ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ରାତିରେ ଫିଲ୍ମ ଷ୍ଟାଇଲେ ଜଣେ ଯୁବକକୁ ହାଣିଲେ ଦୁର୍ବୃତ୍ତ।

ଆଲୋକର ପର୍ବ ଦୀପାବଳିରେ ସାରା ରାଜ୍ୟ ହୋଇ ଉଠିଥିଲା ଉତ୍ସବମୁଖର। ଦୀପ ଜାଳି ବାଣ ଫୁଟାଇ ଲୋକେ ଉତ୍ସବ ପାଳୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ।

୧୫ରୁ ୨୦ ଯୁବକ ଭୁବନେଶ୍ୱର କପିଳ ପ୍ରସାଦ ଅଞ୍ଚଳରେ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଏଥିରେ ସେହି ଯୁବକ ଜଣକ ପ୍ରାଣ ହରାଇଥିଲେ। ମୃତ ଯୁବକ ଜଣ ହେଲେ ଅମରେଶ ନାୟକ।

ଅମରେଶ ଦୀପାବଳି ରାତିରେ କପିଳ ପ୍ରସାଦ ଅଞ୍ଚଳରେ ସାଙ୍ଗ ମାନଙ୍କ ସହ ମିଶି ରାସ୍ତା କଡ଼ରେ ଭୋଜି କରୁଥିଲେ। ଗୋଟିଏ ପଟେ ଭୋଜି ରନ୍ଧା ଚାଲିଥିଲା ଏବଂ ଅନ୍ୟପଟେ ବାଣ ଫୁଟାଇ ଉତ୍ସବ ପାଳୁଥିଲେ ଅମରେଶ ଏବଂ ତାଙ୍କ ସାଙ୍ଗ।

ଏହି ସମୟରେ ୧୦ରୁ ୧୨ ଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। ତାଙ୍କ ଦେହରେ ବାଣ ଛିଟ୍‌କା ପଡ଼ିବାରୁ ସେମାନେ ଆସି ଅମରେଶ ଓ ତାଙ୍କ ସାଙ୍ଗମାନଙ୍କ ସହ ଯୁକ୍ତି କରିଥିଲେ। ବିବାଦ ବଢ଼ିଥିଲା। ଟାର୍ଗେଟକୁ ଆସିଥିଲେ ଅମରେଶ।

ଏହି ୧୦ରୁ ୧୨ ଜଣ ଯୁବକ ଅମରେଶ ଓ ତାଙ୍କ ସାଙ୍ଗମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅମରେଶଙ୍କ ସାଙ୍ଗମାନେ ଦୌଡ଼ି ପଳାଇଥିଲେ। ଅମରେଶ ବି ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ରକ୍ଷା ପାଇ ନଥିଲେ। ସେହି ୧୨ ଜଣ ଯୁବକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଅମରେଶ। ମାଡ଼ ମାରି ଲହୁଲୁହାଣ କରିଦେଲେ। ଶେଷରେ ଅମରେଶଙ୍କ ଜୀବନ ଚାଲି ଯାଇଥିଲା।

ଏମ୍‌ବିଏ ଶେଷ କରିବା ପରେ ଅମରେଶ ଭୁବନେଶ୍ୱରରେ ଏକ କନସଲଟାନ୍ସି ଫାର୍ମ କରିଥିଲେ। ଅମରେଶଙ୍କ ମୃତ୍ୟୁ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି।

ଟୁଇନ୍‌ ସିଟିକୁ ଅପରାଧମୁକ୍ତ କରିବା ପାଇଁ କମିସନରେଟ୍‌ ପୋଲିସ ଯୋଜନା କରୁଛି। ହେଲେ ଦୀପାବଳି ରାତିରେ ଏୟାରଫିଲ୍ଡ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଫିଲ୍ମ ଷ୍ଟାଇଲରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ହାଣିବା କମିସନରେଟ୍‌ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

Comment