ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ନିଆରା ପରମ୍ପରା ତଥା ଉତ୍କଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ଅନନ୍ୟ ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ଆରମ୍ଭ ହୋଇଛି ପଟିଦିଅଁ ଅଙ୍କନ ଓ ପୂଜନ ଉତ୍ସବ। ଏଥିପାଇଁ ୫ଟି ଜଗନ୍ନାଥ ମନ୍ଦିରର ପୂଜକଙ୍କୁ ମିଳିଛି ସ୍ୱିକୃତୀ।
ପ୍ରଥମ ଥର ପାଇଁ ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚ୍ୟୁରାଲ୍ ଏକାଡେ଼ମିର ମିଳିତ ସହଯୋଗରେ ଗତବର୍ଷ ବାମପଦାସ୍ଥ ନୋସି ବିଜନେସ୍ ପାର୍କସ୍ଥିତ ଉତ୍କଳା ଶିଳ୍ପଗ୍ରାମରେ ଆରମ୍ଭ ହୋଇଥିଲା ପଟଦିଅଁ ଅଙ୍କନ ଉତ୍ସବ।
ଏହି ଉତ୍ସବରେ ଚିତ୍ରକରମାନେ ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରେ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କୁ ଅନନ୍ତ ବାସୁବେବ ଓ ମା ସୁଭଦ୍ରାଙ୍କୁ ଭରବଙ୍କନଶ୍ୱରୀ ରୂପରେ ଅଙ୍କିବା ପାଇଁ ସ୍ୱୀକୃତି ପାଇଥିଲେ।
କପଡ଼ାରେ ତିଆରି ମୋଟା ପଟି ଉପରେ ଦିଅଁମାନଙ୍କ ଚିତ୍ର ଜ୍ୟଷ୍ଠ ଶୁକ୍ଳ ପକ୍ଷ ଏକାଦଶୀରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆଙ୍କି ଅଣସର ସମୟରେ ଜଗନ୍ନାଥ ମନ୍ଦିରରେ ପୂଜା ପାଇଁ ପ୍ରଦାନ କରନ୍ତି।
ଚଳିତ ବର୍ଷ ପଟିଦିଅଁ ଅଙ୍କନ ପାଇଁ ଶିଳ୍ପୀ କେଶୁ ଦାସ- ଜଗନ୍ନାଥଙ୍କ ଅନନ୍ତ ନାରାୟଣ, ଅରୁଣ କୁମାର ବାରିକ – ବଳଭଦ୍ରଙ୍କ ଅନନ୍ତ ବାସୁଦେବ ଓ ବାବୁଲି କାଣ୍ଡି – ସୁଭଦ୍ରାଙ୍କ ଭୁବନେଶ୍ୱରୀ ଚିତ୍ର ଆଙ୍କିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି।
ନୀଳଗିରି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ, ଠାକୁର ମାହାଲର ଭୋଳାନାଥ ମହାନ୍ତି, ମୋତିଗଂଜ ବାଣ୍ଠିଆ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀନିବାସ ପଣ୍ଡା, ଶାସଙ୍ଗ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ପ୍ରଭାସ ଦାସ, ବିକାଶ କୁମାର ଦାସ, ଜୟଦେବ କସବାର ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ, ଜୀବନ କୁମାର ସତପଥୀ ଓ ଦୁବଲାଗଡିର ପତିତପାବନ ଶ୍ରୀ ଜଗନ୍ନାଥଙ୍କର ମୁଖ୍ୟ ପୂଜକ ଆରତୀ ଦାସ, କାହ୍ନୁ ଚରଣ ଦାସ ଅଂଶ ଗ୍ରହଣ କରିଛନ୍ତି। ଚିତ୍ରକର ସୁଜିତ ମହାଲିକ, ମୋନାଲିସା ବରୁଆ, ଗୋପାମୁଦ୍ରା, ଦେବାଶିଷ ମହାନ୍ତି, ବାଚୁ ଶ୍ରୀନୀବାସ, ପର୍ଶୁରାମ ମହାରଣା, ପ୍ରକାଶ ମହାନ୍ତି ପ୍ରମୁଖ ସହେଯାଗ କରିଥିଲେ ।
ଆସନ୍ତା ଜୁନ୍ ମାସ ତା ୨୨ ରୁ ୨୮ରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ବାମପଦାସ୍ଥ ନୋସି ବିଜନେସ୍ ପାର୍କ ସ୍ଥିତ ଉତ୍କଳା ଶିଳ୍ପଗ୍ରାମରେ ଏକ କଳାତ୍ମକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଚାଲିବ।













