ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀରେ ବସିଛି କଂଗ୍ରେସର ମହାଅଧିବେଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଏହି ଅବସରରେ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ପ୍ରତିଶୋଧ ଏବଂ ଅହଙ୍କାରମୁକ୍ତ ଭାରତ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।

୮୪ତମ କଂଗ୍ରେସ ମହା ଅଧିବେଶନରେ ବିଜେପି ଏବଂ ମୋଦି ସରକାରଙ୍କୁ ନିଶାନା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି। ପ୍ରଥମେ ରାହୁଲ ଗାନ୍ଧି କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ପରେ ସୋନିଆ ବିଜେପି ଉପରେ ବର୍ଷିଥିଲେ। ୧୯୭୭ରେ ଚିକମଙ୍ଗଲୁର ଉପ-ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କ ବିଜୟକୁ ମନେପକାଇ ସୋନିଆ ବିଜେପିକୁ ଟାର୍ଗେଟ୍ କରିଥିଲେ।

ସୋନିଆ ଗାନ୍ଧି କହିଥିଲେ, “ଉପା ସରକାର ଅମଳରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଶୁଭାରମ୍ଭ ହୋଇଥିଲା। ହେଲେ ମୋଦି ସରକାର ଏହି ଯୋଜନାକୁ ଜାଣିଶୁଣି ଅଣଦେଖା କରୁଛନ୍ତି। ଗତ ୪ ବର୍ଷ ଭିତରେ କଂଗ୍ରେସକୁ ବରବାଦ୍ କରିବା ପାଇଁ ମୋଦି ସରକାର ଚକ୍ରାନ୍ତ କରି ଚାଲିଛନ୍ତି। କ୍ଷମତା ନିଶାରେ କେନ୍ଦ୍ର ସରକାର ଅହଙ୍କାରୀ ହୋଇଯାଇଛନ୍ତି। କିନ୍ତୁ କଂଗ୍ରେସ କେବେ ମୁଣ୍ଡ ନୁଆଁଇନି କି ନୁଆଁଇବ ନାହିଁ। ମୋଦି ସରକାର ବିଭାଜନ ଚିନ୍ତାଧାରାରେ ବିଶ୍ୱାସ କରି ଆସୁଛି। ବିରୋଧୀଙ୍କ ଉପରେ ମିଛ ମାମଲା ଏବଂ ମିଡିଆ ଉପରେ ଲାଗାମ ଲଗାଯାଇଛି। ହେଲେ କଂଗ୍ରେସ ଏହାକୁ ବିରୋଧ କରି ଆସୁଛି।”

ମୋଦି ଏବଂ ତାଙ୍କ ସହଯୋଗୀଙ୍କୁ ଆହୁରି କଡ଼ା ଭାଷାରେ ସମାଲୋଚନା କରିଥିଲେ ସୋନିଆ। କ୍ଷମତା ପାଇଁ ମୋଦି ନାଟକବାଜି କରୁଥିବା ସୋନିଆ କହିଛନ୍ତି। ୨୦୧୪ ନିର୍ବାଚନ ବେଳେ ମୋଦି ଦେଇଥିବା ଦୁଇଟି ସ୍ଲୋଗାନ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ଏବଂ ମେଁ ନା ଖାଉଙ୍ଗା ନା ଖାନେ ଦୁଙ୍ଗା’କୁ କେବଳ ନାଟକ ବୋଲି ସୋନିଆ କହିଥିଲେ।

“ଦେଶ ନିର୍ମାଣରେ କଂଗ୍ରେସର ବହୁତ ବଡ଼ ଯୋଗଦାନ ରହିଛି। ଆଗାମୀ ଦିନରେ କଂଗ୍ରେସ ପାଇଁ ବଡ଼ ଚାଲେଞ୍ଜ ରହିଛି। ଏହାକୁ ଆମେ ମିଳିମିଶି ସାମ୍‌ନା କରିବା। ଆଗାମୀ ଦିନରେ ଭୟ, ପ୍ରତିଶୋଧ ଏବଂ ଅହଙ୍କାର ମୁକ୍ତ ଭାରତ ନିର୍ମାଣ କରିବାକୁ ହେଲେ କଂଗ୍ରେସ କର୍ମୀଙ୍କୁ ବଳିଦାନ ଦେବାକୁ ପଡ଼ିପାରେ। ଏଥିପାଇଁ ସମସ୍ତେ ସଜାଗ ରହିବା ଦରକାର”, କହିଛନ୍ତି ସୋନିଆ ଗାନ୍ଧି।

ଗୁଜୁରାଟ ବିଧାନସଭା ନିର୍ବାଚନ, ରାଜସ୍ଥାନ, ମଧ୍ୟପ୍ରଦେଶ ଉପ-ନିର୍ବାଚନ କଥା ମନେ ପକାଇଥିଲେ ସୋନିଆ। ଏସବୁ ନିର୍ବାଚନରେ କଂଗ୍ରେସ କର୍ମୀମାନେ ପରିଶ୍ରମ କରି ଦଳକୁ ଆଗକୁ ନେଇଛନ୍ତି। ଯେଉଁ ଦଳ କଂଗ୍ରେସର ଅସ୍ତିତ୍ୱକୁ ସାରା ଦେଶରୁ ନିଶ୍ଚିହ୍ନ କରିବାକୁ ଚାହୁଁଛି ଏସବୁ ରାଜ୍ୟର ଉପ-ନିର୍ବାଚନ ଫଳାଫଳ ତାଙ୍କୁ ସବକ୍ ଶିଖାଇଛି। କଂଗ୍ରେସ ଏବେବି ଭୋଟରଙ୍କ ହୃଦୟରେ ରହିଥିବା ପ୍ରମାଣିତ ହୋଇଛି।

ଦେଶକୁ ବିଭାଜିତ କରାଯାଉଛି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବି ଜମେଇକି ବିଜେପି ଉପରେ ବର୍ଷିଛନ୍ତି। ବହିଛନ୍ତି, ଦେଶକୁ ଭାଗ ଭାଗ କରାଯାଉଛି। ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହ ଲଢ଼ା ଯାଉଛି। ଆମ ଦଳର ଚିହ୍ନ ହାତ ସମସ୍ତଙ୍କୁ ଏକାଠି କରିବାକୁ ଚାହୁଁଛି। ଅନ୍ୟ ରାଜନୀତି ଦଳ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ବେଳେ ଆମେ ଶ୍ରଦ୍ଧାର ସହ ସମସ୍ତଙ୍କୁ ଯୋଡ଼ିବାକୁ ଚାହୁଁଛୁ।

ଏହି ଅଧିବେଶନରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପିସିସି ସଭାପତି ଏବଂ ଏଆଇସିସି ସଭ୍ୟଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନରେ ଦଳକୁ ମଜବୁତ କରି ଲଢ଼େଇ କରିବାକୁ ପରାମର୍ଶ ଦିଆଯାଇଛି।

Comment