ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗାଁରେ ଜାନୁଆରି ୨ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର କାରଣ ଜଣାପଡ଼ିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି।

ମଙ୍ଗଳବାର ଦିନ ଶଗଡ଼ଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହଙ୍କୁ ଲୁହାଛଡ଼ରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୋମନାଥ ଲାଠଙ୍କୁ ଗୁରୁବାର ଦିନ ଯାଜପୁରରୁ ଗିରଫ କରାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମିରଞ୍ଜନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଛନ୍ତି ଅଭିଯୁକ୍ତ। ଅଭିଯୁକ୍ତ ସୋମନାଥ ଜଣେ କିନ୍ନର ବୋଲି ଜଣାପଡ଼ିଛି।

ରଶ୍ମିରଞ୍ଜନ ଏବଂ ସୋମନାଥ ଉଭୟ ନାଟକ କଳାକାର। ଗତ ୨୦୧୭ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପଟେ ସୋମନାଥ ରଶ୍ମିରଞ୍ଜନଙ୍କ ଜୀବନ ସାଥୀ ହେବାକୁ ସ୍ଵପ୍ନ ଦେଖୁଥିଲେ। କିଛି ଦିନ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ରଶ୍ମିରଞ୍ଜନଙ୍କର ସମ୍ପର୍କ ଗଢ଼ିଉଠିଥିଲା। ଏକଥା ସୋମନାଥ ଜାଣିବା ପରେ ରଶ୍ମିରଞ୍ଜନଙ୍କ ସହ ଝଗଡ଼ା କରିଥିଲେ।

ସୋମବାର ଦିନ ନୂଆବର୍ଷ ଅବସରରେ ଏକ ନାଟକରେ ଅଭିନୟ କରିବା ପାଇଁ ରଶ୍ମିରଞ୍ଜନ ରଣପୁର ବ୍ଲକର ଚମ୍ପତ୍ତିପୁର ଗାଁକୁ ଯାଇଥିଲେ। ତାଙ୍କ ସହ ସୋମନାଥ ମଧ୍ୟ ଯାଇଥିଲେ। ମଙ୍ଗଳବାର ସକାଳୁ ଉଭୟ ରଶ୍ମିରଞ୍ଜନ ଏବଂ ସୋମନାଥ ଘରକୁ ଫେରିଥିଲେ। ନିତ୍ୟକର୍ମ ସାରି ଉଭୟ ଶୋଇ ଯାଇଥିଲେ।

ଏହା ପୂର୍ବରୁ ଅନ୍ୟ ଝିଅ ସହ ରଶ୍ମିରଞ୍ଜନଙ୍କର ସମ୍ପର୍କକୁ ନେଇ ଝଗଡ଼ା ଆରମ୍ଭ କରିଥିଲେ ସୋମନାଥ। ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଏକ ଲୁହାଛଡ଼ରେ ରଶ୍ମିରଞ୍ଜନଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ ସୋମନାଥ। ଏହା ପରେ ଘଟଣାସ୍ଥଳରେ ହିଁ ସବୁଦିନ ପାଇଁ ରଶ୍ମିରଞ୍ଜନ ଆଖିବୁଜି ଦେଇଥିଲେ। ଏହି ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ସୋମନାଥ।

ଘରେ କେହି ନଥିବା ସମୟରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା। ରଶ୍ମିରଞ୍ଜନଙ୍କ ମା’ ପୁଅକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇନଥିଲେ। ମଙ୍ଗଳବାର ଆପରାହ୍ଣରେ ମା’ ଘରକୁ ଫେରିବା ବେଳକୁ ଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ପୁଅ ଘର ଚାବି ପଡ଼ୋଶୀ ଘରେ ଦେଇଥିବ ଭାବି ରଶ୍ମିରଞ୍ଜନଙ୍କ ମା’ ପଡ଼ୋଶୀଙ୍କୁ ପଚାରି ଥିଲେ, କିନ୍ତୁ ସକାଳୁ ସେମାନେ ରଶ୍ମିରଞ୍ଜନଙ୍କୁ ଦେଖିନଥିବା କହିଥିଲେ। ଏହାକୁ ନେଇ ମା’ଙ୍କର ସନ୍ଦେହ ହେବାରୁ ପଡ଼ୋଶୀଙ୍କ ସହାୟତାରେ ଘରର ତାଲା ଭାଙ୍ଗି ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ରଶ୍ମିରଞ୍ଜନ। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ଏପଟେ ସୋମନାଥ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବା ସହ ଘରର ସବୁ ଗହଣା ଏବଂ ଟଙ୍କା ନେଇ ଫେରାର ହୋଇଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଥିଲା।

Tags: #MurderCase #DagadabhangaVillageKhordha #PoliceInvestigation

Comment