କପିଳାସ ଭୂୟାଁ

ପୂର୍ବ ପ୍ରକାଶିତ ଦୁଇଟି ଭାଗକୁ ପଢ଼ି ଏହା ଭିତରେ ପାଠକମାନଙ୍କଠାରୁ ଏକାଧିକ ମତାମତ ମିଳିଛି। ସେ ମଧ୍ୟରୁ ଦୁଇଟି ପ୍ରମୁଖ ମତ ମଧ୍ୟରୁ ଗୋଟିଏ ହେଲା ଯେ ରାସ୍ତାରେ ଟ୍ରାଫିକ ଜାମର ମୁଖ୍ୟ କାରଣ ହେଉଛି ଅଟୋ ରିକ୍ସାଗୁଡ଼ିକର ଦୌରାତ୍ମ୍ୟ। ରାସ୍ତାରେ ଅଟୋରିକ୍ସା ଚାଳକମାନେ ଟ୍ରାଫିକ ନିୟମକୁ ମାନିବା ତ ଦୂରର କଥା ମନ ଇଚ୍ଛା ବାଁରୁ ଡାହାଣ ଓ ଡାହାଣରୁ ବାଁକୁ ଦ୍ରୁତ ଗତିରେ ନେଉଛନ୍ତି। ଯାତ୍ରୀ ଦେଖିଲା ମାତ୍ରେ ରାସ୍ତା ମଝିରେ ବି ଅଟକି ଯାଉଛନ୍ତି। ଅନ୍ୟ ଗାଡ଼ି ଚାଳକମାନଙ୍କୁ ଏହା ଦ୍ଵାରା କେଉଁ ଅସୁବିଧା ହେବ ସେ ବିଷୟରେ ଆଦୌ ଭାବୁ ନାହାନ୍ତି। ତେଣୁ ରାସ୍ତାରେ ଗାଡ଼ି ଭିଡ଼ ବଢୁଛି।

ଗୋଟିଏ ଗୋଟିଏ ଛକରେ ପାଖକୁ ପାଖ ଲଗେଇ ଅଟୋ ରିକ୍ସା ଠିଆ କରୁଥିବାରୁ ରାସ୍ତା ଅଯଥାରେ ଜାମ ହେଉଛି। ତେଣୁ ଅଟୋରିକ୍ସାଗୁଡ଼ିକର ଚଳାଚଳକୁ ନିୟନ୍ତ୍ରଣ କରିଲେ ଟ୍ରାଫିକ ଜାମ ସମସ୍ୟା ଅଧା କମିଯିବ। ବାସ୍ତବ ଦୃଷ୍ଟିରୁ ଏହା ଅବଶ୍ୟ ଏକ ଠିକ ପଦକ୍ଷେପ ହେବ। କିନ୍ତୁ ଏହାର ମୂଳ କାରଣଟିକୁ ଆମେ ଖୋଜିଲେ ଜାଣି ପାରିବା ଯେ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ସତ୍ତ୍ୱେ ସେମାନେ ଏଭଳି ଟ୍ରାଫିକ ନିୟମ ଭାଙ୍ଗିବାର କାରଣ ହେଉଛି ଉପଯୁକ୍ତ ଟ୍ରେନିଂର ଅଭାବ। ଏହିସବୁ ଚାଳକମାନେ ଗ୍ରାମାଞ୍ଚଳରୁ ଆସିଥିବା ବେଳେ ପ୍ରଥମ କରି ଗାଡ଼ି ଚଳାଇବା ଶିଖିଛନ୍ତି। ଟ୍ରାଫିକ ନିୟମ ବିଷୟରେ ସେମାନେ ଠିକ ରୂପେ ଜାଣି ନାହାନ୍ତି। ତଥାପି ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି।

