ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ସୁଲଭ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ପ୍ରଦାନ ସରକାରଙ୍କ ପ୍ରାଥମିକତା
  • ମେଡିକାଲ କଲେଜ ପ୍ରତିଷ୍ଠା, ଭିତ୍ତିଭୂମି ବିକାଶ ଓ ନୂତନ ସ୍ଵାସ୍ଥ୍ୟସେବା ଯୋଜନା
  • ଯୋଜନାର ସଫଳତା ଲାଗି ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମେ-୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର କରିଥିବା ସମୀକ୍ଷା ବୈଠକ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ସଚିବ ଡକ୍ଟର ପ୍ରମୋଦ ମେହେର୍ଦ୍ଦା, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ବିଭୁ ପ୍ରସାଦ ରାଉତରାୟ, ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେ ଶିକା ଶାଳିନୀ ପଣ୍ଡିତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି  ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଖାଲି ଥିବା ପଦବୀ ପୂରଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ଏବଂ କାର୍ଯ୍ୟକାରୀ କରାଯାଇଥିବା ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା ନିମନ୍ତେ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪ ମସିହା ମଇ ମାସଠାରୁ  ବିଗତ ୪ ବର୍ଷ ମଧ୍ୟରେ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ଵରେ ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ଦିଗରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟବାସୀଙ୍କୁ ସୁଲଭ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ପ୍ରଦାନ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି।

ରାଜ୍ୟ ସରକାର ଆରମ୍ଭରୁ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇବା ସହିତ ସ୍ଵାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ କରାଇବାକୁ ପ୍ରାଥମିକତା ପ୍ରଦାନ କରିଥିଲେ। ଏହି କ୍ରମରେ ବିନାମୂଲ୍ୟରେ ଔଷଧ ବିତରଣ ସେବା “ନିରାମୟ’’ ଯୋଜନାରେ ରାଜ୍ୟ ସରକାର ୨୦୧୪-୧୮ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାର ଔଷଧ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ତିନିକୋଟିରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିଛନ୍ତି।

ସ୍ଵାସ୍ଥ୍ୟବୀମା ସୁବିଧାକୁ ସାର୍ବଜନୀନ କରିବା ନିମନ୍ତେ ରାଜ୍ୟ ସରକାର ‘ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେଓ୍ବାଇ)’, ‘ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍)’, ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା(ଆରଏସବିଓ୍ବାଇ) ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (ସିଏମ୍‌ଆରଏଫ୍‌)ଭଳି ଯୋଜନାଗୁଡ଼ିକରେ ରାଜ୍ୟରେ ପ୍ରାୟ ୭୦ ଲକ୍ଷ ପରିବାରଙ୍କର ଚିକିତ୍ସା ନିମନ୍ତେ ୮୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି।

ରାଜ୍ୟରୁ ସ୍ଵାସ୍ଥ୍ୟସେବା  କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶମୂଳକ ପଦକ୍ଷେପ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହେଉଛି ୪ଗୋଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା। ଏଥିନିମନ୍ତେ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ  ବାରିପଦା, ଓ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜ, କୋରାପୁଟରେ ପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ ବାଲେଶ୍ଵର ଓ ବଲାଙ୍ଗୀର ମେଡିକାଲ କଲେଜରେ ଚଳିତ ଶିକ୍ଷାବର୍ଷଠାରୁ ନାମ ଲେଖା ଆରମ୍ଭ ହେବ।

