ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ଼ ହେଉ କି ସାଉଥ୍ ଇଣ୍ଡଷ୍ଟ୍ରି ହେଉ, ସବୁଠି ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ସିନେମା ରିଲିଜ୍ ହୋଇଥାଏ। ଏଥିମଧ୍ୟରୁ ଖୁବ୍ କମ୍ ସଂଖ୍ୟକ ସିନେମା ସୁପରହିଟ୍ ବା ବ୍ଲକବଷ୍ଟର୍ ମୁଭିର ମାନ୍ୟତା ମିଳିଥାଏ। ଆଉ ବେଶୀ ସିନେମା ଫ୍ଲପ୍ ବା ସୁପରଫ୍ଲପ୍ ହୋଇଥାଏ। ସମସ୍ତେ ଜାଣିବା ଉଚିତ୍ ଯେ କୌଣସି ଫିଲ୍ମ ଫ୍ଲପ୍ ହେଲେ ସବୁଠୁ ବେଶୀ କ୍ଷତି ସହିଥାନ୍ତି, ଏହାର ବିତରକ। ବେଳେ ବେଳେ  କେତେକ ପ୍ରଯୋଜକ, ଅଭିନେତା ବିତରକମାନଙ୍କ କ୍ଷତି ଭରଣା କରିବାକୁ ଆଗେଇ ଆସିଥାନ୍ତି।

ଆସନ୍ତୁ ଜାଣିବା ଏମିତି କିଛି ବଲିଉଡ଼ ସେଲିବ୍ରିଟିଙ୍କ କଥା, ଯେଉଁମାନେ ବିତରକଙ୍କୁ ଟଙ୍କା ଫେରସ୍ତ କରି ସେମାନଙ୍କର କ୍ଷତିଭରଣା କରିଛନ୍ତି।

ବଲିଉଡ଼ର ବାଦଶାହା ଶାହାରୁଖ୍ ଖାନ୍ ତାଙ୍କର ହୋମ୍ ପ୍ରଡକ୍ସନ୍ ରେଡ୍ ଚିଲ୍ଲି ଏଣ୍ଟରଟେନ୍‌ମେଣ୍ଟ୍ ବ୍ୟାନରରେ ନିର୍ମାଣ କରିଥିବା ଫିଲ୍ମ, ‘ଦିଲଓ୍ବାଲେ’ର ବିଜିନେସକୁ ନେଇ ସନ୍ତୁଷ୍ଟ ନଥିଲେ। ଏଥିରେ ସେ, କାଜୋଲ୍, ବରୁଣ ଧାବନ୍‌ ଓ କ୍ରିତି ସାନନ୍ ପ୍ରମୁଖ ଲିଡ୍ ରୋଲ୍‌ରେ  ଥିଲେ। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ଦିଲଓ୍ବାଲେ’ ଫିଲ୍ମ ରିଲିଜ୍ କରିଥିବା ବିତରକମାନେ ଯେଉଁ କ୍ଷତି ସହିଥିଲେ, ତାର ୫୦ ପ୍ରତିଶତ ଅର୍ଥ ଫେରାଇଥିଲେ ଶାହାରୁଖ ଖାନ୍। ଠିକ୍ ସେହିପରି ସେ ତାଙ୍କର ଅନ୍ୟ ଏକ ଫ୍ଲପ୍ ସିନେମା ‘ଜବ୍ ହେରି ମେଟ୍ ସେଜଲ୍’ର ବିତରକମାନଙ୍କ ମଧ୍ୟ କ୍ଷତିଭରଣା କରିଥିଲେ। ଏହା ଦ୍ଵାରା  ବିତରକମାନଙ୍କ ସହ ସୁସମ୍ପର୍କ ରକ୍ଷା କରିଛନ୍ତି ଶାହାରୁଖ୍ ଖାନ୍।

ପ୍ରଯୋଜକ- ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀଙ୍କ ରଣବୀର କପୁର- ଦୀପିକା ପାଦୁକୋନ୍ ଷ୍ଟାରର୍ ମୁଭି ‘ତମାସା’ ଫ୍ଲପ୍ ହେବା ପରେ ଏ ଦୁଇ କଳାକାର ନେଇଥିବା ସେମାନଙ୍କର ପାରିଶ୍ରମିକରୁ ୧୫ କୋଟି ଟଙ୍କା ଫେରାଇଥିବା କଥା ଶୁଣିବାକୁ ମିଳିଥିଲା। ଏହି ଅର୍ଥ ବିତରକମାନଙ୍କୁ ଦିଆଯାଇଥିଲା, ଯାହା ଦ୍ଵାରା ସେମାନଙ୍କର କିଛିଟା କ୍ଷତିଭରଣା ହୋଇଥିଲା।

