ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ୨୦୧୯ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଥିଲା।

ଏଥିରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା, ପୋଲିସ କମିସନର ସୁଧାଂଶୁ ଶେଖର ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ଯୋଗ ଦେଇଥିଲେ।

ବରିଷ୍ଠ ନାଗରିକମାନଙ୍କୁ ସଠିକ୍ ସେବା ପ୍ରଦାନ ଓ ସଚେତନତା ସୃଷ୍ଟି ନିମନ୍ତେ କଟକ ବରିଷ୍ଠ ନାଗରିକ ମହାସଭାକୁ ପୁରସ୍କୃତ କରାଯାଇଥିଲା। ବଲାଙ୍ଗୀରର ନରସିଂହ ପ୍ରସାଦ ଗୁରୁଙ୍କୁ ସମାଜସେବା ଓ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ପ୍ରଦାନ କରାଯାଇଥିଲା।

ରାୟଗଡାର ଗୋଲକନାଥ ବେହେରାଙ୍କୁ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ସମାଜ ସେବା, ଗୋଷ୍ଠୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

ଫୁଲବାଣୀର ଦେବାନନ୍ଦ ପାତ୍ରଙ୍କୁ କ୍ରୀଡ଼ା ଓ ଦୁଃସାହସିକ କାର୍ଯ୍ୟ ନିମନ୍ତେ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ନଗେନ୍ଦ୍ର କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବ୍ୟକ୍ତିଗତ ସେବା ଉଦ୍ୟମ ନିମନ୍ତେ ପୁରସ୍କୃତ କରାଯାଇଥିଲା।

ବରିଷ୍ଠ ନାଗରିକମାନେ ସର୍ବଦା ସୁସ୍ଥ ଓ ନିରୋଗ ରହିବା ନିମନ୍ତେ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରିଥିଲେ। ଅଭିନେତା ସବ୍ୟସାଚୀ ମିଶ୍ର ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ।

Comment