ଡକ୍ଟର ହରପ୍ରସନ୍ନ ଦାସ

(ଦ୍ୱିତୀୟ ଭାଗ)

ନିଜକୁ ଚିହ୍ନିବା ଏକ ସାଧନା। ଏହା ସେତେଟା ସହଜ କାମ ନୁହେଁ। କଷ୍ଟ ହେଲେବି ଠିକ୍ ପଦ୍ଧତିରେ ଗଲେ ତାହା ସଫଳ ହୋଇପାରିବ।

ଏଥରକ ଆଲୋଚନା କରିବା ଯେ ସେଗୁଡ଼ିକ ଠିକ୍ କିମ୍ବା ଭୁଲ୍ ତାହା କିପରି ଜାଣିବା। ଆମେମାନେ ପ୍ରାୟତଃ ନିଜର ଭଲ ଓ ମନ୍ଦ ଗୁଣ ସମ୍ପର୍କରେ ବେଶ୍ ଅବଗତ। ତଥାପି ଟିକେ ଏପଟ ସେପଟ ହୋଇଯିବାର ଆଶଙ୍କା ରହିଛି। କାରଣ ଆମେ ନିଜର ମନ୍ଦଗୁଣକୁ ଏତେ ସହଜରେ ମାନିବାକୁ ପ୍ରସ୍ତୁତ ନୋହୁଁ। ଏଣୁ କିଛିକ୍ଷେତ୍ରରେ ଆମେ ‘ହଁ’ ଓ ‘ନାହିଁ’ର ଦ୍ୱନ୍ଦ୍ୱରେ ପଡ଼ିଥାଉ। ମାନସିକ ସ୍ତରରେ ବି ଆମେ ଜାଣି ମଧ୍ୟ ଅଜଣା ହୋଇ ରହିଥାଉ।

ଏଣୁ ଆମ ଗୁଣଗୁଡ଼ିକର ପରୀକ୍ଷା କରିବାର ଏକ ଉତ୍ତମ ଉପାୟ ରହିଛି। କଷଟି ପଥରରେ ଘଷି ସୁନାର ଗୁଣ ଜାଣିବା ପରି, ଆମେ ବି ଆମ ନିଜ ବିଷୟରେ ଅନ୍ୟମାନଙ୍କର ମତାମତ ନେବା ଆବଶ୍ୟକ। ଏହି କାମଟି ଆରମ୍ଭ କରିବା ନିଜ ପରିବାରରୁ ପରିବାରର ଅନ୍ୟ ସଭ୍ୟମାନେ, ଯଥା- ବାପା, ମାଆ, ଭାଇ, ଭଉଣୀ, ଜେଜେ, ଜେଜେ ମାଆ, ଦାଦା, ଖୁଡ଼ି ଇତ୍ୟାଦି ସମସ୍ତଙ୍କର ମତାମତ ନେଲେ ହିଁ ଆମେ ଆମ ନିଜକୁ ଠିକ୍ ଚିହ୍ନିପାରିବା। ସେମାନେ ଆମକୁ କେଉଁଭଳି ଚିହ୍ନିଛନ୍ତି, ତାହା ଆମର ଜାଣିବା ଦରକାର।

ସେମାନଙ୍କର ଦୃଷ୍ଟିରେ ଆମର ଭଲ ଗୁଣମାନ କ’ଣ ଏବଂ ମନ୍ଦଗୁଣ କ’ଣ ତାହା ଜାଣିପାରିଲେ ହିଁ ଆମର କାର୍ଯ୍ୟଟି ସଫଳ ହୋଇପାରିବ। ପରିବାରର ପ୍ରତ୍ୟେକ ସଭ୍ୟ ଆମକୁ ନିଜ ନିଜର ଦୃଷ୍ଟିରେ ମାପିଥିବେ ନିଶ୍ଚୟ। ସେମାନେ ହିଁ ଆମପାଇଁ କଷଟି ପଥରର କାମ ତୁଲାଇବେ ସେମାନଙ୍କୁ ଆମେ 4ଟି ପ୍ରଶ୍ନ ପଚାରିପାରିବା।

