ଓଡ଼ିଶାଲାଇଭ୍ ବ୍ୟୁରୋ
- ଶ୍ରୀମନ୍ଦିରରେ ୪୫ ମିନିଟ ରହିବେ ରାଷ୍ଟ୍ରପତି
- ସିଂହଦ୍ୱାରରେ ଗଜପତି ମହାରାଜ କରିବେ ସ୍ୱାଗତ
- ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ
କଟକର ସମସ୍ତ କାର୍ଯ୍ୟକ୍ରମ ଶେଷ କରି ସନ୍ଧ୍ୟାରେ ପୁରୀ ସ୍ପେଶାଲ ସର୍କିଟ ହାଉସରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଠାରେ ସେ ଗୋଟିଏ ରାତି ରହିବେ। ପତ୍ନୀଙ୍କ ସହ ଆସିଥିବା ରାଷ୍ଟ୍ରପତିଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ରବିବାର ସକାଳ ସାଢ଼େ ୭ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ଗଜପତି ମହାରାଜା ସ୍ୱାଗତ କରି ଗର୍ଭଗୃହ ନିକଟକୁ ପାଛୋଟି ନେବେ।
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ୪୫ ମିନିଟ ରହିବେ। ୮ଟା୧୫ରେ ଶ୍ରୀମନ୍ଦିରରୁ ରାଷ୍ଟ୍ରପତି ବାହାରିବେ। ଏହାପରେ ସେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶିକ୍ଷାନୁଷ୍ଠାନର ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ପରେ ରାଷ୍ଟ୍ରପତି ରାଜଭବନ ଆସି ଆଇଆଇଟି ଭୁବନେଶ୍ୱରରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।
ପୁରୀ ସ୍ପେଶାଲ ସର୍କିଟ ହାଉସରେ ରାତ୍ରି ରହଣୀ ଭିତରେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେ ଓଡ଼ିଆ ଖାଦ୍ୟ ସହ ଇଣ୍ଡିଆନ୍ କଣ୍ଟିନେଣ୍ଟାଲ ଏବଂ ଚାଇନିଜ ଖାଦ୍ୟ ଖାଇବେ।
ପଲଉ, ଖେଚୁଡ଼ି, ଡାଲ୍ମା, ସନ୍ତୁଳା, ବଡ଼ିଚୁରା, ବେସର, ଟମାଟୋ-ଖଜୁରୀ ଖଟା, ଫ୍ରୁଟ୍ସ ସାଲାଡ ଓ ପନିର ଖାଇବେ ରାଷ୍ଟ୍ରପତି। ସେହିପରି ରସଗୋଲା, ଛେନାପୋଡ଼, ଖୀରସାଗର, ରାବିଡ଼ି ଆଦି ମଧ୍ୟ ରାଷ୍ଟ୍ରପ୍ରତିଙ୍କ ଖାଦ୍ୟ ତାଲିକାରେ ରହିଛି। ଏହାସହ ରାଷ୍ଟ୍ରପତି ମହାପ୍ରସାଦ ମଧ୍ୟ ଖାଇବେ। ଏଥିରେ ସେ ଅନ୍ନ, ଖେଚୁଡ଼ି, ଡାଲି, ଡାଲେମା, ବେସର, ଶାଗ, ଛେନାବଡ଼ି, ଆମ୍ଭାଲୁ ପିଠା ଓ ଖଜା ମଧ୍ୟ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି।
ପୁରୀରେ ୩ ଜଣ ଏସ୍ପି, ୯ ଜଣ ଆଡିସନାଲ ଏସ୍ପି, ୩୫ ଜଣ ଇନ୍ସିପେକ୍ଟର, ୧୪୦ ଜଣ ଅଫିସର, ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।