ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆଡ଼ପ ପହଣ୍ଡି ସମୟରେ ହୋଇଥିବା ଅଘଟଣକୁ ନେଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ମଉକା ପାଇଛି ବିରୋଧୀ ବିଜେଡି। ଏହି ଘଟଣାକୁ ନେଇ ରାଜନୀତି ଜୋର୍ ଧରିଥିବାବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ରଥଯାତ୍ରା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଏକ ଚିଠିରେ ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଆଡ଼ପ ମଣ୍ଡପ ବିଜେ ସମୟରେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ଖସିପଡ଼ିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଆଘାତ କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହାର ଉତ୍ତର ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଆ ଅସ୍ମିତାର ପ୍ରତୀକ ନୁହନ୍ତି, ସେ ସାରା ଜଗତର ନାଥ। ଆଡ଼ପ ପହଣ୍ଡି ଅଘଟଣ ପାଇଁ ସାରା ଜଗତ ଦୁଃଖିତ। ଆପଣ ଏ ଘଟଣାର ମର୍ମାହତ ହେବା ସ୍ଵାଭାବିକ ଏବଂ ମୁଁ ବି ମର୍ମାହତ ହୋଇଛି। ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି।”

ଅନ୍ୟପଟେ ରଥଯାତ୍ରା ପରିଚାଳନାକୁ ଦୃଷ୍ଟିରେ ରଖି ଗୁରୁବାର ରାତିରେ ରାଜ୍ୟ ସରକାର ଏକ ଗରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଡକ୍ଟର ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ସେ ଶୁକ୍ରବାର ସକାଳେ ପୁରୀ ଯାଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ।

ରଥଯାତ୍ରାରେ ବାକି ଥିବା ଅନ୍ୟ ସବୁ କାମକୁ ସୁରୁଖୁରୁରେ କରିବା ପାଇଁ ସରକାରୀ ସ୍ତରରେ ବିଶେଷ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

ଏବେ ପହଣ୍ଡି ଅଘଟଣକୁ ନେଇ ସୋସିଆଲ ମଡିଆରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ମାମଲାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Tags: #AdapaMandapPahandi #NaveenPatnaik #MohanCharanMachi #CMOdisha #Puri 

LEAVE A REPLY

Please enter your comment!
Please enter your name here