ଠିକ୍ ସେହିପରି ସାଉଥ୍‌ର ମେଗା ଷ୍ଟାର୍ ରଜନୀକାନ୍ତ ମଧ୍ୟ ଏହି ପ୍ରସଙ୍ଗରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ଵ। ଏ କଥା ସର୍ବବିଦିତ ଯେ ଯେତେବେଳେ ବି ରଜନୀକାନ୍ତଙ୍କର କୌଣସି ଗୋଟିଏ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥାଏଏ ସେତେବେଳେ ସେ ତାଙ୍କର ବିତରକଙ୍କଠାରୁ ନେଇଥିବା ଟଙ୍କା ଫେରସ୍ତ କରିଥାଆନ୍ତି। ରଜନୀକାନ୍ତ ତାଙ୍କ ଅଭିନୀତ ଫିଲ୍ମ। ବାବା’ ଫ୍ଲପ୍ ହେବା ପରେ ଏହି ପନ୍ଥା ଅବଲମ୍ବନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସାଉଥ୍‌ର ଜଣାଶୁଣା ହିରୋ ପବନ କଲ୍ୟାଣ କିନ୍ତୁ ଟିକେ ଭିନ୍ନ ଉପାୟରେ ବିତରକମାନଙ୍କ କ୍ଷତିଭରଣା କରିଥିବା କୁହାଯାଏ। ପବନ କଲ୍ୟାଣଙ୍କ ଅଭିନୀତ ଫିଲ୍ମ ‘ସରଦାର ଗବର୍ ସିଂହ’ ବକ୍ସ ଅଫିସରେ ଖାସ୍ କମାଲ୍ କରି ପାରିନଥିଲା।

ଏହା ଫଳରେ  ବିତରକମାନଙ୍କୁ ଗୁଡ଼ାଏ କ୍ଷତି ସହିବାକୁ ପଡ଼ିଥିଲା। ସେ ବିତରକମାନଙ୍କର ଏହି କ୍ଷତି ଭରଣା କରିବାକୁ ରାଜି  ହୋଇଥିଲେ। ପବନ କଲ୍ୟାଣ ସଙ୍ଗେ ସଙ୍ଗେ ଘୋଷଣା କରିଥିଲେ ଯେ ସେ ତାଙ୍କର ପରବର୍ତ୍ତୀ ସିନେମା ଜରିଆରେ ବିତରକମାନଙ୍କୁ ପଇସା ଫେରାଇବେ। ସେ ଏସ୍ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ନୂଆ ସିନେମାର ପାରିଶ୍ରମିକ ମାଧ୍ୟମରେ ବିତରକ ମାନଙ୍କର କ୍ଷତି ପୂରଣ କରିଥିଲେ।

ସାଉଥ୍‌ର ଅନ୍ୟ ଜଣେ ଲୋକପ୍ରିୟ ହିରୋ ହେଲେ ମହେଶ ବାବୁ। ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମୋତ୍ସବମ’ ଫ୍ଲପ୍ ହୋଇଥିଲା। ସେ ଏଥିପାଇଁ ନିଜକୁ ବି ଦାୟୀ କରିଥିଲେ। ମହେଶ ବାବୁ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଅଗାଡ଼ୁ’ର ଫିସ୍‌କୁ ବିତରକମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ବୋଲି କୁହାଯାଏ।

ଠିକ୍ ସେହିପରି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ ମଧ୍ୟ ତାଙ୍କ ପ୍ରଯୋଜିତ ତଥା ଅଭିନୀତ ଫିଲ୍ମ ‘ଟିଉବ୍‌ ଲାଇଟ୍’ ସୁପରଫ୍ଲପ୍ ହେବା ପରେ ବିତରକମାନଙ୍କୁ ସେମାନେ ସହିଥିବା କ୍ଷତିର ଭରଣା କରିଥିଲେ। ଅଧିକାଂଶ ସମୟରେ ବିତରକମାନେ ଉଚ୍ଚ ଦାମ୍‌ରେ  ନାମୀ ଷ୍ଟାରମାନଙ୍କ ଫିଲ୍ମର ବିତରଣ ଅଧିକାର କିଣିଥା’ନ୍ତି। ଏଣୁ ତାହା ଭଲ ନ ଚାଲିଲେ, ବିତରକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ।

Comment