ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାରରରେ କେତେ ସୁନା ଅଛି? ଏହା ଜାଣିବା ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ବିଧାନସଭାରେ ସରକାର ଆଜି ଉତ୍ତର ରଖିଛନ୍ତି। ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ରତ୍ନଭଣ୍ଡାରର ହିସାବ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ୧୨ ହଜାର ୮୩୧ ଭରି ୧ ଅଣା ସୁନା ଅଳଙ୍କାର ରହିଛି। ସେହିପରି ୨୨ ହଜାର ୧୫୩ ଭରିର ରୂପା ବାସନ, ପୂଜା ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ ରହିଛି।”

୧୯୭୮ ମସିହାରେ ରତ୍ନଭଣ୍ଡାରର ଅଳଙ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ତାଲିକା ପ୍ରସ୍ତୁତ କରିଥିଲା। ଏହି ତାଲିକାକୁ ଆଧାର କରି ସରକାର ଏହି ଉତ୍ତର ଦେଇଛନ୍ତି।

ଏହାଛଡ଼ା ବିଭିନ୍ନ କାରଣରୁ ୧୪ ଗୋଟି ସୁନା, ରୂପା ଜିନିଷ ଓଜନ ହୋଇପାରି ନାହିଁ। ତେଣୁ ଏହାକୁ ହିସାବରେ ସାମିଲ୍ କରାଯାଇ ନାହିଁ।

ରତ୍ନଭଣ୍ଡାରକୁ ନେଇ ଅନେକ ରହସ୍ୟ ଶୁଣିବାକୁ ମିଳୁଛି। ରତ୍ନଭଣ୍ଡାରରେ ମହଣ ମହଣ ସୁନା, ରୂପା, ମୋତି, ମାଣିକ୍ୟ ଭରି ରହିଥିବା କୁହାଯାଉଛି। ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା। ୧୬ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ। ହେଲେ ବାହାର ଭଣ୍ଡାରରେ ରହି ଭିତର ରତ୍ନଭଣ୍ଡାର ଯାଞ୍ଚ କରି ଫେରି ଆସିଥିଲେ।

ଏହି ସମୟରେ ରତ୍ନଭଣ୍ଡାରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ରତ୍ନଭଣ୍ଡାରରେ କେତେ ଧନ ସମ୍ପତ୍ତି ରହିଛି ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସ୍ଥିତି ଯାଞ୍ଚ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓଡ଼ିଶା ହାଇକୋର୍ଟକୁ ରିପୋର୍ଟ ଦେଇଛନ୍ତି। ବର୍ଷା ଦିନ ପରେ ପୁଣି ରତ୍ନଭଣ୍ଡାର ଖୋଲାଯାଇପାରେ ବୋଲି ଆଲୋଚନା ହେଉଛି।

Comment