ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ମାର୍ଚ୍ଚ ୨୬ରେ ଖୋଲିବ ରତ୍ନଭଣ୍ଡାର
  • ୨୬ ଓ ୨୭ ତାରିଖ ଦୁଇଦିନ ଧରି ସ୍ଥିତି ଅନୁଧ୍ୟାନ କରିବ ଏଏସ୍‌ଆଇ
  • ଆବଶ୍ୟକ ପଡ଼ିଲେ ହେବ ମରାମତି

ମାର୍ଚ୍ଚ ୨୬ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବ। ଏନେଇ ଓଡ଼ିଶା ହାଇକୋର୍ଟ ଗୁରୁବାର  ପ୍ରତ୍ନତତ୍ତ୍ୱ ବିଭାଗକୁ ଦେଇଛନ୍ତି ନିର୍ଦ୍ଦେଶ। ଜଗମୋହନ ମରାମତି ନେଇ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠର ବିଚାର କରି ହାଇକୋର୍ଟ ଏହି ଅନୁମତି ଦେଇଛନ୍ତି। ଏଏସ୍‌ଆଇ ସ୍ଥିତି ଅନୁଧ୍ୟାନ କରିବା ପରେ ମାର୍ଚ୍ଚ ୨୯ରେ ପରବର୍ତ୍ତୀ ଶୁଣାଣି କରାଯିବ।

ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି କ’ଣ ରହିଛି ତାହା ଜାଣିବା ପାଇଁ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ଏହାକୁ ଆଧାର କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି।

ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହୋଇଥିଲା। ଏହି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହୋଇଥିଲା। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ମତ ଦେଇଥିଲା। ଫଳରେ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

୩୪ ବର୍ଷ ପରେ ଶ୍ରୀମନ୍ଦିରରେ ଖୋଲିବ ରହସ୍ୟପୂର୍ଣ୍ଣ ରତ୍ନ ଭଣ୍ଡାର। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଜାଣିବା ଜରୁରୀ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ମତ ଦେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନିଷ୍ପତ୍ତି ହୋଇଛି। ତେବେ ରତ୍ନ ଭଣ୍ଡାରର ଅଧିକ କୋଠରୀ ଖୋଲିବା ପୂର୍ବରୁ ବରିଷ୍ଠ ସେବାୟତ ଏବଂ ଛତିଶା ନିଯୋଗ ସହିତ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି।

ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ’ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି ରହସ୍ୟମୟ ଭଣ୍ଡାରକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପ ମରାମତି ପୂର୍ବରୁ ଏହି ଭଣ୍ଡାର ଖୋଲାଯିବ। ଯଦି ରତ୍ନଭଣ୍ଡାର ଅବସ୍ଥା ଭଲ ନଥିବ ତାହାଲେ ପ୍ରଥମେ ଏହାର ମରାମତି ପରେ ଯାଇ ନାଟମଣ୍ଡପ ମରାମତି ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି।

କୁହାଯାଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ। ସେଥିମଧ୍ୟରୁ ଅଳ୍ପ କିଛି ଶ୍ରୀଜିଉଙ୍କ ସୁନାବେଶ ବେଳେ ଦେଖିବାକୁ ମିଳିଥାଏ। ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାସ୍ତ କରି ୧୬ଟି ହାତୀରେ ବିଭିନ୍ନ ଅଳଙ୍କାର ଶ୍ରୀକ୍ଷେତ୍ରକୁ ଆଣିଥିଲେ। ଏହି ଅଳଙ୍କାର ସବୁ ସେତେବେଳେ ସେ ଭଣ୍ଡାର ଘରେ ରଖିଥିଲେ।

ରତ୍ନଭଣ୍ଡାରରେ ବହୁ କୋଠରୀ ରହିଛି। ବର୍ତ୍ତମାନସୁଦ୍ଧା ମାତ୍ର ୩ଟି କୋଠରୀ ଖୋଲାଯାଇଛି। ପ୍ରଥମ କୋଠରୀରେ ଠାକୁରଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଅଳଙ୍କାର ରହିଛି। ଦ୍ୱିତୀୟ କୋଠରୀରେ କିଛି ଅବ୍ୟବହୃତ ଅଳଙ୍କାର ରହିଥିବା ବେଳେ ତୃତୀୟ କୋଠରୀରେ ରହିଛି ଶ୍ରୀଜିଉଙ୍କ ରଘୁନାଥ ବେଶ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର। ୧୯୭୮ରେ ଭଣ୍ଡାରର ୩ଟି କୋଠରୀ ଖୋଲାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭୟଙ୍କର ଗର୍ଜନ ହେବାରୁ ଆଉ ଅଧିକ କୋଠରୀ ଖୋଲାଯାଇ ପାରି ନଥିଲା। ଏବେ ପୁଣିଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ।

୨୦୧୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାରର ଗଣତି ଏବଂ ଚିହ୍ନଟ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ସେବାୟତ ସେତେବେଳେ ବିରୋଧ କରିଥିଲେ।

Comment