ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ବଲିଉଡରେ ଏମିତି କିଛି ଷ୍ଟାର୍ ହିରୋଇନ୍ ଅଛନ୍ତି, ଯେଉଁମାନଙ୍କ ମାଆ ବି ଅତୀତରେ ଅଭିନୟ କ୍ଷେତ୍ରରେ ନାଁ କରିଥିଲେ। ଏମିତି ଷ୍ଟାର୍ ହିରୋଇନ୍ମାନେ ହେଲେ କାଜୋଲ୍, କରିସ୍ମା କପୁର୍, କରିନା କପୁର୍ ଖାନ୍।
ବଲିଉଡର ଷ୍ଟାର ହିରୋଇନମାନଙ୍କର କାହାଣୀ ଅଲଗା ଅଲଗା। ଠିକ୍ ସେହିପରି ସେମାନଙ୍କ ମାଆ ବି ଭିନ୍ନ ଭିନ୍ନ ପରିସ୍ଥିତିରେ ରହି ଝିଅଙ୍କୁ ହିରୋଇନ୍ ବନାଇଛନ୍ତି। ହେଲେ ଏହି ମାଆମାନଙ୍କ ଭିତରୁ ସବୁ ଅଲଗା କାହାଣୀ ହେଉଛି ଷ୍ଟାର୍ ହିରୋଇନ୍ କରିସ୍ମା ଓ କରିନାଙ୍କ ମାଆ ବବିତାଙ୍କର।
ବବିତା ଥିଲେ ଷାଠିଏ ଓ ସତୁରି ଦଶକର ଷ୍ଟାର୍ ହିରୋଇନ୍। ସେ ୧୯୪୮ ମସିହା ଅପ୍ରେଲ୍ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ମୁଳତଃ ପାକିସ୍ତାନର ଅଧିବାସୀ ଥିଲେ ବବିତାଙ୍କ ପରିବାର। ଷ୍ଟାର୍ ହିରୋଇନ୍ ବବିତାଙ୍କର ଜନ୍ମ ଏକ ସିନ୍ଧି ପରିବାରରେ ହୋଇଥିଲା। ଭାରତ-ପାକିସ୍ତାନ ବିଭାଜନ ସମୟରେ ତାଙ୍କ ପରିବାର ଭାରତରେ ଆସି ରହିଥିଲେ।

ବଲିଉଡର ଅନ୍ୟତମ ଷ୍ଟାର୍ ହିରୋଇନ୍ ସାଧନା ହେଲେ ବବିତାଙ୍କ ସମ୍ପର୍କୀୟ ଭଉଣୀ। ଏଣୁ ସାଧନାଙ୍କ ଜରିଆରେ ବବିତା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲେ।
୧୯୬୬ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦସ୍ ଲାଖ’ରେ ଡେବ୍ୟୁ କରିଥିଲେ ବବିତା। ଏହି ସିନେମାଟି କିନ୍ତୁ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହା ପରେ ବବିତାଙ୍କର ଏକ ବଡ଼ ବଜେଟ୍ ସିନେମା ପରଦାକୁ ଆସିଥିଲା। ତାହାର ଟାଇଟଲ୍ ହେଲା ‘ରାଜ୍’। ଏହି ସିନେମାରେ ବବିତାଙ୍କୁ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ହେଲେ ଏହି ସିନେମାଟି ଫ୍ଲପ୍ ହୋଇଥିଲା।
୧୯୬୭ରେ ବବିତାଙ୍କର ଅନ୍ୟ ଏକ ଫିଲ୍ମ ରିଲିଜ୍ ହେବା ପରେ ଷ୍ଟାର୍ ହିରୋଇନ୍ ବନିଥିଲେ ସେ। ଏହି ଫିଲ୍ମର ଟାଇଟଲ୍ ହେଲା ‘ଫର୍ଜ’। ଜିତେନ୍ଦ୍ରଙ୍କ ଅପୋଜିଟରେ ଏଥିରେ ନଜର ଆସିଥିଳେ ଷ୍ଟାର୍ ହିରୋଇନ୍ ବବିତା। ‘ଫର୍ଜ’ ସୁପରହିଟ୍ ହେବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଷ୍ଟାର୍ ହିରୋଇନ୍ ବବିତା।
