ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଅଣସର ଘରେ ୧୫ ଦିନ ରହିବା ପରେ ଗୁରୁବାର ସକାଳେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ବଡ଼ଠାକୁର। ବଡ଼ଠାକୁରଙ୍କ ନବଯୌବନ ଦର୍ଶନ ପାଇଁ ପୁରୀରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ।
ନିର୍ଦ୍ଧାରିତ ସମୟ ଅନୁସାରେ ସକାଲେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ସେମାନେ ଉତ୍ତର ଦ୍ଵାର ଦେଇ ବାହାରକୁ ଆସିଥିଲେ। ରଥଯାତ୍ରା ପୂର୍ବରୁ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହୋଇଛି।
ନବଯୌବନ ଦର୍ଶନ ପୂର୍ବରୁ ବଡ଼ଠାକୁରଙ୍କ ଚକା ଅପସର ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଭୋର ମଙ୍ଗଳ ଆଳତି ଓ ପରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ବଡ଼ଠାକୁରଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ (ଦଶାବତାର) ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶେଷରେ ଅଣସର ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ନବଯୌବନ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯାଇଥିଲା। ଭକ୍ତମାନଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧାଡ଼ିରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଇଥିଲା।
Tags: #ShreeMandir #NabaJoubanDarsan #RathaJata2025 #Puri