ବେଳେ ବେଳେ ଦେଖିଲେ ଲାଗେ ଯେ ଚାଳକ ଜଣକ ହୁଏତ ସାବାଳକ ମଧ୍ୟ ହୋଇ ନାହିଁ। ତେବେ ସେମାନଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଛି କେମିତି? ଯେହେତୁ ସେମାନେ ମୁଖ୍ୟତଃ ପେଟପାଟଣା ପାଇଁ ଅଟୋରିକ୍ସା ଚଳାଉଛନ୍ତି ତେଣୁ ଯାତ୍ରୀ ଉଠାଇବା ପ୍ରତିଯୋଗିତା ବେଳେ ଟ୍ରାଫିକ ନିୟମକୁ ଅଚିରେ ଜଳାଞ୍ଜଳି ଦେଉଛନ୍ତି। ଏହାକୁ ଯଦି ଏକ ସମସ୍ୟା ଭାବେ ଦେଖିବା ତେବେ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଉଥିବା ଆରଟିଓ ଅଧିକାରୀ ନଚେତ ରାସ୍ତାରେ ଅନ୍ୟ ଚାଳକମାନଙ୍କୁ ହଇରାଣରେ ପକାଉଥିବା କାରଣରୁ ସେମାନଙ୍କୁ ସୁଧାରିବାକୁ ଟ୍ରାଫିକ ପୋଲିସର ଯଥେଷ୍ଟ ଗୁରୁ ଦାୟିତ୍ଵ ରହିଛି। ତେବେ ଅଟୋରିକ୍ସା ଚାଳକମାନଙ୍କୁ ସୁସଂହତ କରିବାକୁ ଯାଇ କର୍ତ୍ତୃପକ୍ଷ ମାନେ ରଖିବା ଦରକାର ଯେ ଅଟୋରିକ୍ସା ଚଳାଇ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି, ଓ ତେଣୁ ସେମାନଙ୍କ ବିରୋଧରେ ଏଭଳି କଡ଼ା ପଦକ୍ଷେପ ନେବା ନାହିଁ ଯାହା ଦ୍ଵାରା ସେମାନଙ୍କ ପରିବାର ଚାଲିବାରେ ବ୍ୟାଘାତ ସୃଷ୍ଟି ହେବ।

ଅନ୍ୟ ମତ ଅନୁଯାୟୀ ସ୍ମାର୍ଟ ସିଟିର ଟ୍ରାଫିକ ସମସ୍ୟା ବିଷୟରେ ପ୍ରାୟ ସମସ୍ତେ ଅବଗତ। ତେଣୁ କେବଳ ସମସ୍ୟାଗୁଡ଼ିକର ଉପସ୍ଥାପନା କରିଦେଲେ କ’ଣ ତାହା ସମାଧାନ କରିଦେବ? ସମାଧାନର ବାଟ ବତେଇବା ହୁଏତ ଅଧିକ ପ୍ରାସଙ୍ଗିକ ହୁଅନ୍ତା। ଏହି ମତଟି ଶୁଣିଲା ପରେ ଏହି ଲେଖକ ବାପୁଡା କେବଳ ଅସହାୟ ଅନୁଭବ କରିବା ଛଡା ବା କରିବ କ’ଣ?

ସହରର ସଂପ୍ରସାରଣ ଓ ରାସ୍ତା ଘାଟ ନିର୍ମାଣ କରିବା ପାଇଁ ଯେଉଁ ଯନ୍ତ୍ରୀମାନେ ଅଛନ୍ତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗରେ ମୋଟା ଦରମା ପାଇ ଯେଉଁ କର୍ମଚାରୀମାନେ ଅଛନ୍ତି ଆମେ କ’ଣ ସେମାନଙ୍କ ଯୋଜନା ଓ କାର୍ଯ୍ୟ ପରିଚାଳନା ଉପରେ ବିଶ୍ଵାସ ରଖିବା ନାହିଁ? ଅବଶ୍ୟ ସହର ବାସିନ୍ଦାମାନଙ୍କ ସହ ସେହି ସବୁ ବିଭାଗୀୟ କର୍ମଚାରୀ ମାନସ ମନ୍ଥନ କରି ସମସ୍ୟାର କିଛିଟା ସଂଶୋଧନ ବା ସମାଧାନ କରିବାର ସୁଯୋଗ ରହିଛି। ତେବେ ସେମାନେ ସେଭଳି ପଦକ୍ଷେପ ନେବାର କିଛି ନଜିର ନାହିଁ। କମିସନରେଟ ପୋଲିସ ପକ୍ଷରୁ ନାଗରିକମାନଙ୍କ ସହ ମଝିରେ ମଝିରେ ଆଲୋଚନା କରାଯାଏ, କିନ୍ତୁ ତାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସୀମିତ। ଟ୍ରାଫିକ ନିୟନ୍ତ୍ରଣ ବାବଦରେ କେବେ ନାଗରିକମାନଙ୍କ ସହ ଆଲୋଚନା କରାଯିବାର ନଜିର ନାହିଁ।

