ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହାଇକୋର୍ଟଙ୍କ ଅବଧି ଶେଷ
  • ହୋଇପାରିଲାନି ରତ୍ନଭଣ୍ଡାର ଯାଞ୍ଚ
  • ୨୮ରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ୨୯ରେ ଛତିଶା ନିଯୋଗର ବୈଠକ
  • ବୈଠକ ପରେ ହୋଇପାରେ ଯାଞ୍ଚ

ସରିଗଲା ହାଇକୋର୍ଟଙ୍କ ଅବଧି। ହେଲେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଯାଞ୍ଚ ହୋଇପାରିଲାନି। ରାଜ୍ୟ ସରକାରଙ୍କ ଅନୁମତି ନଆସିବାରୁ ଏବଂ ସେବାୟତଙ୍କ ବିରୋଧ ବଢ଼ିବାରୁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରି ପାରିଲେନି ଏଏସ୍‌ଆଇ ଅଧିକାରୀ। ତେବେ ଭଣ୍ଡାର ଘରର ଭିତରପଟୁ ଯାଞ୍ଚ ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ଓ ୨୯ ତାରିଖରେ ବସୁଛି ବୈଠକ।

୨୮ରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବାକୁ ଥିବା ବେଳେ ୨୯ରେ ଛତିଶାନିଯୋଗର ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କେବେ ଏବଂ କେଉଁଭଳି ଭାବେ ହେବ ତାହା ନିର୍ଦ୍ଧାରଣ କରାଯିବ।

କୁହାଯାଉଛି ୨୯ ତାରିଖ ପରେ ଏଏସ୍‌ଆଇ ଅଧିକାରୀ, କୋର୍ କମିଟି ସଦସ୍ୟ ଏବଂ ସେବାୟତ ପ୍ରବେଶ କରିବେ। ହେଲେ ସେମାନଙ୍କ ପାଇଁ କିଛି ନିୟମ ରହିଛି। ଯେଉଁମାନେ ଯାଞ୍ଚ ପାଇଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ ସେମାନେ ଧୋତି, ଗାମୁଛା ପିନ୍ଧି ପ୍ରବେଶ କରିବେ। ସେମାନେ କୌଣସି ଅଳଙ୍କାର ପିନ୍ଧିବେ ନାହିଁ। ମୁଣ୍ଡରେ ଏଲ୍‌ଇଡି ଲାଇଟ୍ ଲଗାଇବାର ବ୍ୟବସ୍ଥା କରାଯିବ।

ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଡାକ୍ତର ଏବଂ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ଯାଞ୍ଚ ବେଳେ ପୂରା ସତର୍କତା ଅବଲମ୍ବନ କରାଯିବ।

“ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି। ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଯାଞ୍ଚ ହେବ”, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୬ ତାରିଖରେ ରତ୍ନଭଣ୍ଡାରର ବାହାର ପଟ ଯାଞ୍ଚ କରାଯାଇଛି। ବାହାର ପଟ ଠିକ୍ ରହିଥିବା ଯାଞ୍ଚ କରିଥିବା ଟିମ୍ କହିଛନ୍ତି। ଶ୍ରୀମନ୍ଦିର କୋର୍ କମିଟିର ୬ ଜଣ ଏବଂ ଏଏସ୍‌ଆଇର ୩ ଜଣ ସଦସ୍ୟ ଯାଞ୍ଚ୍ କରିଥିଲେ।

Comment