ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୭ ମସିହାରେ ଘଟିଥିବା ବୁଡ଼ୁ ପାତ୍ର ହତ୍ୟା ମାମଲାର ବିଚାର କରି ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧। ଏହା ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ଜୋରିମାନା ଅନାଦେୟ ଅଧିକ ୧୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି।

ବୁଡ଼ୁ ପାତ୍ର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମର ଆର ହରି ପାତ୍ର, ଆର ଲୋକନାଥ ପାତ୍ର, ଏମ ଦଣ୍ଡ ପାତ୍ର, କେ ବଇରୀ ପାତ୍ର, କେ ଭୀମ ପାତ୍ର, ଏମ ସୋମେଶ ପାତ୍ର, ବି ନୋଇ ପାତ୍ର ଓ ବି ଭାସ୍କର ପାତ୍ର।

ଆମ୍ବଗଡ଼ ଗ୍ରାମର ବୁଡ଼ୁ ପାତ୍ର ସହ ଆର ହରି ପାତ୍ରଙ୍କର ପୂର୍ବରୁ ଶତ୍ରୁତା ରହିଥିଲା। ବୁଡ଼ୁ ପାତ୍ର ୨୦୧୭ ମସିହା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ହରି ପାତ୍ର ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ସେହିଦିନ ରାତି ୧୦ଟାରେ ଗାଁ କୋଠଘରେ ଏକ ବୈଠକ ଡକାଯାଇଥିଲା। ବୁଡ଼ୁ ସେଠାରେ ପହଞ୍ଚିବା ପରେ ହରି ପାତ୍ର ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ମିଶି ବୁଡ଼ୁଙ୍କୁ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଯାଇଥିଲେ ବୁଡ଼ୁ ପ୍ରାତ୍ର। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଡ଼ୁଙ୍କର ମୃତ୍ୟୁ ହୋଇଥିଲା।

ପରେ ମୃତକଙ୍କ ଭାଇ ଲୁଡ଼ୁ ପାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟ କ୍ରମେ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ଅଭିଯୁକ୍ତ ୨୦୨୦ ମସିହାରେ ଜାମିନରେ ମୁକୁଳି ଥିଲେ।

ଏହି ମାମଲାର ବିଚାର ସମୟରେ ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡକ୍ଟର ଇନ୍ଦୁ ଶର୍ମା। ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନରଞ୍ଜନ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Tags: #Bramhapur #MurderCase #BuduPatra #Crime #LifeImprisonment #Killer

Comment