ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ଵର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟକାରୀ ହୋଇଛି। ଏହାଛଡ଼ା ମଧୁବାବୁ ପେନସନ ଯୋଜନାରେ ହିତ୍ୟଧିକାରୀଙ୍କ ସଂଖ୍ୟା ବଢ଼ି ୨୮ ଲକ୍ଷ ୩୭ ହଜାରରେ ପହଞ୍ଚିଛି। ଏନେଇ ବୁଧବାର ଦିନ ହୋଇଥିବା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କାର୍ଯ୍ୟ ସମୀକ୍ଷାରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଏହି ସମୀକ୍ଷା କରିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ ୪ ବର୍ଷରେ କରାଯାଇଥିବା କାର୍ଯ୍ୟଗୁଡ଼ିକ କେତେ ସଫଳ ହୋଇଛି ତାହା ଏଠାରେ ଦେଖା ଯାଇଥିଲା। ଏଠାରେ ୨୦୧୯ ନିର୍ବାଚନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

“ଓଡ଼ିଶା ସରକାର ରାଜ୍ୟରେ ଭିନ୍ନକ୍ଷମଙ୍କ ସଶକ୍ତିକରଣକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ଗତ ୪ ବର୍ଷରେ ଓଡ଼ିଶାର ବିଭିନ୍ନ ବ୍ଲକରେ ୧୪୪୦ଟି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଛି। ଏଥିରୁ ୨ ଲକ୍ଷ ୫୬ ହଜାର ୨୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ସୁବିଧା ପାଇଛନ୍ତି। ଏହାଛଡ଼ା ଓଡ଼ିଶାରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକୁ ୫-ଟି ରୂପାନ୍ତରିତ ବିଦ୍ୟାଳୟରେ ବଦଳାଇବା ପାଇଁ ଯୋଜନା କରାଯାଇଛି”, କହିଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ଭୁବନେଶ୍ଵର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ (ମନୋଦୟ) କାର୍ଯ୍ୟକାରୀ ହୋଇଛି। ଏହିପରି ଆଉ ୮ଟି କେନ୍ଦ୍ରର ନିର୍ମାଣ ଚାଲିଛି। ସେହିପରି ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମମାନଙ୍କ ଥଇଥାନ ପାଇଁ ଓଡ଼ିଶାରେ ପ୍ରସ୍ତାବିତ ୧୦ଟି ସମନ୍ୱିତ ଭିତ୍ତିଭୂମି କେନ୍ଦ୍ର (ଶ୍ରଦ୍ଧାଳୟ)ରୁ ଏବେ ୬ଟି କାର୍ଯ୍ୟକ୍ଷମ ହୋଇଛି। ଏହାଛଡ଼ା ରାଜ୍ୟରେ ଏବେ ୮୩ଟି ବୃଦ୍ଧାଶ୍ରମ, ୨୪ ଟି ଭିକ୍ଷୁକ ଥଇଥାନ କେନ୍ଦ୍ର ଓ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ୭୩ଟି କେନ୍ଦ୍ର କାର୍ଯ୍ୟ କରୁଛି।”

ସେ ଆହୁରି କହିଛନ୍ତି, “ଓଡ଼ିଶାରେ ଭିନ୍ନକ୍ଷମ ଓ ଅନ୍ୟ ଅସହାୟ ଲୋକମାନଙ୍କୁ ଦିଆଯାଉଥିବା ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢ଼ି ଏବେ ୨୮ ଲକ୍ଷ ୩୭ ହଜାରରେ ପହଞ୍ଚିଛି। ଗତ ୪ ବର୍ଷରେ ଏଥିରେ ୧୪ ହଜାର ୭୧୯ ଜଣ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଏହି ଯୋଜନା ଅଧିନରେ ଏବେ କିନ୍ନର, କୋଭିଡରେ ଆକ୍ରାନ୍ତ ପରିବାରର ଅନାଥ ଶିଶୁ ଓ ବିଧବାମାନେ ମଧ୍ୟ ଭତ୍ତା ପାଉଛନ୍ତି।”

ଭିନ୍ନକ୍ଷମ ସଶକ୍ତିକରଣ ଛଡ଼ା ବିଭାଗ ପକ୍ଷରୁ ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।

ଏହି ସମୀକ୍ଷାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହନୀ ଓ ନିର୍ଦେଶକ ବ୍ରତତୀ ହରିଚନ୍ଦନ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

Tags: #SSEPD #SocialSecurity #PersonswithDisabilities #Empowerment #Odisha

Comment