ନାଗରିକମାନଙ୍କର ଯଦି ପ୍ରଶ୍ନ କରିବାର ଅଧିକାର ଥାଏ ତେବେ ପ୍ରଥମ ପ୍ରଶ୍ନ ହେବ ଯେ ସହରରେ ରାସ୍ତା ସଂପ୍ରସାରଣ କରାଯିବା ବେଳେ ପଦଚାରୀମାନଙ୍କ ସମ୍ପର୍କରେ କାହିଁକି ଆଦୌ ଚିନ୍ତା କରାଯାଇ ନାହିଁ? ରାସ୍ତାର ଉଭୟ ପାର୍ଶ୍ଵରେ ଫୁଟପାଥ ରହିଛି, କିନ୍ତୁ ତାହା ମୋଟାମୋଟି ଉଠା ବ୍ୟବସାୟୀମାନଙ୍କ କବଜାରେ ହିଁ ଅଛି। ରାସ୍ତା ସବୁକୁ ଚଉଡା କରିଦେବା ଦ୍ଵାରା ଅତି ବେଗରେ ଗାଡି ମଟର ଯିବା ଆସିବା କରୁଛି। ତେବେ ପଦଚାରୀ ବିଚରା ରାସ୍ତା କେମିତି ପାରି ହେବ? ଅବଶ୍ୟ କେତେକ ସ୍ଥାନରେ ଫୁଟ ଓଭର ବ୍ରିଜ କରା ଯାଇଛି, କିନ୍ତୁ ସେଗୁଡିକୁ କେହି ବ୍ୟବହାର କରୁ ନାହାନ୍ତି।

ଉଦାହରଣ ସ୍ୱରୂପ ପାଲ ହାଇଟ୍ସ ପାଖରେ ଏତେ ଖର୍ଚ୍ଚରେ ଫୁଟ ଓଭର ବ୍ରିଜ କାହା ସ୍ଵାର୍ଥରେ କରା ଯାଇଛି? ପ୍ରକୃତରେ ଫୁଟ ଓଭର ବ୍ରିଜର ଆବଶ୍ୟକତା ରହିଛି ଜୟଦେବ ବିହାର ଛକରେ। କିନ୍ତୁ କର୍ତ୍ତୃପକ୍ଷ ତାହା ସେଠାରେ ତାହା ନିର୍ମାଣ କଲେ ନାହିଁ। କାହିଁକି? ଏବେ ସେହି ଫୁଟ ଓଭର ବ୍ରିଜ କେବଳ ବିଜ୍ଞାପନ ଲଗାଇ ଅର୍ଥ ଉପାର୍ଜନର ମାଧ୍ୟମ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ।

ସେହିଭଳି ପୁରୁଣା ବସ ଷ୍ଟାଣ୍ଡ ଓ ଏୟାର ଇଣ୍ଡିଆ ଅଫିସ ପର୍ଯ୍ୟନ୍ତ ରାଜ ମହଲ ଛକ ଆଡୁ ଆସୁଥିବା ଓଭର ବ୍ରିଜକୁ ସଂପ୍ରସାରଣ କରାଯାଇ ପାରିବ କି?

ନୂଆ ଭାବେ ତିଆରି ହେଉଥିବା ଅପାର୍ଟମେଣ୍ଟ ଓ ସହରରେ ଥିବା ସମସ୍ତ ସପିଙ୍ଗ ମଲଗୁଡ଼ିକ ସେଠାକୁ ଆସୁଥିବା ଲୋକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇ ପାରିବ କି?

ତେବେ ସହରର ଅଧା ଟ୍ରାଫିକ ଜାମ କମିବା ସହ ଯାନବାହାନ ଚଳାଚଳ ବେଶ ସହଜସାଧ୍ୟ ହୋଇ ପାରିବ ବୋଲି ଆଶା କରାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment