ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ା ଜିଲ୍ଲା ସମ୍ମାନିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟ ଅଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଭିନ୍ନକ୍ଷମ ଭତ୍ତା ଓ ସଶକ୍ତିକରଣ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି।

ଏହି ମାନଦଣ୍ଡକୁ ଆଧାର କରି ଇଣ୍ଡିଆ ଟୁଡେ ଗ୍ରୁପ ତରଫରୁ ରାୟଗଡ଼ା ଜିଲ୍ଲାକୁ ଚୟନ କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ପ୍ରତି ବର୍ଷ ବିଭିନ୍ନ ଜିଲ୍ଲାକୁ ପୁରସ୍କୃତ କରାଯାଏ। ଚଳିତ ବର୍ଷ ଓଡ଼ିଶାରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିଟ୍ ବିଶ୍ୱବିଦ୍ୟାଳୟଠାରେ ଅୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଇଣ୍ଡିଆ ଟୁଡ଼େ ଗ୍ରୁପ୍ ଏଡିଟର ରଜ ଚେଙ୍ଗପ୍ପା ଯୋଗଦେଇ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୁରସ୍କୃତ କରିଥିଲେ।

ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସ୍ୱାସ୍ଥ୍ୟ ଓ ଡିଜିଟାଲ କଭରେଜ ପାଇଁ ସମ୍ବଲପୁର ଜିଲ୍ଲା, ଶିକ୍ଷା, ଦକ୍ଷତା ଵୃଦ୍ଧି, ପରିମଳ ଓ ଆର୍ଥିକ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା, ଭିତ୍ତିଭୂମି ପାଇଁ ଝାରସୁଗୁଡ଼ା, କୃଷି ପାଇଁ ବରଗଡ଼, ଆଇନ ଶୃଙ୍ଖଳା ପାଇଁ ଗଞ୍ଜାମ ଏବଂ ନାରୀ ଶିକ୍ଷା ପାଇଁ ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରାଯାଇଛି।

Tags: #RayagadaDist #Award #SocialSecurity #CMOdisha #NaveenPatnaik #RayagadaCollector

LEAVE A REPLY

Please enter your comment!
Please enter your name here