ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି କଳାକାର ଥିଲେ ଯେଉଁମାନଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ଗୁରୁ ଦତ୍ତଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର କଳାକାରଙ୍କ ଆକସ୍ମିକ ମୃତ୍ୟୁ ଉପରୁ ଏଯାଏଁ ପରଦା ଉଠିପାରି ନାହିଁ।
କେତେକ ବଲିଉଡ୍ ନାୟିକାଙ୍କ ମୃତ୍ୟୁ ରହସ୍ୟଜନକ ଭାବେ ଘଟିଥିଲା। ସେମାନଙ୍କର ମୃତ୍ୟୁର ପ୍ରକୃତ ରହସ୍ୟ ଏଯାବତ୍ ଉନ୍ମୋଚିତ ହୋଇପାରିନାହିଁ। ଆସନ୍ତୁ ନଜର ପକାଇବା ଏଭଳି କିଛି ଲୋକପ୍ରିୟ ଅଭିନେତ୍ରୀଙ୍କ ସମ୍ପର୍କରେ…
ଶ୍ରୀଦେବୀ
୨୦୧୮ ମସିହା ଫେବୃଆରୀ ୨୪ ତାରିଖ, ବଲିଉଡ୍ ଇତିହାସର ଏକ କଳା ଦିବସ। ଏହି ରାତିରେ ପ୍ରଥମ ଫିମେଲ୍ ସୁପରଷ୍ଟାର୍ ଶ୍ରୀଦେବୀଙ୍କର ଆକସ୍ମିକ ବିୟୋଗ ଘଟିଥିଲା। ସେ ଦୁବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳିଲା, କିନ୍ତୁ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇନାହିଁ।
ପରବିନ୍ ବାବି
ପରଦିନ ବାବିଙ୍କୁ ବଲିଉଡର ପ୍ରଥମ ସେକ୍ସ ସିମ୍ବଲ ବୋଲି କୁହାଯାଏ। ସେ ‘ଖୁଦ୍ଦାର’, ‘ନମକ ହଲାଲ୍’, ‘ଅମର ଆକବର ଆନ୍ଥୋନୀ’ ସମେତ ବହୁ ବ୍ଲକ ବଷ୍ଟର ଫିଲ୍ମର ନାୟିକା ଥିଲେ। କିନ୍ତୁ ସେ ହତ୍ୟାର ଶିକାର ହୋଇଥିଲେ। ପ୍ରେମରେ ଏକାଧିକାର ବିଫଳ ମଧ୍ୟ ହୋଇଥିଲେ। କୁହାଯାଏ ଯେ ଅଭିନେତା ଡବି, କବୀର ବେଦୀ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ ତାଙ୍କର ଆଫେଆର୍ ଚର୍ଚ୍ଚା ହୋଇଥାଏ। ତେବେ ପ୍ରଚୁର ମଦ୍ୟପାନ କରୁଥିବା ହେତୁ ପରବିନ୍ ବାବିଙ୍କର ଆକସ୍ମିକ ଦେହାନ୍ତ ହୋଇଥିଲା ବୋଲି କୁହାଯାଏ। ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ ପରବିନ୍ ବାବିଙ୍କ ମୃତ୍ୟୁ ପାରନଏଡ୍ ସିଜୋଫ୍ରେନିଆ ରୋଗ ଯୋଗୁଁ ହୋଇଥିଲା। ହେଲେ ଆଜିଯାଏଁ ପରବିନ୍ ବାବିଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ।
ଦିବ୍ୟା ଭାରତୀ
ନବେ ଦଶକରେ ଦର୍ଶକଙ୍କୁ ଦିୱାନା କରି ଦେଇଥିବା ନାୟିବା ଦିବ୍ୟା ଭାରତୀଙ୍କର ମୃତ୍ୟୁ ୧୯୯୩ ମସିହା ଏପ୍ରିଲ୍ ୫ ତାରିଖରେ ହୋଇଥିଲା। ଦିବ୍ୟା ଯେଉଁ ସମୟରେ କ୍ୟାରିଅରର ଟପରେ ପହଞ୍ଚିଥିଲେ, ସେହି ସମୟରେ ସେ ବିଖ୍ୟାତ ପ୍ରଯୋଜକ ସାଜିନ୍ ନାଡ଼ିଆଡୱାଲାଙ୍କୁ ବିବାହ କରିଥିଲେ। ତାଙ୍କର ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ରୂପ ଦିଆଯାଇଥିଲା। ହେଲେ ମୃତ୍ୟୁ ପ୍ରକୃତରେ କିପରି ହୋଇଥିଲା, ତା ଆଜିଯାଏଁ ଜଣାପଡ଼ିନି।
