ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଶରୀର କୌଣସି ରୋଗ ବା ସଂକ୍ରମଣରେ ଆକ୍ରାନ୍ତ ହେବାପରେ ବାରମ୍ବାର ଔଷଧ ଖାଇବା ପରେ ମଧ୍ୟ ଭଲ ହୋଇ ନଥାଏ, ବିଶେଷ କରି ଆଣ୍ଟିବାୟୋଟିକ୍ ଖାଇବା ପରେ ମଧ୍ୟ ଯଦି ଶରୀର ଉପରେ ଏହାର କିଛି ପ୍ରଭାବ ପଡ଼େ ନାହିଁ, ତେବେ ବ୍ୟକ୍ତି ଜଣକ ଏଏମ୍ଆର୍ ବା ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସରେ ପୀଡ଼ିତ ଥିବା ଜଣାଯାଏ। ଫଳରେ ରୋଗ ସୃଷ୍ଟିକାରୀ ଜୀବାଣୁମାନେ ଶରୀରରେ ବଂଶ ବିସ୍ତାର କରିବା ସହ ବ୍ୟକ୍ତିଙ୍କୁ ଅଧିକ ଅସୁସ୍ଥ କରିଦେଇଥା’ନ୍ତି। ଏଥିଯୋଗୁଁ ମେଡିକାଲ୍ରେ ଅଧିକ ସମୟ ପର୍ଯ୍ୟନ୍ତ ଚିକିତ୍ସିତ ହେବାକୁ ମଧ୍ୟ ପଡ଼ିଥାଏ। ଏହାସହ ଏହି ଏମ୍ଏଆର୍ ପ୍ରଭାବରେ ମୃତ୍ୟୁ ସମ୍ଭାବନା ମଧ୍ୟ ବଢ଼ିଥାଏ। ଆଜିର ସମୟରେ ଏଏମ୍ଆର୍ର ସମସ୍ୟା ଜଟିଳ ହେବାରେ ଲାଗିଛି।
ମୁଖ୍ୟତଃ ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ତଥା ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ର ମନଇଚ୍ଛା ସେବନ ଏଏମ୍ଆର୍ର ସମସ୍ୟା ସୃଷ୍ଟି କରିଥାଏ। ଏହି ଏଏମ୍ଆର୍ ବର୍ତ୍ତମାନ ବିଭିନ୍ନ ଦେଶରେ ଜଟିଳ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ପକ୍ଷରୁ ଆକଳନ କରାଯାଇଛି।
ବିଶେଷ କରି ଗାଁ ଗହଳିରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ନଥିବା ଦେଖିବାକୁ ମିଳିଥାଏ। ଫଳରେ ଯେକୌଣସି ସାମାନ୍ୟ ରୋଗ କିମ୍ବା ସଂକ୍ରମଣରେ ପୀଡ଼ିତ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ କିଣି ଖାଇଥା’ନ୍ତି। ଆଉ ସେମାନେ ସୁସ୍ଥ ହୋଇଯିବା ପରେ ଆବଶ୍ୟକ ଥିବା ଔଷଧକୁ ମଧ୍ୟ ଆଉ ସେବନ କରନ୍ତି ନାହିଁ। ଶରୀର ସୁସ୍ଥ ହୋଇଯାଏ ସିନା, ଶରୀର ମଧ୍ୟରେ ରୋଗସୃଷ୍ଟିକାରୀ ଜୀବାଣୁ, କବକ ଓ ପରଜୀବୀମାନେ ସମ୍ପୂର୍ଣ୍ଣ ରୂପେ ମରି ନଥା’ନ୍ତି।
ଆସନ୍ତା ଦିନରେ ସେହି ଜୀବାଣୁମାନେ ଶରୀରରେ ରହି ଆଣ୍ଟିବାୟୋଟିକ୍ ସହ ଲଢି ସେଥିରୁ ବଞ୍ଚିବା ପାଇଁ ନିଜର ଆକାରକୁ ବଦଳାଇ ଦେଇଥା’ନ୍ତି। ଯାହାଫଳରେ ଆଗାମୀ ଦିନରେ ଯଦି ସେପରି ରୋଗ କିମ୍ବା ସଂକ୍ରମଣ ହୁଏ, ତେବେ କୌଣସି ବି ଆଣ୍ଟି ବାୟୋଟିକ୍ କାମ କରେ ନାହିଁ।
ବିଭିନ୍ନ ବିକାଶଶୀଳ ଦେଶରେ ମହିଳା ଓ ପୁରୁଷମାନେ ପରିବାର ପ୍ରତିପୋଷଣ ପାଇଁ ନିଜ ନିଜ ଦୈନନ୍ଦିନ କାର୍ଯ୍ୟରେ ମଜି ଯାଇଥାନ୍ତି। ଶରୀର ପ୍ରତି ସେମାନଙ୍କର ବିଶେଷ ଦୃଷ୍ଟି ନଥାଏ। ସମୟ ବଞ୍ଚାଇବାକୁ ଯାଇ ନିଜ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଅବହେଳା କରିଥା’ନ୍ତି। ଥଣ୍ଡା, ଜ୍ୱର ଭଳି ବିଭିନ୍ନ ସଂକ୍ରମଣ ଦେଖା ଦେଲେ ଅଲଗା ଅଲଗା ଆଣ୍ଟିବାୟୋଟିକ୍ ସେବନ କରିଥା’ନ୍ତି। ଏହା ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଓ ଟିବି ରୋଗର କାରଣ ପାଲଟି ଥାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟରେ ନକରାତ୍ମକ ପ୍ରଭାବ ପକାଇବା ସହ ଆଗାମୀ ଦିନରେ ଆଣ୍ଟିବାୟୋଟିକ୍ ସେମାନଙ୍କ ଶରୀର ପାଇଁ କାମ କରେ ନାହିଁ।
ଡବ୍ଲ୍ୟୁଏଚ୍ଓ କରିଥିବା ଏକ ଆକଳନରୁ ସ୍ପଷ୍ଟ କରିଛି ଯେ, ବିଶ୍ୱରେ ପୁରୁଷଙ୍କ ଅପେକ୍ଷା ୨୭ ପ୍ରତିଶତ ଅଧିକ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ଆଣ୍ଟିବାୟୋଟିକ୍ ସେବନ କରିଥା’ନ୍ତି। ଏଣୁ ସେହି ଯୁବତୀ ଏବଂ ମହିଳାମାନଙ୍କର ପୁରୁଷମାନଙ୍କ ତୁଳନାରେ ‘ଏଏମ୍ଆର୍’ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି।
ଭାରତରେ ଏଏମ୍ଆର୍ ଯୋଗୁଁ ଲକ୍ଷାଧିକ ମୃତ୍ୟୁ
ୟୁନିଭର୍ସିଟି ଅଫ୍ ୱାସିଂଟନ୍ ଅଧୀନ ଆଇଏଚ୍ଏମ୍ଇ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୯ରେ ଭାରତରେ ଏଏମ୍ଆର୍ରେ ପୀଡ଼ିତ ହୋଇ ପ୍ରାୟ ୧.୪୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଏହି ଏଏମ୍ଆର୍ ପ୍ରଭାବରେ ଲିଙ୍ଗୀୟ ଅସମାନତା ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଡବ୍ଲୁଏଚ୍ଓ ପକ୍ଷରୁ କୁହାଯାଇଛି।
