାଯ୍ୟ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
ପୁରୀ ଗସ୍ତ ସମୟରେ ସଦାଶିବ ସଂସ୍କୃତ ବିଦ୍ୟାଳୟର ଶତବାର୍ଷିକ ପୂର୍ତ୍ତି ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଂସ୍କୃତ ଭାଷାର ପ୍ରସାର, ପ୍ରଚାର ଓ ସମୃଦ୍ଧି ନିମନ୍ତେ ରାଷ୍ଟ୍ରପତି ୯ ଜଣ ବିଦ୍ୱାନଙ୍କୁ ସମ୍ବର୍ଦ୍ଧିତ କରିବେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡକ୍ଟର ଏସ ସି ଜମିର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସଂସ୍କୃତ ପ୍ରତିଷ୍ଠାନର ୨୫୦୦ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଅହରହ କାମରେ ଲାଗିଛନ୍ତି।








୧୯୧୩ ମସିହାରେ ନିର୍ମାଣ କରାଯାଇଥିବା ପୁରୀ ରାଜଭବନ ଏବେ ବିପଦସଙ୍କୁଳ ଅବସ୍ଥାରେ। ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଆସୁଥିବାରୁ ତାଙ୍କ ରହଣି ପାଇଁ ସ୍ପେଶାଲ ସର୍କିଟ ହାଉସରେ ବ୍ୟବସ୍ଥା କରିଛି ପ୍ରଶାସନ।








