ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା କରାଯାଇଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଆସୁଥିବାରୁ ମଙ୍ଗଳବାର ଶ୍ରୀମନ୍ଦିରରେ ନୀତିକାନ୍ତି ସବୁ ଶୀଘ୍ର ସରିଥିଲା। ଏଥିପାଇଁ ରାତି ୧୨ଟା ୩୦ରେ ଶ୍ରୀମନ୍ଦିରରେ ଦ୍ଵାରଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଦର୍ଶନ କରୁଛନ୍ତି।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ଏବଂ ଦର୍ଶନ ପରେ ଅନ୍ୟ ୩ ଦ୍ଵାର ଦେଇ ବାହାରକୁ ବାହାରୁଛନ୍ତି।
ଅନ୍ୟପଟେ ନୂଆବର୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ସହରରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ଟ୍ରାଫିକ୍ ଗାଇଡଲାଇନ ଅନୁସାରେ ପୁରୀକୁ ଭୁବନେଶ୍ଵର ପଟୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ ରହିବ। ସେହିପରି କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ତାଳବଣିଆ ପାର୍କିଂରେ ରହିବ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।
Tags: #Srimandir #LordJagannath #NewYear #Puri