ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳର ବରପୁତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁସୂଦନ ଦାସଙ୍କ ଶେଷ ଜୀବନ ଚରମ ଆର୍ଥିକ ଦୁଃସ୍ଥିତି ଭିତରେ କଟିଥିଲା। ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ ତଥା ଏଭଳି ବହୁ ସାଙ୍ଗଠନିକ କାମରେ ଉତ୍କଳଗୌରବ ମଧୁସୂଦନ ବିଭିନ୍ନ ସୂତ୍ରରୁ ଋଣ କରି ଖର୍ଚ୍ଚ କରିବାକୁ ଦ୍ୱିଧା କରୁନଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରି ଦିନେ ଥିଲା ଭାରତର ସ୍ୱଦେଶୀ ଶିଳ୍ପ ମଧ୍ୟରେ ଖୁବ୍ ପରିଚିତ, କିନ୍ତୁ ଠିକଣା ସମୟରେ ଏହାର କ୍ଷତି ଭରଣା କରିପାରିନଥିଲେ ମଧୁବାବୁ। ଫଳରେ ଉତ୍କଳ ଟ୍ୟାନେରି ନିଲାମ ହୋଇଗଲା।

କୋର୍ଟ ଏହାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ ସୁଦ୍ଧା ଏହାକୁ କିଣିବା ଲାଗି କେହି ବିଶେଷ ଆଗ୍ରହ ପ୍ରକାଶ ନ କରିବାରୁ ଟ୍ୟାନେରି ମାତ୍ର ୬୫ ହଜାର ଟଙ୍କାରେ ବିକ୍ରି ହୋଇଗଲା। ବିଭିନ୍ନ ସମ୍ପତ୍ତି ବିକ୍ରି କରି ବା ବନ୍ଧକ ଦେଇ ଋଣମୁକ୍ତ ହୋଇ ପାରିନଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ଋଣଦାତାମାନଙ୍କର ଲଗାତାର ଆଇନଗତ ଚାପରୁ ମୁକ୍ତି ପାଇବା ପାଇଁ ନିଜକୁ ଦେବାଳିଆ ଘୋଷିତ କରିବା ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଓଡ଼ିଶାର ଜାତୀୟ ଜୀବନର କର୍ଣ୍ଣଧାର, ଉତ୍କଳ ମାତାର ପରମ ସେବକ ମଧୁସୂଦନ ଦାସ ଶେଷରେ ଦେବାଳିଆ ଘୋଷିତ ହେଲେ। ଜାତୀୟ ଜୀବନର ବିକାଶ ପାଇଁ ଯେଉଁ ସ୍ୱାର୍ଥମେଧ ଯଜ୍ଞ ବିଷୟରେ ଦିନେ ମଧୁବାବୁ ବାରମ୍ବାର କହୁଥିଲେ ସେଥିରେ ସେ ନିଜକୁ ପୂର୍ଣ୍ଣାହୂତି ଦେଇଦେଲେ।

Tags: #MadhusudanDas #MadhuBabu #Bankruptcy #UtkalGourav #UtkalSantan #UtkalSammilani

Comment