ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରେମ ପାଇଁ ନିଜ ସାଙ୍ଗକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ଆଉ ଜଣେ ସାଙ୍ଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ। ଗିରଫ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଆ ଗ୍ରାମର ସୁଶିଲ ମାଝି।

ଫେବ୍ରୁଆରି ୧୦ ତାରିଖରେ କେନ୍ଦୁଆ ଗ୍ରାମର ଶିବଶଙ୍କରଙ୍କ ପରିବାର ଲୋକେ ଢାବଲ ନାଚ ଦେଖିବାକୁ ଯାଇଥିଲେ। ନାଚ ଦେଖି ପରିବାର ଲୋକେ ଘରକୁ ଫେରିଥିବା ବେଳେ କେବଳ ଶିବଶଙ୍କର ପଡ଼ିଆରେ ରହିଥିଲେ। ତେବେ ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ ଶିବଶଙ୍କର। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଶିବଶଙ୍କରଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଦୀର୍ଘ ସମୟ ଧରି ଖୋଜିବା ପରେ ଗାଁ ମୁଣ୍ଡରେ ଶିବଶଙ୍କରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ତେବେ ଶିବଶଙ୍କରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହି ହତ୍ୟା ଘଣଟଣାରେ ମୃତ ଶିବଶଙ୍କରଙ୍କ ସାଙ୍ଗ ସୁଶିଲଙ୍କର ସମ୍ପୃକ୍ତି ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ସୁଶିଲଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରିବାରୁ ସେ ଶିବ ଶଙ୍କରଙ୍କୁ ଅତ୍ୟଧିକ ମଦ ପିଆଇବା ପରେ ହତ୍ୟା କରିଥିବା ସ୍ଵୀକାର କରିଥିଲେ। ଶୁକ୍ରବାର ଦିନ ଅଭିଯୁକ୍ତ ସୁଶିଲଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ।

Tags: #Mayurbhanj #Baripada #Murdercase #PoliceCase #Odisha

Comment