ଓଡ଼ିଶାଲାଇଭ୍ ବ୍ୟୁରୋ

- ଓଡ଼ିଆ ସରକାରୀ ଭାଷା ସଂଶୋଧନ ବିଲ୍-୨୦୧୮ ପାରିତ
- ଦୋକାନ-ବାଣିଜ୍ୟିକ ପ୍ରତିଷ୍ଠାନ ବିଲ୍ ୨୦୧୮ ପାରିତ
- ଓଡ଼ିଆରେ ଲେଖାଯିବ ନାମଫଳକ
- ନିୟମ ଖିଲାପ କଲେ ଜରିମାନା
ଏଣିକି ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଲଗାଯାଉଥିବା ନାମଫଳକ ମଧ୍ୟ ଓଡ଼ିଆରେ ଲେଖାଯିବ। ଏନେଇ ସରକାର ଆଜି ବିଧାନସଭାରେ ନେଇଛନ୍ତି ବଡ଼ ନିଷ୍ପତ୍ତି।
ଓଡ଼ିଶା ବିଧାନସଭାରେ ପାରିତ ହୋଇଛି ଓଡ଼ିଆ ସରକାରୀ ଭାଷା ସଂଶୋଧନ ବିଲ୍-୨୦୧୮। ୧୯୫୪ ସରକାରୀ ଭାଷା ଆଇନକୁ ମଧ୍ୟ ସଂଶୋଧନ କରାଯାଇଛି। ସେହିପରି ଦୋକାନ-ବାଣିଜ୍ୟିକ ପ୍ରତିଷ୍ଠାନ ବିଲ୍ ୨୦୧୮ ମଧ୍ୟ ବିଧାନସଭାରେ ପାରିତ ହୋଇଛି।
ଏହି ବିଲ୍ ଅନୁଯାୟୀ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଲଗାଯାଉଥିବା ନାମଫଳକ ଓଡ଼ିଆରେ ଲେଖାଯିବ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଲ୍ରେ ନିୟମ ରହିଛି।
ଯେଉଁମାନେ ଓଡ଼ିଆରେ ନାମଫଳକ ନଲଗାଇବେ ସେମାନଙ୍କୁ ପ୍ରଥମେ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଜାଗ କରାଯିବ। ଓଡ଼ିଆରେ ନାମଫଳକ ଲେଖିବା ପାଇଁ କୁହାଯିବ। ଯଦି ପ୍ରଥମ ଦଫାରେ ଦୋକାନୀମାନେ ଏହାକୁ ଗ୍ରହଣ ନକରନ୍ତି ତାହାଲେ ସର୍ବନିମ୍ନ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ବ୍ୟବସ୍ଥା କରାଯାଇଛି।
ଦ୍ୱିତୀୟ ଦଫାରେ ଯଦି ବ୍ୟବସାୟୀମାନେ ଓଡ଼ିଆରେ ନାମଫଳକ ନଲେଖନ୍ତି ତାହାଲେ ସେମାନଙ୍କୁ ଅଧିକ ଜରିମାନା ଦେବାକୁ ପଡ଼ିବ। ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ସଂପୃକ୍ତ ବ୍ୟବସାୟ ପ୍ରତିଷ୍ଠାନ।
ଓଡ଼ିଆକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା। ଭାଷାବିତ୍ମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସହ ବିଭିନ୍ନ ଆନ୍ଦୋଳନ କରିଥିଲେ। ଏନେଇ ୨୦୧୭ ଡିସେମ୍ବର ୨୬ରେ ପୁରୀଠାରେ ବସିଥିବା କ୍ୟାବିନେଟ୍ ବୈଠକରେ ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ପ୍ରସ୍ତାବ ଉପରେ ମୋହର ବାଜିଥିଲା।
ଏପ୍ରିଲ ୧ରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ବିଧାନସଭାରେ ଏହି ବିଲ୍ ପାରିତ ହୋଇନଥିଲା। ମେ ୧ ଶ୍ରମିକ ଦିବସ ଉପଲକ୍ଷେ ବିଧାନସଭାରେ ଏହି ବିଲ୍ ପାରିତ ହୋଇଛି।















