ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନା ଅନ୍ତର୍ଗତ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗାଁ ମଧ୍ୟରେ ଉପୁଜିଥିବା ବିବାଦ ହିଂସାର ରୂପ ନେଇଛି। ଏହାରି ମଧ୍ୟରେ ସ୍ଥିତି ଅନୁଧ୍ୟାନ ତଥା ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରିବାକୁ ଗୁରୁବାର ଦିନ ମାଲକାନଗିରି ଯାଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ସହ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମଧ୍ୟ ଯାଇଥିଲେ।
ମାଲକାନଗିରିରୁ ଫେରିବା ପରେ ଉପମୁଖ୍ୟ ମନ୍ତ୍ରୀ କେଭି ସିଂହ ଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଦୁଇ ଗୋଷ୍ଠୀଙ୍କ ସହ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଉଭୟ ଗୋଷ୍ଠୀ ନିଜ ନିଜର ଦାବିପତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ଶୁକ୍ରବାର ଦିନ ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର। କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଆରଡିସି କହିଛନ୍ତି।
ଧୀରେ ଧୀରେ ଏମଭି-୨୬ ଗାଁରେ ସ୍ଥିତି ସ୍ଵାଭାବିକ ହେଉଥିବା ବେଳେ ଗାଁ ଛାଡ଼ି ପଳାଇଥିବା ଲୋକେ ଫେରୁଛନ୍ତି। ତେବେ ଇଣ୍ଟରନେଟ କଟକଣାକୁ ଆହୁରି ୧୨ ଘଣ୍ଟା ବୃଦ୍ଧି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂରା ଗାଁ ଏବେ ସିସିଟିଭି ନଜରରେ ରହିଛି।
ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନଥିବାରୁ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ-୨୦୨୫କୁ ସ୍ଥଗିତ ରଖାଯାଇଛି।
କାହିଁକି ମୁଣ୍ଡ ଟେକିଲା ହିଂସା?
କେହି ଦୁର୍ବୃତ୍ତ ରାଖେଲଗୁଡ଼ା ଗ୍ରାମର ଲାକେ ପଡ଼ିଆମୀଙ୍କୁ ଅତିନିର୍ମମ ଭାବେ ହତ୍ୟା କରିଥିଲେ। ଏପରିକି ଶରୀରରୁ ତାଙ୍କ ମୁଣ୍ଡକୁ ଅଲଗା କରି ଫିଙ୍ଗି ଦେଇଥିଲେ। ଡିସେମ୍ବର ୪ ତାରିଖରେ ପୋଟେରୁ ନଦୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗ୍ରାମ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଦାବିରେ କୋରକୁଣ୍ଡା ଥାନା ଘେରାଉ କରିଥିଲେ ଶହ ଶହ ଆଦିବାସୀ।
ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଡିସେମ୍ବର ୭ ତାରିଖରେ ଏମଭି-୨୬ ଗାଁରେ ନିଆଁ ଲଗାଇ ଦେଇଥିଲେ ଆଦିବାସୀ। ଭୟରେ ଗାଁ ଛାଡ଼ି ଚାଲିଯାଇଥିଲେ ଏମଭି-୨୬ ଗାଁର ଲୋକେ।
ଏମଭି-୨୬ ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। ପୋଲିସ ଛାଉଣୀରେ ସାରା ମାଲକାନଗିରି ରହିଥିବା ବେଳେ ସାପ୍ତାହିକ ହାଟକୁ ବନ୍ଦ ରଖାଯାଇଛି। ସ୍ଥିତି ଉପରେ ଗୁଇନ୍ଦା ବିଭାଗ ଓ ପୋଲିସ ପକ୍ଷରୁ ତୀକ୍ଷ୍ନ ନଜର ରଖାଯାଇଛି। ଗ୍ରାମର କ୍ଷୟକ୍ଷତିର ଆକଳନ ପାଇଁ ୭ଟି ଟିମ୍ ଗଠନ କରାଯାଇଛି।
ଡିସେମ୍ବର ୯ ତାରିଖରେ ଆଦିବାସୀ ମହାସଂଘ ଏବଂ ବଙ୍ଗାଳି ସମାଜ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ବସିଥିଲା। ପୂର୍ବଭଳି ଉଭୟ ଗ୍ରାମର ଲୋକ ମିଳିମିଶି ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଡିସେମ୍ବର ୪ ତାରିଖରେ ଲାକେଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିବା ବେଳେ ଡିସେମ୍ବର ୧୦ ତାରିଖରେ ତାଙ୍କ କଟା ମୁଣ୍ଡକୁ ଠାବ କରାଯାଇଥିଲା। ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନଠାରୁ ୪୦ କିଲୋମିଟର ଦୂରରୁ କଟାମୁଣ୍ଡ ମିଳିଥିଲା।
କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରେ ଗୋଟିଏ କଟାମୁଣ୍ଡ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ କଟାମୁଣ୍ଡ ଜବତ କରି ତଦନ୍ତ ପାଇଁ ପଠାଇଥିଲା।
Tags: #Malkangiri #KVSinghDeo #Murder #CommunityClash #Odisha #Odishagovt


















