ଓଡ଼ିଶାଲାଇଭ୍ ବ୍ୟୁରୋ

ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଭୁବନେଶ୍ଵରରେ ଘଟିଯାଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା କୁହା ଗାଁ ନିକଟ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ବୁଧବାର ରାତିରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି କୁହା ଗାଁର ରଶ୍ମିରଞ୍ଜନ ସେଠୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଜୁଲୁ ସେଠୀ।

କ’ଣ ଥିଲା ପୂରା ଘଟଣା?

କଲ୍ୟାଣ ପ୍ଲାଜା ଆପାର୍ଟମେଣ୍ଟ ନିକଟରେ ରଶ୍ମି ରଞ୍ଜନ ସେଠୀଙ୍କର ଗୋଟିଏ ଦୋକାନ ଥିଲା। ପ୍ରତିଦିନ ଆପାର୍ଟମେଣ୍ଟ ସାମ୍ନାରେ ଥିବା ଫାଙ୍କା ଜାଗାରେ ରଶ୍ମି ରଞ୍ଜନ ନିଜ କାର ରଖି ଦୋକାନକୁ ଯାଇଥାନ୍ତି। ବୁଧବାର ସନ୍ଧ୍ୟାରେ ମଧ୍ୟ ସବୁଦିନ ପରି ସେହି ସ୍ଥାନରେ ନିଜ କାର ରଖିଥିଲେ ରଶ୍ମିରଞ୍ଜନ। ସେଠାରେ କାର ନରଖିବାକୁ ଆପାର୍ଟମେଣ୍ଟର ମେଣ୍ଟେନାନ୍ସ ଦାୟିତ୍ଵରେ ଥିବା ଗଣେଶ ରଶ୍ମିରଞ୍ଜନଙ୍କୁ କହିଥିଲେ।

ଆପାର୍ଟମେଣ୍ଟ ସମ୍ମୁଖରୁ ଶ୍ରୀଘ୍ର କାର ହଟେଇବା ଲାଗି କହିବାରୁ ରଶ୍ମିରଞ୍ଜନ ଓ ଗଣେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରଶ୍ମିରଞ୍ଜନ ରାଗି ଯାଇ ଗଣେଶଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ପରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଦିନ ପୂର୍ବରୁ ମଧ୍ୟ ଆପାର୍ଟମେଣ୍ଟ ଆଗରେ ଗାଡ଼ି ପାର୍କିଂ କରିବାକୁ ନେଇ ରଶ୍ମିରଞ୍ଜନ ଏବଂ ଗଣେଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଗଣେଶ ଫୋନ କରି ଘଟଣା ସମ୍ପର୍କରେ କହିବା ସହ କେତେ ଜଣ ସହଯୋଗୀଙ୍କୁ ଡକାଇଥିଲେ। କିଛି ସମୟ ପରେ ଗଣେଶଙ୍କ ସହଯୋଗୀମାନେ ମାରଣାସ୍ତ୍ର ଧରି ଆପାର୍ଟମେଣ୍ଟ ସାମ୍ନାରେ ପହଞ୍ଚିବା ପରେ ରଶ୍ମିରଞ୍ଜନଙ୍କୁ ଧମକ ଚମକ ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରଶ୍ମିରଞ୍ଜନଙ୍କ ସାଙ୍ଗ ଜୁଲୁ ସେଠୀ ଉଭୟଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା। ଓଲଟି ଜୁଲୁଙ୍କ ଉପରକୁ ଗଣେଶଙ୍କ ସହଯୋଗୀମାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

ମାରଣାସ୍ତ୍ର ଦେଖି ଭୟରେ ରଶ୍ମିରଞ୍ଜନ ଏବଂ ଜୁଲୁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗଣେଶ ଏବଂ ତାଙ୍କ ସହଯୋଗୀମାନେ ରଶ୍ମିରଞ୍ଜନ ଏବଂ ଜୁଲୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରଶ୍ମିରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଜୁଲୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସ୍ଥଳରେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଓ ଏୟାରଫିଲ୍ଡ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତ ରଶ୍ମି ରଞ୍ଜନଙ୍କ ମା’ଙ୍କ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Bhubaneswar #Murder #DoubleMurder #Death #PoliceInvestigation

Comment