ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି।

ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଉଭୟ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଖିବୁଜା ଗୁଳି ମାଡ଼ ଜାରି ରହିଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ତିନିଜଣ ଟପ୍ ମାଓବାଦୀ କ୍ୟାଡରଙ୍କର ମୃତ୍ୟୁ ହୋଇଛି।

ମୃତ ମାଓବାଦୀମାନେ ହେଲେ ଗଜରାଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟ ଓରଫ ଅରୁଣା ଓ ଅଞ୍ଜୁ। ଅରୁଣା ସେଣ୍ଟ୍ରାଲ କମିଟିର ସଦସ୍ୟ ବୋଲି ଜଣାପଡ଼ିଛି। ରବି ଆନ୍ଧ୍ୟ-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ କମିଟି ସମ୍ପାଦକ ଥିବା ବେଳେ ଏହି କମିଟିର ବରିଷ୍ଠ ସଦସ୍ୟ ଥିଲା ଅଞ୍ଜୁ। ଅରୁଣା ଓ ରବି ଜାତୀୟ ତଦନ୍ତକାରୀ ସଂସ୍ଥାର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲେ। ରବି ଉପରେ ୨୫ ଲକ୍ଷ ଟଙ୍କା ଓ ଅରୁଣା ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ଘଟଣାସ୍ଥଳରୁ ଏକେ-୪୭ ରାଇଫଲ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ବିପୁଳ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ମରଡ଼ାପଲ୍ଲୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

Tags: #SearchOperation #MaoistKilled #MaradapalliForest #Malkangiri #AndhraPradesh

Comment