ଡବ୍ଲୁଏଚ୍ଓର ଏଏମ୍ଆର୍ ଡିଭିଜନ୍ରେ ‘ଜାତୀୟ କାର୍ଯ୍ୟ ଯୋଜନା, ନିରୀକ୍ଷଣ ଓ ମାନ ନିରୁପଣ ବିଭାଗ’ର ମୁଖ୍ୟ ଆନନ୍ଦ ବାଲଚନ୍ଦ୍ରନ କହିଛନ୍ତି ଯେ, “ଲୋକମାନେ ଯେକୌଣସି ରୋଗରେ ସଂକ୍ରମିତ ହେଲେ ନିଶ୍ଚିତ ଭାବେ ଏହାର ପ୍ରଭାବ ଲିଙ୍ଗୀୟ ପାର୍ଥକ୍ୟ ଉପରେ ପଡ଼ିଥାଏ। ଏହାସହ ସଂକ୍ରମଣକୁ ରୋକିବା ପାଇଁ ସେମାନେ କି ପଦକ୍ଷେପ ନିଅନ୍ତି, ନିଜର ଯତ୍ନ ନିଅନ୍ତି କି ନାହିଁ ଏବଂ ଏହି ସମୟରେ ସେମାନେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି ନା ନାହିଁ ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ।”
ଡବ୍ଲ୍ୟୁଏଚ୍ଓର ମାର୍ଗଦର୍ଶିକା
ଏଏମ୍ଆର୍ର ଏଭଳି ଭୟାବହତାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ଏହାର ସଚେତନତା ଓ ଏହାର ସଠିକ୍ ପରିଚାଳନା ଲାଗି ସମସ୍ତ ଦେଶ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛି ଡବ୍ଲ୍ୟୁଏଚ୍ଓ। ଏହି ମାର୍ଗଦର୍ଶିକାରେ ଏଏମ୍ଆର୍ ଉପରେ ଲିଙ୍ଗୀୟ ଅସମାନତା ସମ୍ପର୍କରେ ବିଶେଷ ଟିପ୍ପଣୀ କରାଯାଇଛି। ଏଥିପାଇଁ ବିଭିନ୍ନ ଦେଶ ପକ୍ଷରୁ ଜାତୀୟ କାର୍ଯ୍ୟ ଯୋଜନା (ଏନ୍ଏପି) ପ୍ରସ୍ତୁତ କରାଯାଇ ଏହାର ପରିଚାଳନା କରାଯାଉଛି।
ଡବ୍ଲୁଏଚ୍ଓ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ ହେଉଛି –
ସରକାରୀସ୍ତରରେ ଶିକ୍ଷା ଓ ସଚେତନତା
୧. ଏଏମ୍ଆର୍ ସମ୍ବଳିତ ତଥ୍ୟକୁ ସଂଗ୍ରହ କରିବା, ଯଦି କମ୍ ବୟସର ବାଳକ/ବାଳିକାମାନେ ଆଣ୍ଟିମାଇକ୍ରୋବାୟାଲ୍ ବା ଜୀବାଣୁରୋଧକ ବ୍ୟବହାର କରୁଛନ୍ତି ତା’ର ସର୍ବେକ୍ଷଣ କରିବା। ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବା।
୨. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜାରି ରହିଥିବା ଜାତୀୟ କାର୍ଯ୍ୟ ଯୋଜନା (ଏନ୍ଏପି)ର ସମୀକ୍ଷା କରିବା ଏବଂ ଏନ୍ଏପିରେ ଲିଙ୍ଗଗତ ସମାନତା ନୀତି ଉପରେ ଦୃଷ୍ଟି ଦେବା।
୩. ବିଭିନ୍ନ ଏଏମ୍ଆର୍ ସମନ୍ୱୟ କାର୍ଯ୍ୟ ଏବଂ ଏଥିସହିତ ଜଡ଼ିତ ବୈଷୟିକ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା।