ଏହାପରେ ବବିତାଙ୍କୁ ମିଳିଲା ଷ୍ଟାରଡମ୍। ବବିତା ମାତ୍ର ୧୯ଟି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ଏହି ଷ୍ଟାର୍ ହିରୋଇନଙ୍କର ଅନ୍ୟ ଲୋକପ୍ରିୟ ସିନେମାଗୁଡ଼ିକ ହେଲା ‘କିସମତ୍’, ‘ତୁମସେ ଅଚ୍ଛା କୌନ ହେ’, ‘ହସିନା ମାନଜାଏଗୀ’, ‘ଅନଜାନା’, ‘କବ୍ କ୍ୟୁଁ ଔର୍ କହାଁ’, ‘ପହଚାନ୍’ ଓ ‘କଲ୍ ଆଜ୍ ଔର୍ କଲ’।
୧୯୭୧ରେ ଷ୍ଟାର୍ ହିରୋଇନ୍ ବବିତାଙ୍କ ଅଭିନୀତ ଫିଲ୍ମ ‘କଲ୍ ଆଜ୍ ଔର୍ କଲ୍’ ରିଲିଜ୍ ହୋଇଥିଲା। ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ରଣଧୀର କପୁର। ଏହି ଫିଲ୍ମର ସୁଟିଂ ସମୟରେ ରଣଧୀର କପୁର ଷ୍ଟାର୍ ହିରୋଇନ୍ ବବିତାଙ୍କ ପ୍ରେମରେ ପଡ଼ିଥିଲେ। ରଣଧୀର ବବିତାଙ୍କୁ ବାହା ହେବାର ନିଷ୍ପତ୍ତି ନେଇଥିଲେ।
ଷ୍ଟାର୍ ହିରୋଇନ୍ ବବିତା ଓ ରଣଧୀର ଉଭୟଙ୍କ ପରିବାରରେ ଏହି ପ୍ରସ୍ତାବକୁ ନାପସନ୍ଦ କରିଥିଲେ। ରଣଧୀର ବବିତାଙ୍କ ପ୍ରେମରେ ଏଭଳି ପାଗଳ ଥିଲେ ଯେ ସେ ଘର ଛାଡ଼ିବାକୁ ପ୍ରସ୍ତୁତ ଥିଲେ। ଏକଥା ଜାଣିବା ପରେ ପିତା ରାଜକପୁର ବବିତା ବାହାଘର ପରେ ଫିଲ୍ମ ଲାଇନ ଛାଡ଼ିବେ ବୋଲି ସର୍ତ୍ତ ରଖିଥିଲେ। ଏଥିରେ ବବିତା ସହମତ ହେବା ପରେ ରଣଧୀର କପୁର-ବବିତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା
୧୯୭୪ରେ ଷ୍ଟାର୍ ହିରୋଇନ୍ ବବିତା କରିସ୍ମା କପୁର ଓ ୧୯୮୦ରେ କରିନା କପୁରଙ୍କୁ ଜନ୍ମ ଦେଇଥିଲେ। ୧୯୮୮ରେ ଯେତେବେଳେ ବବିତା ନିଜର ବଡ ଝିଅଙ୍କୁ ହିରୋଇନ୍ କରିବାର ଜିଦ୍ ଧରିଲେ, ସେତେବେଳେ ରଣଧୀର କପୁର ବାରଣ କରିଥିଲେ। କିନ୍ତୁ ଷ୍ଟାର୍ ହିରୋଇନ ବବିତା ବାଧ୍ୟ ହୋଇ ରଣଧୀରଙ୍କୁ ଛାଡ଼ି ଅଲଗା ହୋଇ ରହିଲେ। ଦୁଇ ଝିଅ କରିସ୍ମା ଓ କରୀନା କ୍ୟାରିଅରରେ ସଫଳତ ହେବା ପରେ ୨୦୦୭ରେ ପୁଣି ରଣଧୀର କପୁର ଓ ବବିତା ଏକାଠି ରହିଲେ। ଝିଅମାନଙ୍କ କ୍ୟାରିଅର୍ ପାଇଁ ୧୯ ବର୍ଷ ଯାଏଁ ସ୍ୱାମୀଙ୍କଠାରୁ ଅଲଗା ରହିଥିଲେ ଷ୍ଟାର୍ ହିରୋଇନ୍ ବବିତା।
















