ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନର କିଲିଂ ଓ ଖାପ୍ ପଞ୍ଚାୟତର ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟ। ନିଜ ଇଛାରେ ବିବାହ କରିଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆୟୋଜିତ ଯେକୌଣସି ସଭା ଓ ବୈଠକ ମଧ୍ୟ ବେଆଇନ।

କୌଣସି ପରିସ୍ଥିତିରେ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ସ୍ୱଇଛାରେ ବିବାହକୁ ଖାପ ପଞ୍ଚାୟତ ଅସିଦ୍ଧ ଘୋଷଣା କରି ପାରିବ ନାହିଁ ବୋଲି ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

“ନିଜ ଇଛାରେ ବିବାହ କରିଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆୟୋଜିତ ଯେ କୌଣସି ସଭା ଓ ବୈଠକ ମଧ୍ୟ ବେଆଇନ। ଆତ୍ମଘୋଷିତ ଖାପ ପଞ୍ଚାୟତ ସମାଜର ବିବେକ ରକ୍ଷକ ଭାବେ କାର୍ଯ୍ୟ କରି ପାରିବେ ନାହିଁ। ଏ ନେଇ ଦେଶର ଆଇନ ରହିଛି। ବିବାହ ସମ୍ପର୍କିତ ମାମଲାର ବିଚାର ପାଇଁ କୋର୍ଟ ରହିଥିବା ବେଳେ ଅନ୍ୟ କେହି ଏ ଦିଗରେ କାର୍ଯ୍ୟ କରିବା ଆଇନତଃ ନିଷିଦ୍ଧ କରାଯାଇଛି। ଯଦି ଦୁଇଜଣ ପ୍ରାପ୍ତ ବୟସ୍କ ବିବାହ କରିଥାନ୍ତି ଓ ସେମାନଙ୍କ ବିବାହକୁ ନେଇ ସୃଷ୍ଟି ହୋଇଥିବା ଯେକୌଣସି ବିବାଦର ଶୁଣାଣି କେବଳ ଅଦାଲତ କରିପାରିବେ”, କହିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ କୁମାର ମିଶ୍ର,ଜଷ୍ଟିସ ଏଏମ ଖାନ୍‌ଓ୍ଵିଲକର ଓ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଶକ୍ତିବାହିନୀ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନ ୨୦୧୦ ମସିହାରେ ଖାପ ପଞ୍ଚାୟତର ନିଷ୍ପତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ।

ଗତ ମାସରେ ସର୍ବୋଚ୍ଚ ଅଦାଲତ ଖାପ ପଞ୍ଚାୟତର ଅନର କିଲିଂ ପରି ଘଟଣାକୁ ସମର୍ଥନ କରୁଥିବା ଓ ଆଇନକୁ ନିଜ ହାତକୁ ନେଉଥିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରି ଖାପ ପଞ୍ଚାୟତର ଆକ୍ରୋଶର ଶିକାର ହେଉଥିବା ଦମ୍ପତିଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାପ୍‌ ପଞ୍ଚାୟତ କୌଣସି ପରିସ୍ଥିତିରେ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ ହିଂସା ଆଚରଣ କରିପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

ଅନର କିଲିଂ ରୋକିବା ପାଇଁ ପ୍ରତି ରାଜ୍ୟର ଜିଲ୍ଲାଗୁଡ଼ିକରେ ଗୋଟିଏ ସ୍ଵତନ୍ତ୍ର ସେଲ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଯଦି କୌଣସି ପରିସ୍ଥିତିରେ ଦୁଇ ପ୍ରାପ୍ତ ବୟସ୍କ ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ରୋକାଯାଉଛି କିମ୍ବା ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ୍ ଦିଆଯାଉଛି ତେବେ ସେମାନେ ନିଜ ଅଭିଯୋଗ ସ୍ଵତନ୍ତ୍ର ସେଲ ଜରିଆରେ କରିପାରିବେ।

ସମ୍ମାନ ପାଇଁ ହତ୍ୟା କରୁଥିବା ମୁଖ୍ୟ ଅପରାଧିଙ୍କ ମଧ୍ୟରେ ଖାପ୍ ପ୍ରତିନିଧି ବରଂ ପ୍ରଭାବିତ ହୋଇଥିବା ପ୍ରେମୀଯୁଗଳଙ୍କ ବନ୍ଧୁ ପରିଜନ ସାମିଲ ହୋଇଥାନ୍ତି। ଖାସ୍ ଭାବେ ଝିଅ ଘର ପରିବାର ଲୋକେ ସାମାଜକୁ ଭୟ କରି ଝିଅକୁ ହତ୍ୟା କରିଥାନ୍ତି ବୋଲି ଖାପ୍ ପଞ୍ଚାୟତ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି କରାଯାଇଥିଲା। ଯାହାକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ।

Comment