ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କ୍ରେଡିଟ୍ କାର୍ଡର ବକେୟା ରାଶିକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ରେଡିଟ୍ କାର୍ଡର ବକେୟା ରାଶି ଉପରେ ବ୍ୟାଙ୍କଗୁଡ଼ିକ ୩୦ ପ୍ରତିଶତରୁ ଅଧିକ ସୁଧ ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜାତୀୟ ଖାଉଟି ବିବାଦ ନିବାରଣ ଆୟୋଗର (ଏନସିଡିଆରସି) ୧୬ ବର୍ଷ ପୁରୁଣା ନିୟମକୁ ସୁପ୍ରିମକୋର୍ଟ ତାଙ୍କର ଏହି ରାୟରେ ଖାରଜ କରି ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାତୀୟ ଖାଉଟି ବିବାଦ ନିବାରଣ ଆୟୋଗ (ଏନସିଡିଆରସି)ର ମତକୁ ବେଆଇନ ବୋଲି ଘୋଷଣା କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ କାର୍ଡଧାରୀମାନଙ୍କୁ ଭୁଲ ଭାବେ ଉପସ୍ଥାପନ କିମ୍ବା ପ୍ରତାରଣା କରି ନାହାନ୍ତି।

ଏନସିଡିଆରସି ଏହାର ଅଧିକାରକୁ ଅତିକ୍ରମ କରିଛି

ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବ୍ୟାଙ୍କ ଏବଂ କ୍ରେଡିଟ୍ କାର୍ଡଧାରକଙ୍କ ମଧ୍ୟରେ ପାରସ୍ପରିକ ସହମତି ହୋଇଥିବା ଚୁକ୍ତିର ସର୍ତ୍ତାବଳୀ ପରିବର୍ତ୍ତନ କରିବାର ଏନସିଡିଆରସିର କୌଣସି ଅଧିକାର ନାହିଁ। ଏଥିରେ କୁହାଯାଇଛି ଯେ ଏହି ନିୟମ ବ୍ୟାଙ୍କିଙ୍ଗ ରେଗୁଲେସନ୍ ଆକ୍ଟ, ୧୯୪୯ର ଆଇନଗତ ଉଦ୍ଦେଶ୍ୟକୁ ବିରୋଧ କରୁଛି।

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ନିୟନ୍ତ୍ରଣ କରିବାରେ ଆରବିଆଇର ଭୂମିକା ସର୍ବୋଚ୍ଚ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରିଜର୍ଭ ବ୍ୟାଙ୍କକୁ ସୁଧ ହାର ଉପରେ ସୀମା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇ ପାରେ ବୋଲି ଧାରଣାକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟର ବ୍ୟବସ୍ଥା ବିରୋଧରେ ସୁଧ ହାର ଉପରେ କୌଣସି ସୀମା ଲଗାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଦେଇଥିବା ଯୁକ୍ତି ସହ ଆମେ ସହମତ।

ଆରବିଆଇର ଗାଇଡଲାଇନ ପାଳନ କରିବେ ବ୍ୟାଙ୍କ

ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ସୁଧ ହାର ଆର୍ଥିକ ଏବଂ ଆରବିଆଇ ନିର୍ଦ୍ଦେଶ ଆଧାରରେ ନିର୍ଦ୍ଧାରଣ କରାଯାଇଥିଲା ବୋଲି ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଏହି ଦର କ୍ରେଡିଟ୍ କାର୍ଡ ଧାରକମାନଙ୍କୁ ଉପଯୁକ୍ତ ଭାବେ ଜଣାଇ ଦିଆଯାଇଥିଲା।

ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ କ୍ରେଡିଟ୍ କାର୍ଡ ଧାରକମାନଙ୍କୁ ବିଳମ୍ବିତ ଦେୟର ପରିଣାମ ସମେତ ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ ବିଷୟରେ ସଚେତନ କରାଯାଇଥାଏ।

