ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଠାରେ ବୁଧବାର ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର କୃଷି ବିକାଶ ପାଇଁ ଏକ ବ୍ୟାପକ ଆଲୋଚନା କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ ଏବଂ ଅଧିକାରୀ ତଥା ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର କୃଷି ବିକାଶ ଏବଂ ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ୨୦ ପ୍ରତିଶତ ଭାଗରେ ପ୍ରାକୃତିକ ଚାଷ କରିବାକୁ ସେ ଆହ୍ୱାନ ଦେଇଥିଲେ।
“ଚାଷୀ ହେଉଛନ୍ତି ଆମର ଅନ୍ନଦାତା। ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ପ୍ରଗତିର ଇନ୍ଧନ ସାଜିବ। ଏଥି ନିମନ୍ତେ ମାଟିର ସୁରକ୍ଷା ପାଇଁ ଆମକୁ ରାସାୟନିକ ସାରର ବ୍ୟବହାର କମାଇବାକୁ ପଡ଼ିବ”, କହିଛନ୍ତି ମନ୍ତ୍ରୀ ଶିବରାଜ ସିଂ ଚୌହାନ।

ଏହି ଅବସରରେ ସେ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ସହ ଏଥିପାଇଁ କେନ୍ଦ୍ର ସରକାର ଖୁବ୍ଶୀଘ୍ର ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଆସିବ ବୋଲି ସୂଚନା ଦେଇଛନ୍ତି।
ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ପାରମ୍ପରିକ ଖାଦ୍ୟ ଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସରକାର ସ୍ୱତନ୍ତ୍ର ପ୍ରୟାସ କରୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବର୍ତ୍ତମାନ ଜୈବିକ ଚାଉଳ ବ୍ୟବହାର କରାଯିବା ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ।
“ଓଡ଼ିଶାର ସମସ୍ତ ୫୮ଟି ସବ୍-ଡିଭିଜନରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କୃଷି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଛି। ଓଡ଼ିଶାରେ ୧୮୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ଗତ ଦୁଇ ବର୍ଷରେ ୧୨୬ କୋଟି ଟଙ୍କାର କାରବାର କରିଛନ୍ତି। ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢ଼ାଇବା ପାଇଁ ଏହାର ବ୍ରାଣ୍ଡିଂକୁ ଆହୁରି ମଜବୁତ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୂର୍ବ ଭାରତରେ କୃଷି ଉତ୍ପାଦକତା ବୃଦ୍ଧି କରିବା ପାଇଁ ଏହି ସମ୍ମିଳନୀ ଏକ ବଡ଼ ସୁଯୋଗ ଆଣିଦେଇଛି। ଏହି ପ୍ରୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ମିଶନକୁ ସଫଳ କରିବା ସହ ପୂର୍ବ ଭାରତର ୫ଟି ରାଜ୍ୟକୁ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକଟ କରିଛନ୍ତି।
ଏହି ସମ୍ମିଳନୀରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଓ ଭାଗୀରଥ ଚୌଧୁରୀ, ବିହାରର କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା, ଛତିଶଗଡ଼ର କୃଷିମନ୍ତ୍ରୀ ରାମବିଚାର ନେତମ, ପଶ୍ଚିମବଙ୍ଗର ଖାଦ୍ୟଯୋଗାଣ ତଥା ସମବାୟ ମନ୍ତ୍ରୀ ଅଶୋକ କୀର୍ତ୍ତନିଆ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ସଚିବ ଅତୀଶ ଚନ୍ଦ୍ର ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
Tags: #EasternZonalAgricultureConference2026 #OdishaAgriculture #FarmersFirst #NaturalFarming #Bhubaneswar


















