ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୁରୁକୁଳ ସେବାୟତ ସ୍କୁଲ ପାଇଁ ୫ କୋଟି
  • ସେବାୟତଙ୍କ ବାସଗୃହ ନିର୍ମାଣ ପାଇଁ ୫ କୋଟି
  • ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ ପାଇଁ ଦେଢ଼ କୋଟି
  • ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବଜେଟ୍ ଆଗତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ୍ ଆଗତ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୬୯ କୋଟି ୫୦ ଲକ୍ଷ ଟଙ୍କାର ବଜେଟ୍ ଆଗତ କରାଯାଇଛି। ବଜେଟ୍‌ରେ ଶ୍ରୀମନ୍ଦିରର ବିଭିନ୍ନ ଦିଗକୁ ଫୋକସ୍‌ କରାଯାଇଛି।

ବୁଧବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଏହି ବୈଠକରେ ସେବାୟତ ଗୁରୁକୁଳ ଏବଂ ବାସଗୃହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୁରୁକୁଳ ସେବାୟତ ସ୍କୁଲ ପାଇଁ ୫ କୋଟି ଏବଂ ସେବାୟତଙ୍କ ବାସଗୃହ ନିର୍ମାଣ ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ ପାଇଁ ଦେଢ଼ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଦାନ ଅର୍ଥରେ ମନ୍ଦିରର ଉନ୍ନତି କାର୍ଯ୍ୟ କରିବାକୁ ଆଲୋଚନା ହୋଇଛି। ଏଥିପାଇଁ ୨୦ରୁ ୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

“ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ସବୁ ଦିଗକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ସେବାୟତ ସ୍କୁଲ ଏବଂ ବାସଗୃହ ନିର୍ମାଣ ଉପରେ ଅଧିକ ଫୋକସ୍ ଦିଆଯାଇଛି। ଏହାସହ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି”, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା।

Comment