ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକେନ ପକୋଡ଼ାଠାରୁ ଆରମ୍ଭ କରି ମଟନ ଚପ୍‌। ଇଣ୍ଡିଆନ ଓ ଚାଇନିଜ୍‌ଠୁ ନେଇ ଆରବିଆନ୍‌ ଖାଦ୍ୟ। ଗୋଟିଏ ଜାଗାରୁ ପାଇବେ ଆପଣଙ୍କ ମନ ପସନ୍ଦର ଭେଜ୍‌ ଓ ନନଭେଜ୍‌ ଖାଇବା। ଏଭଳି ବିଭିନ୍ନ ପ୍ରକାର ଖାଦ୍ୟର ପସରା ମେଲାଇଛି ରାଜଧାନୀ ଭୁବନେଶ୍ୱରର ରାମ ମନ୍ଦିର ପାଖରେ ଥିବା ଖାଓଗଲି। ସନ୍ଧ୍ୟା ହେଲେ ଏଠାରେ ଲାଗୁଛି ଷ୍ଟ୍ରିଟ୍‌ ଫୁଡ୍‌ ଲଭରଙ୍କ ଭିଡ଼।

ଦେଶୀ ବିଦେଶୀ ମସଲାଦାର ଖାଦ୍ୟ ମିଳୁଥିବାରୁ ଏଠାରେ ବିଶେଷକରି ଯୁବପିଢ଼ିଙ୍କ ଭିଡ଼ ଜମୁଛି। ସାଙ୍ଗସାଥୀଙ୍କ ସହ ସନ୍ଧ୍ୟାବେଳେ ଖାଦ୍ୟରୁ ମଜା ନେବାକୁ ବିଭିନ୍ନ ସ୍ଥାନରୁ ଲୋକ ଆସି ଏଠାରେ ଏକାଠି ହେଉଛନ୍ତି।

‘‘ଖାଓଗଲିରେ ପ୍ରଶାସନ ପକ୍ଷରୁ ଏବେ ବହୁତ ସୁବିଧା କରାଯାଇଛି। ଗ୍ରାହକମାନଙ୍କ ଲାଗି ଏଠାରେ ବସିବା ବ୍ୟବସ୍ଥା କରାଯାଇଛି। ଏଠାରେ ଶୌଚାଳୟ ସୁବିଧା ରହିଛି। ମଝିରେ ମଝିରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଆସି ଖାଦ୍ୟ ଯାଞ୍ଚ କରି ଯାଉଛନ୍ତି’’, କହିଛନ୍ତି ଜଣେ ବ୍ୟବସାୟୀ ବିଧାନ ଚନ୍ଦ୍ର ରାୟ।

ସାଧାରଣତଃ ସହରରେ ଲୋକମାନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି।  ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ର ପ୍ରଥମ ଲହର ପରେ ଖାଓଗଲିକୁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ ରୂପ ଦିଆଯାଇଛି। ନୂଆ ରୂପ ପାଇବା ପରେ ଖାଓଗଲିରେ ଅଧିକ ଲୋକଙ୍କ ଭିଡ଼ ଜମୁଛି।

‘‘ଯେଉଁମାନେ ଆମିଷ ଖାଉନାହାନ୍ତି, ସେମାନେ କିଭଳି ଖାଓଗଲି ଆଶି ନିରାଶ ହୋଇନଯିବେ, ସେଥିପାଇଁ ଏଠାରେ ଆମେ ‘ଦ ଭେଜ୍‌’ ନାଁରେ ଗୋଟିଏ ଷ୍ଟଲ କରୁଛି। ଏଠାରେ ଆମେ କେବଳ ସାଦା ଖାଇବା ରଖୁଛୁ। ବହୁତ ଲୋକ ଏଠାକୁ ଆସୁଛନ୍ତି। ଆମ ଷ୍ଟଲରେ ଖାଇ ଖୁସି ହେଉଛନ୍ତି’’, କହିଛନ୍ତି ଅନ୍ୟ ଜଣେ ବ୍ୟବସାୟୀ ଅବଦୁଲ ହମିଦ୍‌।

ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ଥିବା ଖାଓଗଲି ମଡେଲରେ ଭୁବନେଶ୍ୱରରେ ଏହି ଖାଓଗଲି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ଅଧୀନରେ ଥିବା ଏହି ଖାଓଗଲିରେ ପ୍ରାୟ ୩୦ରୁ ଅଧିକ ଷ୍ଟଲ ରହିଛି, ଯେଉଁଠି ବେପାର ମଧ୍ୟ ବେଶ୍‌ ଜମୁଛି। ସାଙ୍ଗସାଥୀ ଓ ପ୍ରିୟଜନଙ୍କ ସହିତ ଖାଦ୍ୟର ମଜା ନେବା ପାଇଁ ଏହି ଜାଗା ଏବେ ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି।

‘‘ଗୋଟିଏ ଜାଗାରୁ ସବୁ ପ୍ରକାର ଖାଦ୍ୟ ମିଳୁଥିବାରୁ ଆମେ ଖାଓଗଲି ଆସୁଛୁ। ଏଠାରେ ସବୁ ବ୍ୟବସ୍ଥା ଅଛି। ଖାଇବାର ମୂଲ୍ୟ ମଧ୍ୟ ଠିକଠାକ୍‌ ରହିଛି। ଭେଣ୍ଡର୍ସମାନେ ସ୍ୱଚ୍ଛତା ଓ ପରିଚ୍ଛନତାକୁ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ଆମେ ଏଠାକୁ ଆସିବାକୁ ପସନ୍ଦ କରୁଛୁ’’, କହିଛନ୍ତି ଜଣେ ଗ୍ରାହକ ହନି।

ସେହିପରି ଆଉ ଜଣେ ଗ୍ରାହକ ରାକ୍ଷୀ ଯାଦବ କହିଛନ୍ତି, ‘‘ମୁଁ କୋଲକାତା, ଦିଲ୍ଲୀରେ ଥିବା ଖାଓଗଲି କଥା ଶୁଣିଥିଲି। କିନ୍ତୁ ଭୁବନେଶ୍ୱରରେ ଏହି ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ ଦେଖି ବହୁତ ଖୁସି ଲାଗଲା। ମୁଁ ତ କହିବ ଯଦି ଆପଣ ଭୁବନେଶ୍ୱରରେ ରହୁଛନ୍ତି ତେବେ ନିଶ୍ଚୟ ଥରେ ଖାଓଗଲି ଆସନ୍ତୁ’’।

କିଛି ଦିନ ତଳେ ଏହି ଖାଓଗଲିକୁ ଭାରତ ସରକାରଙ୍କ ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ ବା ଏଫଏସଏସଆଇ ପକ୍ଷରୁ ‘କ୍ଲିନ୍‌ ଷ୍ଟ୍ରିଟ୍‌ ଫୁଡ ହବ୍‌’ ଭାବେ ଘୋଷଣା କରାଯାଇଛି। କୋଭିଡ୍‌ ସମୟରେ ଏଠାରେ ସ୍ୱଚ୍ଛତା, ପରିଚ୍ଛନ୍ନତା, ସ୍ୱାସ୍ଥ୍ୟକର ଭଳି ମାନଦଣ୍ଡକୁ ଗୁରୁତ୍ୱ ଦେଉଛନ୍ତି ଭେଣ୍ଡର୍ସ।

‘‘ଷ୍ଟ୍ରିଟ୍‌ ଫୁଡର ମଜା ହିଁ ଅଲଗା ଥାଏ। ଏଠାରେ ଏମିତି କିଛି ଖାଦ୍ୟ ମିଳେ, ଯାହା ବଡ଼ ବଡ଼ ରେସ୍ତୋରାଁରେ ମଧ୍ୟ ମିଳେନି।  ସେଥିପାଇଁ ଆମେ ସବୁ ସାଙ୍ଗ ଏକାଠି ହୋଇ ଖାଓଗଲିକୁ ଆସୁ। ଖାଉ, ମଜା ମସ୍ତି କରି ଯାଉ’’, କହିଛନ୍ତି ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ଦାସ ମନ୍ତ୍ରୀ।

ଖାଲି ସେତିକି ନୁହେଁ, ଖାଓଗଲି ଥିବା ମକଟେଲ୍‌ ହାଉସରେ ଅରେଞ୍ଜ୍, ଲେମନ, ପାଇନାପଲ୍‌ ଫ୍ଲେଭରର ସୋଡା ସହ ଆଇସକ୍ରିମ ମଧ୍ୟ ମିଳୁଛି, ଯାହାକି ଯୁବପିଢ଼ିଙ୍କ ସନ୍ଧ୍ୟାରେ ଚାର ଚାନ୍ଦ ଲଗାଉଛନ୍ତି।

Comment