ସଙ୍ଗୀତା ମାନସିଂହ

ଜୁଲାଇ ୨୫ ତାରିଖ ହେଉଛି ‘ଓ୍ଵାର୍ଲ୍ଡ ଡ୍ରାଉନିଂ ପ୍ରିଭେନସନ ଡେ’। ପାଣିରେ ବୁଡ଼ିବା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି ‘ଏନିଓ୍ଵାନ କ୍ୟାନ ଡ୍ରାଉନ, ନୋ ଓ୍ଵାନ ସୁଡ’।

ଅସାବଧାନତା, ଅବହେଳା ଏବଂ ଦୁସାହସିକତା ପାଇଁ ପ୍ରତି ମୁହୂର୍ତ୍ତରେ ପାଣିରେ ବୁଡ଼ିବା ଯୋଗୁଁ ଅନେକ  ଜୀବନ ଚାଲିଯାଉଛି। ଫଳରେ ଅନେକ ହସଖୁସିର ସଂସାର ଉଜୁଡ଼ି ଯାଉଛି। ମୃତକଙ୍କ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଯନ୍ତ୍ରାଣାରେ କାଳ କାଟୁଛନ୍ତି।

ମୃତକଙ୍କ ପରିବାରକୁ ଯେଉଁ ଗଭୀର ଆଘାତ ଲାଗୁଛି, ଏହାକୁ ଅନୁଭବ କରି ମିଳିତ ଜାତିସଂଘ ୨୦୨୧ ଏପ୍ରିଲ ମାସରେ ଓ୍ଵାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ ଡେ’ ପାଳନ ନିମନ୍ତେ ପ୍ରସ୍ତାବ ପାରିତ କରିଥିଲେ। ୨୦୨୧ ଜୁଲାଇ ୨୫ ତାରିଖରେ ପ୍ରଥମ ଥର ପାଇଁ ଓ୍ଵାର୍ଲ୍ଡ ଡ୍ରାଉନିଂ ପ୍ରିଭେନସନ ଡେ’ ପାଳନ କରାଯାଇଥିଲା। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେବେଠାରୁ ପ୍ରତିବର୍ଷ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

ଦିନକୁ ଦିନ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପାଣିରେ ବୁଡ଼ି ପ୍ରାଣ ହରାଇବା ଘଟଣା ବଢ଼ିବାକୁ ଲାଗିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ କୁହାଯାଇଛି ଗତ ଦଶ ବର୍ଷ ମଧ୍ୟରେ ପାଣିରେ ବୁଡ଼ିବା ଯୋଗୁଁ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଲୋକଙ୍କର ଜୀବନ ଯାଇଛି।

ଡବ୍ଲ୍ୟୁଏଚଓର ରିପୋର୍ଟ ଅନୁସାରେ ପ୍ରତିବର୍ଷ ନଦୀ, ନାଳ, କୂଅ ଏବଂ ପୋଖରୀରେ ବୁଡ଼ି ପ୍ରାୟ ଅଢ଼େଇ  ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ପିଲାଠାରୁ ବୟସ୍କ ପାଣିରେ ବୁଡ଼ି ପ୍ରାଣ ହରାଉଥିବାବେଳେ ମୃତକଙ୍କ ମଧ୍ୟରେ ୧ରୁ ୨୪ ବର୍ଷ ବୟସ ପିଲା ଅଧିକ ରହିଛନ୍ତି।  

“ପାଣିରେ ବୁଡ଼ିବା ଘଟଣା ମୁହୂର୍ତ୍ତକରେ ଘଟିଥାଏ। ଅନେକ ସମୟରେ ପାଣିରେ ବୁଡ଼ୁଥିବା ବ୍ୟକ୍ତି ନିଜେ ମଧ୍ୟ ଏ ବିଷୟରେ ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ। କ୍ଷଣିକରେ ଲୋକଙ୍କର ଜୀବନ। ଲୋକଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଏହିଭଳି ଅଘଟଣକୁ କମ କରାଯାଇପାରିବ। ଏହା ସହ ପାଣିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଫାଷ୍ଟ-ଏଡ ଦେଇ ସେମାନଙ୍କ ଜୀବନ ବଞ୍ଚାଇ ହେବ। ଆମେ ସମସ୍ତେ ଏ ଦିଗରେ ପଦକ୍ଷେପ ନେବାର ସମୟ ଆସିଛି”, କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଭାରତରେ ପ୍ରତିନିଧି ଡାକ୍ତର ରୋଡରିକୋ ଏଚ ଓରଫିନ୍।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପାଣିରେ ବୁଡ଼ିବ ଯୋଗୁଁ ୫୦ ପ୍ରତିଶତରୁ ଅଧିକ ମୃତ୍ୟୁ ୩୦ ବର୍ଷରୁ କମ ବୟସ୍କଙ୍କର ହେଉଛି। ସମଗ୍ର ବିଶ୍ଵରେ ୫ରୁ ୧୪ ବର୍ଷର ବୟସର ପିଲାଙ୍କର ଯେଉଁ ମୃତ୍ୟୁ ହେଉଛି, ସେଥିରେ ପାଣିରେ ବୁଡ଼ି ପ୍ରାଣ ହରାଇବା ଷଷ୍ଠ ପ୍ରମୁଖ କାରଣ ପାଲଟିଛି।

ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ପାଣିରେ ବୁଡ଼ି ପ୍ରାଣ ହରାଉଛନ୍ତି। ସହରୀ ପିଲାଙ୍କ ତୁଳନାରେ ଗ୍ରାମାଞ୍ଚଳ ପିଲାଙ୍କର ପାଣିରେ ବୁଡ଼ି ପ୍ରାଣ ହରାଇବା ସମ୍ଭାବନା ଅଧିକ ରହିଛି।

ଜାତୀୟ ଅପରାଧୀକ ରେକର୍ଡ ବ୍ୟୁରୋ ଅନୁସାରେ ଭାରତରେ ୨୦୨୧ରେ ପାଣିରେ ବୁଡ଼ି ୩୬,୩୬୩ ଜଣଙ୍କର ମୃତ୍ୟୁ ହୋଇଥିଲା।  

ଓଡ଼ିଶାରେ ପ୍ରତିଦିନ ପାଣିରେ ବୁଡ଼ି ମୃତ୍ୟୁ ହେଉଥିବା ଘଟଣା ଆସୁଛି। ବୁଧବାର ଦିନ ଦୁଇଜଣ ଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ନିକଟ ନିଜିଗଡ଼ ଖଣି ପୋଖରୀ ନିକଟରେ ରିଲ୍ସ କରୁଥିବା ବେଳେ ପାଣିରେ ପଡ଼ି ଜଣେ ଯୁବଙ୍କର ମୃତ୍ୟୁ ହୋଇଥିଲା।

ଦୁସାହାସିକ ରିପୋର୍ଟିଂ କରିବାକୁ ଯାଇ ଓଡ଼ିଶା ଜଣେ ଦକ୍ଷ ସାମ୍ବାଦିକ ଅରିନ୍ଦମ ଦାସ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ମହାନଦୀ ବୁଡ଼ି ପ୍ରାଣ ହରାଇଥିଲେ। ଏମିତି ଅନେକ ଦୃଷ୍ଟାନ୍ତ ରହିଛି।

କେମିତି ବଞ୍ଚାଇ ହେବ ଜୀବନ?

  • ପାଣିରେ ବୁଡ଼ିବା ସମୟରେ ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ଜ୍ଞାନକୌଶଳ ଶିଖାଇବା ଆବଶ୍ୟକ
  • ଛୋଟ ପିଲାଙ୍କୁ ପାଣିଠାରୁ ଦୂରେଇ ରହିବା ଭଳି ବ୍ୟବସ୍ଥା କରିବା ଜରୁରୀ
  • ପାଣିରେ ବୁଡ଼ୁଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଏବଂ ଫାଷ୍ଟ-ଏଡ ପ୍ରଶିକ୍ଷଣ ବ୍ୟବସ୍ଥା
  • ପାଣିକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ଦରକାର
  • ନଦୀ ଏବଂ ସମୁଦ୍ରକୁ ଯିବା ସମୟରେ ଲାଇଭ୍ ଜ୍ୟାକେଟ ପିନ୍ଧିବା ଜରୁରୀ
  • ନଦୀ, ସମୁଦ୍ର ଏବଂ ପୋଖରୀ ଆଦି ନିକଟରେ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ

ବିଭିନ୍ନ ସମୟରେ ପାଣିରେ ବୁଡ଼ି ପ୍ରାଣ ହରାଇବାକୁ ଦୁର୍ଘଟଣା ନୁହେଁ ବରଂ ଅବହେଳା, ଅସାବଧାନତା ବୋଲି କୁହାଯାଇପାରେ। ଅନେକ ନିଶାଗ୍ରସ୍ତ ବ୍ୟକ୍ତି ମଧ୍ୟ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ପ୍ରାଣ ହରାଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟ ମଧ୍ୟ ଏକ କାରଣ ରହିଛି। ଗୋଟିଏ ଗୋଟିଏ ମୁହୂର୍ତ୍ତରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏ ଦିଗରେ ଲୋକଙ୍କୁ ସଚେତନ କରି ଜୀବନ ବଞ୍ଚାଇବାର ଏବେ ସମୟ ଆସିଛି।

Tags: #WorldDrowiningPreventionDay #WHO #DrowningDeath #LifeCare

Comment