ଓଡ଼ିଶା ଜନସାଧାରଣଙ୍କୁ ବିନା ମୂଲ୍ୟରେ ଉଚ୍ଚମାନର ସ୍ଵାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି। ‘ନିଦାନ’ ଯୋଜନାରେ ବିନା ମୂଲ୍ୟରେ ରୋଗ ନିରୂପଣ, ‘ସହାୟ’ ଯୋଜନାରେ ବିନା ମୂଲ୍ୟରେ ଡାୟାଲିସିସ, ୧୦୨ ଓ ୧୦୮ ଯୋଜନାରେ ବିନା ମୂଲ୍ୟରେ ଆମ୍ବୁଲାନ୍ସ ସେବା, ଜିଲ୍ଲାସ୍ତରରେ ବିନା ମୂଲ୍ୟରେ କେମୋଥେରାପି ଓ କର୍କଟ ରୋଗୀଙ୍କ ସେବା ଯତ୍ନ ନିମନ୍ତେ ଡେ କେୟାର କେନ୍ଦ୍ର ପ୍ରତିଷ୍ଠା, ‘ସୁନେତ୍ର’ ଯୋଜନାରେ ବିନାମୂଲ୍ୟରେ ଚକ୍ଷୁରୋଗ ଚିହ୍ନଟ ଓ ଚିକିତ୍ସା, ‘ଆମ କ୍ଲିନିକ୍’ ଜରିଆରେ ବିନା ମୂଲ୍ୟରେ ସହରାଞ୍ଚଳଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସାସେବା ପ୍ରଦାନ, ରକ୍ତ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ବିନା ମୂଲ୍ୟରେ ରକ୍ତ ଯୋଗାଣ ସହିତ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଯାତାୟତ ପାଇଁ ଆର୍ଥିକ ସହାୟତା ପ୍ରଦାନ, ରାଜ୍ୟର ଦୁର୍ଗମ ଓ ଅପହଞ୍ଚ  ଅଞ୍ଚଳଗୁଡ଼ିକରେ ଗର୍ଭବତୀ ମାଆମାନଙ୍କୁ ଡାକ୍ତରଖାନାରେ ପ୍ରସବ ନିମନ୍ତେ ୧୦୦୦ ଟଙ୍କାର ଯାତାୟତ ସହାୟତା ପ୍ରଦାନ ଏବଂ ‘ଖୁସି’ ଯୋଜନାରେ ବିଦ୍ୟାଳୟ ଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ସାନିଟାରୀ ନାପକିନ ପ୍ରଦାନ କରି ସମୟୋଚିତ ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ସ୍ଵାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

ଦୁର୍ଗମ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ‘ଦମନ’ ଯୋଜନାରେ ମ୍ୟାଲେରିଆ ନିୟନ୍ତ୍ରଣରେ ବିଶେଷ ସଫଳତା ହାସଲ କରିଛନ୍ତି। ସେହିପରି ‘ସମ୍ପୂର୍ଣ୍ଣ ଯୋଜନା’ରେ ସରକାରୀ ଡାକ୍ତରଖାନାରେ ପ୍ରସବ ଓ ଟୀକାକରଣ ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବା ସହିତ ନବଜାତ ଶିଶୁ ମୃତ୍ୟୁ ହାରରେ ବିଶେଷ ହ୍ରାସ ଘଟିଛି। ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ଡିଜିଟାଲ୍ ଜ୍ଞାନକୌଶଳର ବ୍ୟବହାର ପୂର୍ବକ ଟେଲି ମେଡିସିନ ବ୍ୟବସ୍ଥା ଜରିଆରେ ‘ଡିଜିଟାଲ ଡିସପେନସାରି’ ପ୍ରତିଷ୍ଠା କ୍ରମେ ସ୍ଵାସ୍ଥ୍ୟସେବା ପ୍ରଦାନକୁ ତ୍ଵରାନ୍ଵିତ କରାଯାଇଛି।

ସ୍ଵାସ୍ଥ୍ୟସେବା ଦିଗରେ ମାନବ ସମ୍ବଳ ବିକାଶକୁ ଗୁରୁତ୍ଵ ପ୍ରଦାନ କରି ରାଜ୍ୟ ସରକାର ୨୬୬୨ଟି ନୂତନ ଡାକ୍ତର ପଦବୀ ଓ ୫୭୧୯ଟି ପାରାମେଡିକ ପଦବୀ ସୃଷ୍ଟି କରିଛନ୍ତି। ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଡାକ୍ତରମାନଙ୍କ ଉପସ୍ଥିତି ବୃଦ୍ଧି ନିମନ୍ତେ ସ୍ଥାନର ଭୌଗୋଳିକତା ଭିତରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା କରାଯାଇଛି। ‘ଆଶା କଲ୍ୟାଣ ଯୋଜନା’ରେ ଆଶାମାନଙ୍କର ସାମାଜିକ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ଵାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଉନ୍ନତି ନିମନ୍ତେ ନୂତନ ନିର୍ମାଣ, ମରାମତି, ଉନ୍ନତିକରଣ ଓ ନବୀକରଣ ମାଧ୍ୟମରେ ଭିତ୍ତିଭୂମି ବିକାଶ ଉପରେ  ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି। ‘ନିର୍ମଳ’ ଯୋଜନାରେ ସ୍ଵାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପରିଷ୍କାର ପରିଛନ୍ନତା ଓ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here