୧) ତୁମକୁ ମୋର କେଉଁ ଗୁଣ ଗୁଡ଼ିକ ଭଲ ଲାଗେ,

୨) ମୋର କେଉଁ ଗୁଣ ବା ବ୍ୟବହାର ତୁମକୁ ଆଦୌ ଭଲ ଲାଗେ ନାହିଁ,

୩) କେଉଁ ଗୁଣଗୁଡ଼ିକ ମୁଁ ପରିତ୍ୟାଗ ବା ପରିବର୍ତ୍ତନ କରିବାଟା ତୁମେ ଚାହୁଁଛ,

୪) ତୁମ ମତରେ ମୋର କେଉଁ ଗୁଣଗୁଡ଼ିକର ବିକାଶ ହେଲେହିଁ ମୁଁ ଏକ ଭଲ ମଣିଷ ହୋଇପାରିବି।

ନିଷ୍ଠାର ସହିତ ଏହି ୪ଟି ପ୍ରଶ୍ନର ସଠିକ୍ ଉତ୍ତର ଆମେ ଯଦି ପରିବାରର ପ୍ରତ୍ୟେକ ସଭ୍ୟଙ୍କଠାରୁ ପୃଥକ୍ ପୃଥକ୍ ଭାବେ ସଂଗ୍ରହ କରିପାରିବା। ତେବେ ଆମ ନିଜର ଦୋଷ ଦୁର୍ବଳତାକୁ ଠିକ୍ ଚିହ୍ନିପାରିବା। ଆମ ଶରୀରର ଡ଼ାକ୍ତରୀ ପରୀକ୍ଷା ପରି ଆମ ମନ, ବ୍ୟବହାର ତଥା ଗୁଣଗୁଡ଼ିକର ସଠିକ୍ ପରୀକ୍ଷାର ଏହା ଉତ୍ତମ ଉପାୟ

ଠିକ୍ ସେହିପରି ଆମର ଅନ୍ତରଙ୍ଗ ସାଙ୍ଗ ଓ ବନ୍ଧୁବାନ୍ଧବମାନଙ୍କଠାରୁ ମଧ୍ୟ ଏହି ତଥ୍ୟ ସଂଗ୍ରହ କରିବାକୁ ହେବ। କେବଳ ସେହିମାନଙ୍କଠାରୁ, ଯେଉଁମାନେ ଆମର ପ୍ରକୃତ ଶୁଭେଚ୍ଛୁ ଏବଂ ଆମର ମଙ୍ଗଳ ଚାହାନ୍ତି ଯେଉଁମାନେ ଆମକୁ ଆନ୍ତରିକତାର ସହିତ ଭଲ ପାଆନ୍ତି ଏବଂ ଆମର ଉଜ୍ଜ୍ୱଳ ଭବିଷ୍ୟତ ଚାହାନ୍ତି ସେହିମାନେ ହିଁ ଆମକୁ ଠିକ୍ ପରାମର୍ଶ ଦେଇପାରିବେ। ସଠିକ୍ ବାଟ ଦେଖାଇପାରିବେ।

ପରିବାରବର୍ଗ, ସାଙ୍ଗ ଏବଂ ବନ୍ଧୁବାନ୍ଧବ ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିସାରିବା ପରେ ସେଗୁଡ଼ିକୁ ଏକାଠି ଲେଖି ଯାଞ୍ଚ କରିବାକୁ ହେବ ସେଗୁଡ଼ିକୁ ମଧ୍ୟ ଦୁଇଭାଗରେ ଲେଖିବାକୁ ହେବ- ସୁଗୁଣ ଓ କୁଗୁଣ। ଏବେ ଆମର କାମ ହେବ ତୁଳନା କରିବା ଆମେ ନିଜ ସହିତ କଥା ହୋଇ ଯେଉଁ ଗୁଣମାନର ତାଲିକା କରିଥିବା ତାହା ସହିତ ଅନ୍ୟମାନଙ୍କଠାରୁ ସଂଗ୍ରହ କରିଥିବା ଗୁଣମାନର ତୁଳନା ବା ମାପଚୁପ କରିବାକୁ ହେବ ଯେ ତାହା କେତେଦୂର ଖାପ ଖାଉଛି। ଅବଶେଷରେ ଆମକୁ ଏକ ଫାଇନାଲ୍ ତାଲିକା ତିଆରି କରିବାକୁ ହେବ ଯାହାହିଁ ଆମ ନିଜର ଗୁଣମାନର ସଠିକ୍ ମାନଚିତ୍ର ହୋଇପାରିବ। ତାହାହିଁ ଆମ ଭବିଷ୍ୟତ ଗଢ଼ିବାରେ ସହାୟ ହୋଇପାରିବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

LEAVE A REPLY

Please enter your comment!
Please enter your name here