କ୍ରେଡିଟ୍ କାର୍ଡ ସୁବିଧା ପାଇବା ସମୟରେ ଗ୍ରାହକଙ୍କୁ ସୁଧ ହାର ସମେତ ସର୍ତ୍ତାବଳୀ ସମ୍ପର୍କରେ ଅବଗତ ହୋଇଥାନ୍ତି। ସେମାନେ ସ୍ୱେଚ୍ଛାକୃତ ଭାବରେ ଏହି ସର୍ତ୍ତାବଳୀରେ ରାଜି ହେବାପରେ ସେମାନଙ୍କୁ କ୍ରେଡିଟ୍ କାର୍ଡ ମିଳିଥାଏ। କ୍ରେଡିଟ୍ କାର୍ଡ ଧାରୀମାନେ ବକେୟା ଦେବାରେ ବିଳମ୍ବ ହେଲେ ଜୋରିମାନା ସମେତ ସର୍ତ୍ତାବଳୀ ବିଷୟରେ ସଚେତନ ରହିବା ଆବଶ୍ୟକ। 

ଅନ୍ୟାୟ ଅଭ୍ୟାସର କୌଣସି ପ୍ରମାଣ ନାହିଁ

ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କର ନୀତି ବିରୋଧରେ କାର୍ଯ୍ୟ କରିଛନ୍ତି ବୋଲି ପ୍ରମାଣ ଅଦାଲତ ପାଇନାହାନ୍ତି। ଏଥିରେ କୁହାଯାଇଛି ଯେ ଏନସିଡିଆରସିର ସୁଧ ହାର ସମେତ କ୍ରେଡିଟ କାର୍ଡ ପରିଚାଳନାର ସର୍ତ୍ତାବଳୀ ଯାଞ୍ଚ କରିବାର କୌଣସି ଆଧାର ନାହିଁ।

ଅନ୍ୟ ପକ୍ଷରେ ଏହି ମାମଲାରେ ଅସନ୍ତୁଷ୍ଟ ପକ୍ଷ ଉଚ୍ଚ ସୁଧ ହାରକୁ ନେଇ ରିଜର୍ଭ ବ୍ୟାଙ୍କର ଦ୍ୱାରସ୍ଥ ହୋଇ ନଥିଲେ।

ବ୍ୟାଙ୍କମାନଙ୍କ ପକ୍ଷରୁ ନିବେଦନ

ଏହି ମାମଲାରେ ସିଟି ବ୍ୟାଙ୍କ, ଆମେରିକୀୟ ଏକ୍ସପ୍ରେସ, ଏଚଏସବିସି ଏବଂ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କର ଆବେଦନ ସାମିଲ ଥିଲା। ଏହି ବ୍ୟାଙ୍କଗୁଡିକ ଏନସିଡିଆରସିର ୨୦୦୮ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ କ୍ରେଡିଟ୍ କାର୍ଡର ବକେୟା ରାଶି ଉପରେ ବାର୍ଷିକ ୩୬ ପ୍ରତିଶତରୁ ୪୯ ପ୍ରତିଶତ ମଧ୍ୟରେ ସୁଧ ହାର ଅତ୍ୟଧିକ ଏବଂ ଶୋଷଣକାରୀ ଅଟେ। 

ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାୟୀ ସୁଧ ହାର ନିର୍ଦ୍ଧାରଣ କରିବାରେ ବ୍ୟାଙ୍କଗୁଡ଼ିକର ସ୍ୱାୟତ୍ତତାକୁ ସୁପ୍ରିମକୋର୍ଟଙ୍କ ରାୟ ସମର୍ଥନ କରୁଛି।

ବିଶେଷ କରି ସୁଧ ହାର କିପରି ନିର୍ଦ୍ଧାରଣ ଓ ଆଦାୟ କରାଯାଏ ସେଥିରେ ଏହି ରାୟ ବ୍ୟାଙ୍କିଙ୍ଗ୍‌ ଓ କ୍ରେଡିଟ୍ କାର୍ଡ କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Tags: #CreditCard #Dues #InterestRate #SupremeCourt #NCDRC #RBI #India

LEAVE A REPLY

Please enter your comment!
Please enter your name here