ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ହେଲା ଯେଉଁ ସାଙ୍ଗ ସହ ଗୋଟିଏ ଘରେ ରହିଆସୁଥିଲା, ସେହି ସାଙ୍ଗକୁ ଅତିନିର୍ମମ ଭାବେ ଏକ ଲୁହା ଛଡ଼ରେ ମୁଣ୍ଡକୁ ପିଟିପିଟି ହତ୍ୟା କଲା ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ଼ଭଙ୍ଗା ଗାଁରୁ। ହତ୍ୟାର ଶିକାର ହୋଇଛନ୍ତି ଶଗଡ଼ଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସୋମନାଥ ଫେରାର ହୋଇଯାଇଥିବାବେଳେ ସିକୋ ଫାଣ୍ଡି ପୋଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରଶ୍ମିରଞ୍ଜନ ଏବଂ ସୋମନାଥ ଦୁହେଁ ନାଟକ କାଳାକାର ଭାବେ ବେଶ ପରିଚିତ। ସୋମନାଥଙ୍କ ଘର ପୁରୀ ଜିଲ୍ଲାରେ। ଉଭୟ ରଶ୍ମିରଞ୍ଜନ ଏବଂ ସୋମନାଥଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ରଶ୍ମିରଞ୍ଜନଙ୍କ ଘରେ ଦୀର୍ଘ ଦିନ ହେଲା ରହିଆସୁଥିଲେ ସୋମନାଥ। ସୋମବାର ଦିନ ନୂଆବର୍ଷ ଅବସରରେ ଏକ ନାଟକରେ ଅଭିନୟ କରିବା ପାଇଁ ରଶ୍ମିରଞ୍ଜନ ରଣପୁର ବ୍ଲକର ଚମ୍ପତ୍ତିପୁର ଗାଁକୁ ଯାଇଥିଲେ। ମଙ୍ଗଳବାର ସକାଳୁ ଉଭୟ ରଶ୍ମିରଞ୍ଜନ ଏବଂ ସୋମନାଥ ଘରକୁ ଆସିଥିଲେ। ନିତ୍ୟକର୍ମ ସାରି ଉଭୟ ଶୋଇ ଯାଇଥିଲେ।

ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ରାଗିଯାଇ ଏକ ଲୁହାଛଡ଼ରେ ରଶ୍ମିରଞ୍ଜନଙ୍କ ମୁଣ୍ଡକୁ ପିଟିପିଟି ସୋମନାଥ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ।

ଘରେ କେହି ନଥିବା ସମୟରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା। ରଶ୍ମିରଞ୍ଜନଙ୍କ ମା’ ପୁଅକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇନଥିଲେ। ଆପରାହ୍ଣରେ ମା’ ଘରକୁ ଫେରିବା ବେଳକୁ ଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ପୁଅ ଘର ଚାବି ପଡ଼ୋଶୀ ଘରେ ଦେଇଥିବ ଭାବି ରଶ୍ମିରଞ୍ଜନଙ୍କ ମା’ ପଡ଼ୋଶୀଙ୍କୁ ପଚାରି ଥିଲେ, କିନ୍ତୁ ସକାଳୁ ସେମାନେ ରଶ୍ମିରଞ୍ଜନଙ୍କୁ ଦେଖିନଥିବା କହିଥିଲେ। ଏହାକୁ ନେଇ ମା’ଙ୍କର ସନ୍ଦେହ ହେବାରୁ ପଡ଼ୋଶୀଙ୍କ ସହାୟତାରେ ଘରର ତାଲା ଭାଙ୍ଗି ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ରଶ୍ମିରଞ୍ଜନ। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଏପଟେ ସୋମନାଥ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବା ସହ ଘରର ସବୁ ଗହଣା ଏବଂ ଟଙ୍କା ନେଇ ଫେରାର ହୋଇଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣରୁ ସୋମନାଥ ରଶ୍ମିରଞ୍ଜନଙ୍କୁ ହତ୍ୟା କଲେ ତାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।

Tags: #MurderCase #DagadabhangaVillageKhordha #PoliceInvestigation

Comment