ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପାସରେ ନାହାନ୍ତି କାଳିଆ ଠାକୁର। ବିଧାନସଭାରେ ଆଜି ଏହି ଉତ୍ତର ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ଆଜି ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍‌ଠାକ୍ ଚାଲିଥିବା ମନ୍ତ୍ରୀ କହିଛନ୍ତି।

ପ୍ରତାପ ଜେନା କହିଛନ୍ତି, “ଠାକୁର ଉପାସ ରହି ନାହାନ୍ତି। ନୀତିରେ ବଳମ୍ବ ଦେଖାଦେଇଥିଲା। ଠାକୁର ଉପାସ ରହିଛନ୍ତି ବୋଲି ଯାହା କୁହାଯାଉଛି ତାହା ଅମୂଳକ। ସୂପକାର ସେବାୟତଙ୍କ ଅସହଯୋଗ ଯୋଗୁଁ ଭୋଗମଣ୍ଡପ ହୋଇପାରି ନଥିଲା। ରୋଷଘରେ ୭/୮ ଟ୍ରକ ଅମୁଣିଆ ପ୍ରସାଦ ରହିଥିବାରୁ ତାହା ସଫା କରାଯାଉଥିଲା। ସଫା କରାଯିବା ପରେ ରାତି ୧୦ଟା୫୦ରେ ନୀତି ଆରମ୍ଭ ହୋଇଥିଲା। ସେବାୟତଙ୍କ ସହ ଆଲୋଚନା ପରେ ଆଜି ନୀତି ଠିକ୍ ଚାଲିଛି।”

କ’ଣ କହିଲେ ମନ୍ତ୍ରୀ ?

  • ଠାକୁର ଉପାସ ନାହାନ୍ତି
  • ନୀତିରେ ବିଳମ୍ବ ହୋଇଥିଲା
  • ରୋଷଘରେ ଥିଲା ୭/୮ ଟ୍ରକ ଅମୁଣିଆ ପ୍ରସାଦ
  • ସଫା କରାଯିବା ପରେ ନୀତି ଆରମ୍ଭ ହୋଇଥିଲା
  • ଉପାସ ରହିବା ଅଭିଯୋଗ ଅମୂଳକ

ସୋମବାରଠାରୁ ମହାପ୍ରଭୁ ଉପାସ ରହିଥିବା ଅଭିଯୋଗ ହୋଇଥିଲା। ସେବାୟତଙ୍କ ଅସହଯୋଗ ଯୋଗୁଁ ଅବଢ଼ା ବାହାରି ପାରିନଥିଲା। ଜଗମୋହନ ଖୋଲିବା ଦିନ ହିଁ ବିବାଦ ଦେଖାଦେଇଥିଲା।

ସୋମବାର ସକାଳ ୫ଟା୪୦ରେ ଶ୍ରୀମନ୍ଦିରର ପହୁଡ଼ ଖୋଲିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦୁଇ ବର୍ଷ ପରେ ଜଗମୋହନ ଖୋଲିଥିବାରୁ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀମନ୍ଦିର। ଶ୍ରୀଜଗନ୍ନାଥଙ୍କୁ ପାଖରୁ ଦେଖିବା ପାଇଁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଥିଲା। ହେଲେ ଗର୍ଭଗୃହ ଭିତରକୁ ପାଳିଆ ସେବାୟତ ପ୍ରବେଶ କରିବା ନେଇ ହାଇକୋର୍ଟ ଜାରି କରିଥିବା କଟକଣା ଉପରେ ଅସନ୍ତୋଷ ଦେଖାଦେଇଥିଲା।

ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ବଦଳରେ କିଏ ପାଳି କରିବ ତାକୁନେଇ ପ୍ରଶ୍ନ ଉଠିଥିଲା। ଫଳରେ ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା। ଜିଲ୍ଲାପାଳ ଏବଂ ଏସ୍‌ପି ଏହି ବିବାଦରେ ହସ୍ତକ୍ଷେପ କରିଥିଲେ। ବିବାଦ ସମାଧାନ ହେବା ପରେ ସାଢ଼େ ୪ଟାରେ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା। ଭୋଗମଣ୍ଡପ ବିଳମ୍ବ ହେବାରୁ ମହାପ୍ରସାଦ ବାହାରି ନଥିଲା।

ଏହାକୁ ନେଇ ଦୁଇଦିନ ହେଲା ବିଧାନସଭା ଅଚଳ ହୋଇଛି। ମହାପ୍ରଭୁଙ୍କ ନୀତି ବିଭ୍ରାଟ କାହିଁକି ହେଉଛି ତାକୁ ନେଇ ପ୍ରଶ୍ନ କରିଥିଲେ। ଏନେଇ ବାଚସ୍ପତି ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ବିରୋଧୀ ବୈଠକରେ ଯୋଗ ଦେଇ ନଥିଲେ।

ମଙ୍ଗଳବାର ମଧ୍ୟ କଂଗ୍ରେସ ସଭ୍ୟ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବି କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଜଗନ୍ନାଥଙ୍କୁ ନେଇ ରାଜନୀତି କରା ନଯାଉ ବୋଲି କହିଥିଲେ।

ଅକ୍ଷୟ ତୃତୀୟ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରେ ହୋଇଥିବା କୋଠଭୋଗ ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଛି। ସିଂହଦ୍ୱାର ଆଗରେ ଭକ୍ତଙ୍କୁ ମାଗଣାରେ ଏହି ମହାପ୍ରସାଦ ବଣ୍ଟନ କରାଯାଇଛି।

ବିଧାନସଭାରେ ଦୁଇ ଦିନ ହେଲା ଏହି ପ୍ରସଙ୍ଗ ଉଠିବା ପରେ ଆଇନ୍ ମନ୍ତ୍ରୀ ବୁଧବାର ଏନେଇ ବିବୃତି ରଖିଛନ୍ତି।

Comment