ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗାକୁ ଦେଖିବା ପରେ କଳ୍ପବଟ୍ଟ ଛାଇ ତଳେ ବିଶ୍ରାମ ନେଉଥିବା ଜଣେ ଭକ୍ତ ଆଖି ବୁଜିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ଆରପାରିକୁ ଚାଲିଯିବା ପାଇଁ ସବୁ ମଣିଷଙ୍କର ଇଚ୍ଛା ଥାଏ। ହେଲେ ଏହି ସୌଭାଗ୍ୟ ଖୁବ୍ କମ୍ ଲୋକଙ୍କୁ ମିଳିଥାଏ। ହେଲେ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଏହି ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରି ସାରିବା ପରେ କଳ୍ପବଟ୍ଟ ମୂଳେ ଆଖି ବୁଜିଛନ୍ତି।

କେନ୍ଦ୍ରାପଡ଼ା ଅଞ୍ଚଳର ଅଜୟ କୁମାର ଦାସ। ବୟସ ୭୫ ବର୍ଷ। ପୂରା ପରିବାର ସହ ମଙ୍ଗଳବାର ଆସିଥିଲେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଦର୍ଶନ କରିବା ପାଇଁ। ତିନି ଠାକୁରଙ୍କୁ ଦର୍ଶନ କଲେ। ମନ୍ଦିର ଚାରିପଟେ ବୁଲୁଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଲା। ସେ କଳ୍ପବଟ୍ଟ ଛାଇ ତଳେ ବିଶ୍ରାମ ନେଇଥିଲେ।

ବିଶ୍ରାମ ନେଉ ନେଉ ଅଜୟଙ୍କୁ ନିଦ ହୋଇ ଯାଇଥିଲା। ଅପରାହ୍ଣରେ ଘରକୁ ଯିବା ପାଇଁ ଯେତେବେଳେ ପରିବାରବର୍ଗ ଅଜୟଙ୍କୁ ଉଠାନ୍ତି ସେ ଆଉ ଉଠି ନଥିଲେ। ପରିବାରବର୍ଗ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

ଅଜୟ ଦାସଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ଅଧିକ ଖରା କିମ୍ବା ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Comment