ଓଡ଼ିଶାଲାଇଭ୍ ବ୍ୟୁରୋ
ମଧୁସୂଦନ ସଂଗ୍ରହାଳୟରେ ସ୍ଥାନ ପାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନିତ୍ୟ ବ୍ୟବହୃତ ସାମଗ୍ରୀ।
ମଧୁବାବୁଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ନାମରେ ପ୍ରତିଷ୍ଠା ହୋଇଛି ମଧୁସୂଦନ ସଂଗ୍ରହାଳୟ। କଟକର ଶୈଳବାଳା ମହାବିଦ୍ୟାଳୟ ନିକଟରେ ଏହି ସଂଗ୍ରହାଳୟଟି ସ୍ଥାପନ ହୋଇଛି। ୨୦୦୭ ଏପ୍ରିଲ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟକୁ ଉଦଘାଟନ କରିଥିଲେ।
ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନିତ୍ୟ ବ୍ୟବହୃତ ସାମଗ୍ରୀ। ସାଇତା ହୋଇ ରହିଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ମଧୁବାବୁ ବ୍ୟବହାର କରୁଥିବା ଟେବୁଲ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ହାତୀ ଦାନ୍ତ, ଶ୍ୱେତ ଧାତୁରେ ନିର୍ମିତ ଏହି ଟେବୁଲ ବେଶ୍ ମନୋରମ। ଟେବୁଲର ସମ୍ମୁଖ ଭାଗରେ ପ୍ରାୟ ୪ ଫୁଟ ଲମ୍ବର ଦୁଇଟି ମୂଲ୍ୟବାନ ହାତୀଦାନ୍ତ ଖଞ୍ଜା ଯାଇଥିବା ବେଳେ ଟେବୁଲ ତଳକୁ ହାତୀ ଶୁଣ୍ଢ ନିର୍ମିତ ହୋଇଛି।
ଟେବୁଲ ପ୍ରାୟ ୧୦୦ ବର୍ଷ ତଳେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ମଧୁବାବୁ ଏହି ଟେବୁଲରେ ପଢ଼ାପଢ଼ି ଓ ଲେଖାଲେଖି କରୁଥିଲେ। ଟେବୁଲରେ ଲାଗିଥିବା ଦୁଇଟି ହାତୀ ଦାନ୍ତର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।
ମଧୁବାବୁଙ୍କ ପ୍ରିୟ କାଳି ବୋତଲ ଓ ପେନ୍ ଷ୍ଟାଣ୍ଡ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି। ସେ ବ୍ୟବହାର କରୁଥିବା ପାଣି ଜଗ୍, ଚାମଚ, କାଠରେ ନିର୍ମିତ ଦୁଇ ନାଗକନ୍ୟା ଷ୍ଟାଣ୍ଡ, ହାତୀ ଦାନ୍ତ ବାକ୍ସ ଆଦି ଏଠାରେ ସ୍ଥାନିତ ହୋଇଛି। ମଧୁବାବୁଙ୍କୁ ବ୍ରିଟିଶ ସରକାର ଏବଂ ତତ୍କାଳୀନ ରାଜାମାନେ ପ୍ରଦାନ କରିଥିବା ପ୍ରଶଂସା ପତ୍ର ଓ ମାନପତ୍ର ଏଠାରେ ସଂରକ୍ଷିତ କରାଯାଇଛି।
ଦଲିଲ, ଦସ୍ତାବିଜ୍, ସାର୍ଟିଫିକେଟ୍, ତାରକସି କାମ ଆଦି ଏହି ସଂଗ୍ରହାଳୟରେ ଦେଖିବାକୁ ମିଳୁଥିବା ବେଳେ ମଧୁବାବୁ ବ୍ୟବହାର କରୁଥିବା ଟୋପି, ବିଛଣା, ଖଟ, ହୋମିଓପାଥୀ ଔଷଧ ବାକ୍ସ, ବିଭିନ୍ନ ପାତ୍ର, କାଠରେ ତିଆରି କଳାକୃତି ମଧ୍ୟ ସାଇତା ହୋଇ ରହିଛି।
କଟକର ମିଶନରୋଡରେ ମଧୁସ୍ମୃତି ସଂଗ୍ରହାଳୟ ରହିଛି। ମଧୁବାବୁ ଭୋଳାମିଆଁ ବଜାର ଓ ମିଶନରୋଡ ମୋଡ ଉପରେ ଆଜିର ମଧୁସ୍ମୃତି ହତାଟିକୁ ଚପବେକ୍ ସାହେବଙ୍କଠାରୁ ୧୮୮୯ ମସିହାରେ କିଣିଥିଲେ।
୨ ମାଣ, ୨ ଗୁଣ୍ଠ ଓ ୨ ବିଶ୍ୱା ଆୟତନରେ ଏହି ଜାଗାରେ ବଗିଚା ଓ ପୋଖରୀ ଥିଲା। ମଧୁବାବୁ ଏଠାରେ ଘର ନିର୍ମାଣ କରିଥିଲେ। ଏଥିପାଇଁ ପ୍ରାୟ ତାଙ୍କୁ ୩ବର୍ଷ ସମୟ ଲାଗିଥିଲା।
୧୮୯୨ ମସିହାରେ ଅମ୍ବିକା ହାଜରାଙ୍କ ଝିଅ ଶୈଳବାଳା, ସୁଧାଂଶୁବାଳା ଓ ପୁଅ ଚନ୍ଦ୍ରଙ୍କ ସହିତ ଆସି ମଧୁବାବୁ ଏ ଘରେ ରହୁଥିଲେ। ସେହିଦିନଠାରୁ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଏହି ଘରଟି ଥିଲା ମଧୁବାବୁଙ୍କର କର୍ମଭୂମି। ଏହି ଘରେ ସେ ଆଇନ୍ ଚର୍ଚ୍ଚା କରୁଥିଲେ। ସ୍ଥାନୀୟ ନେତୃବର୍ଗ ଏଠାରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ।
ମହାତ୍ମା ଗାନ୍ଧି କଟକ ଗସ୍ତରେ ଆସିଥିବା ବେଳେ ଗୋଟିଏ ରାତି ସେ ମଧୁସ୍ମୃତିର ଉପର ମହଲାରେ ରହିଥିଲେ। ସେହି ଗୃହରେ କଟକର ଯୁବକମାନଙ୍କୁ ତାରକସି କାମ, ସିଂଘ କାମ, ଚରଖାରେ ସୁତାକଟା, ଓ ଚମଡ଼ା ଶିଳ୍ପ ଆଦିର ତାଲିମ ଦେଉଥିଲେ ମଧୁବାବୁ। ମଧୁସ୍ମୃତିର ପ୍ରତ୍ୟେକ ଇଟାଖଣ୍ଡରେ ଓଡ଼ିଆ ଜାତିର ଇତିହାସ ଲିପିବଦ୍ଧ ହୋଇ ରହିଛି।
ନାରୀ ଶିକ୍ଷାର ପ୍ରସାର ପାଇଁ ପରବର୍ତ୍ତୀ ସମୟରେ ଏହି ଜାଗାକୁ ଦାନ କରି ଦିଆଯାଇଥିଲା। ଏହି ସ୍ଥାନରେ ଗଢ଼ି ଉଠିଛି ଶୈଳବାଳା ମହିଳା ମହାବିଦ୍ୟାଳୟ।








ମଧୁସୂଦନ ସଂଗ୍ରହାଳୟରେ ସ୍ଥାନ ପାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନିତ୍ୟ ବ୍ୟବହୃତ ସାମଗ୍ରୀ।