ସିଲ୍କ ସ୍ମିତା
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସେକ୍ସ ଗଡ ବୋଲି କୁହାଯାଉଥିଲେ ସିଲ୍କ ସ୍ମିତା। ତାଙ୍କର ପ୍ରକୃତ ନାମ ହେଲା ବିଜୟଲକ୍ଷ୍ମୀ ବିଦଲାନି। ସିଲ୍କା ପ୍ରାୟ ୨୨ବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ୧୯୯୬ ମସିହା ସେପ୍ଟେମ୍ବର ୨୩ ତାରିଖରେ ତାଙ୍କର ମୃତ ଦେହ ଚେନ୍ନାଇ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଥିଲା। ତେବେ ସେ କାହିଁକି ଆତ୍ମହତ୍ୟା କରିଥିଲେ ବା କିଏ ତାଙ୍କୁ ହତ୍ୟା କରିଥିଲା, ତାହା ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି। ସେହି ରହସ୍ୟରୁ ଏଯାଏଁ ପରଦା ହଟିନାହିଁ।
ତେବେ କୁହାଯାଏ ଯେ ସିଲ୍କା ଜୀବନର ଶେଷ ସମୟରେ ବିଭିନ୍ନ ସମସ୍ୟା ନେଇ ଗତି କରୁଥିଲେ। ଏଥିମଧ୍ୟରେ ତାଙ୍କର ଆର୍ଥିକ ସଙ୍କଟ ଓ ପ୍ରେମ ବ୍ୟାପାରରେ ବିଫଳତା ଥିଲା ବୋଲି ମଧ୍ୟ ଶୁଣିବାକୁ ମିଳେ। ସିଲ୍କ ସ୍ମିତା ଅନେକ ଦିନ ଧରି ଡିପ୍ରେସନକୁ ଚାଲିଯାଇଥିଲେ।
ଗୁରୁ ଦତ୍ତ
‘ପ୍ୟାସା’, ‘କାଗଜ କେ ଫୁଲ୍’, ‘ସାହେବ ବିବି ଔର୍ ଗୁଲାମ୍’ ଓ ‘ଚୌଦ୍ନି କା ଚାନ୍ଦ୍’ ଭଳି ବହୁଚର୍ଚ୍ଚିତ ସିନେମାର ନାୟକ ଗୁରୁଦତ୍ତଙ୍କ ମୃତ୍ୟୁ ବି ବେଶ୍ ରହସ୍ୟଜନକ ମନେ ହୁଏ। ୧୯୬୪ ମସିହା ଅକ୍ଟୋବର ୧୦ ତାରିଖରେ ମୁମ୍ବାଇରେ ଥିବା ଉଡ଼ା ଘରେ ଗୁରୁଦତ୍ତଙ୍କ ମୃତଦେହ ମିଳିଥିଲା। ସେ ପ୍ରଚୁର ମଦ୍ୟପାନ ସହିତ ନିଦ ବଟିକା ସେବନ କରିଥିବା ହେତୁ ମୃତ୍ୟୁବରଣ କରିଥିଲେ ବୋଲି କୁହାଯାଏ। ମୃତ୍ୟୁବେଳକୁ ଏହି ନାମୀ ଅଭିନେତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। କିନ୍ତୁ ୧୩ ବର୍ଷର ସ୍ୱଳ୍ପ କ୍ୟାରିଅର୍ ଭିତରେ ସେ ସଫଳତାର ଉଚ୍ଚତମ ସୋପାନରେ ପହଞ୍ଚିଥିଲେ। ତାଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ବୋଲି ମଧ୍ୟ କୁହାଗଲା। ମୃତ୍ୟୁ ପୂର୍ବଦିନ ଗୁରୁ ଦତ୍ତ ବେଶ୍ ଆନନ୍ଦିତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ ଯାହା ହେଉନା କାହିଁକି ଗୁରୁ ଦତ୍ତଙ୍କର ମୃତ୍ୟୁ ରହସ୍ୟ ଏଯାବତ୍ ଉନ୍ମୋଚିତ ହୋଇପାରିନାହିଁ।
















