ଓଡ଼ିଶାଲାଇଭ୍ ବ୍ୟୁରୋ

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ମୁମ୍ବାଇସ୍ଥିତ କୋକିଲା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର କରାଯିବ।
ନବୀନ ପଟ୍ଟନାୟକ ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଥିଲେ। ନବୀନ ଲେଖିଥିଲେ, “ମୁଁ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛି। ମୋର ବ୍ୟକ୍ତିଗତ ଡାକ୍ତର, ଡାକ୍ତର ରମାକାନ୍ତ ପଣ୍ଡା ଏହାର ତତ୍ୱାବଧାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଶୁଭେଚ୍ଛାକୁ ସାଥିରେ ନେଇ ମୁଁ ମୁମ୍ବାଇ ଯାଉଛି। ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରି ଆସିବି।”
ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ ବାହାରି ବିମାନବନ୍ଦର ଯିବା ବେଳେ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ସମସ୍ତେ ନବୀନଙ୍କ ଆରୋଗ୍ୟ କାମନା କରିବା ସହ ସଫଳ ଅସ୍ତ୍ରୋପଚାର ପାଇଁ ପ୍ରାର୍ଥନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, “ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କ ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭ କରି ଉତ୍ତମ ସ୍ଵାସ୍ଥ୍ୟ ଲାଭ କରନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”
Tags: #NaveenPatnaik #BJDChief #Treatment #CervicalArthritis #Odisha #Mumbai