୪. ବିଭିନ୍ନ କ୍ଷେତ୍ରରୁ ସଂଗୃହିତ ଏଏମ୍ଆର୍ ସମନ୍ୱୟ କୌଶଳରେ ଜେଣ୍ଡର୍ ଏକ୍ସପର୍ଟମାନଙ୍କ ଉପସ୍ଥାପନା ଅନ୍ତର୍ଭୁକ୍ତ କରିବା।
୫. ଏଏମ୍ଆର୍ ସଚେତନତା ପାଇଁ ବ୍ୟବହୃତ ହେଉଥିବା ବହି, ଭାଷା, ବାର୍ତ୍ତା ଓ ଫଟୋ ଆଦିରେ ସଠିକ୍ ବିବରଣୀ ବ୍ୟବହାର କରିବା, ଯାହା ଲିଙ୍ଗୀୟ ସମାନତାକୁ ଦର୍ଶାଉଥିବ।
୬. ପଛୁଆ ବର୍ଗଙ୍କ ମଧ୍ୟରେ ଏଏମ୍ଆର୍ ସଚେତନତା ବଢ଼ାଇବା ପାଇଁ ଭିନ୍ନ ଉପାୟ ଆପଣାଇବା ସହ ସେମାନଙ୍କୁ ସୁହାଉଥିବା ବାର୍ତ୍ତା ପ୍ରଦାନ କରାଯିବା ଜରୁରୀ।
ସର୍ବେକ୍ଷଣ ଓ ଅନୁସନ୍ଧାନ
୭. ଲିଙ୍ଗ ଏବଂ ଏଏମ୍ଆର୍ ମଧ୍ୟରେ କି ସମ୍ପର୍କ ଅଛି, ତାହାର ପ୍ରମାଣ ଖୋଜିବା ସହ ଅନୁସନ୍ଧାନକୁ ମଜଭୁତ କରିବା।
୮. ସ୍ୱାସ୍ଥ୍ୟକେନ୍ଦ୍ରରେ ଏଏମ୍ଆର ପ୍ରଭାବିତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଲିଙ୍ଗୀୟ ଅସମାନତା ସମ୍ପର୍କିତ ଚିକିତ୍ସା ଜ୍ଞାନ ବଢ଼ାଇବା ଆବଶ୍ୟକ।
୯. ରୋଗୀଙ୍କ ଲିଙ୍ଗ, ବୟସ ଆଦି ସମ୍ପର୍କରେ ରିପୋର୍ଟ କରିବା । ଏହାସହ କେତେ ଆଣ୍ଟିବାୟୋଟିକ୍ ବ୍ୟବହାର କରିଛନ୍ତି ବା କରୁଛନ୍ତି ତା’ର ସର୍ବେକ୍ଷଣ କରିବା ।
୧୦. ଏଏମ୍ଆର୍ ଏବଂ ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ଲିଙ୍ଗୀୟ ପାର୍ଥକ୍ୟ ସର୍ବେକ୍ଷଣରୁ ଚିହ୍ନଟ ହୋଇଥିବା ଲିଙ୍ଗୀୟ ଅସମାନତାକୁ ବିଶ୍ଳେଷଣ କରିବା, ତା’ ଉପରେ ରିପୋର୍ଟ କରିବା ଏବଂ ଏହାକୁ କାର୍ଯ୍ୟକ୍ଷମ କରିବା ।
୧୧. ଅଧିକ ଆଣ୍ଟିବାୟୋଟିକ୍ ସେବନ କରିବା ଦ୍ୱାରା ଯେଉଁ ମହିଳାମାନେ ମୂତ୍ରାଶ୍ରୟ ସଂକ୍ରମଣରେ ପୀଡ଼ିତ ଥିବା ଜଣାଯାଏ, ସେହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିବା ।
ପ୍ରତିଷେଧକ ଓ ସ୍ୱାସ୍ଥ୍ୟସେବା
୧୨. ସଫେଇ ଓ ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମିରେ ଉନ୍ନତି ହେବା ଆବଶ୍ୟକ। ତେବେ ସମ୍ପୃକ୍ତ ଗୋଷ୍ଠୀ ସମୂହ କିମ୍ବା ସ୍ୱାସ୍ଥ୍ୟସୁବିଧା ପାଉଥିବା ବ୍ୟକ୍ତିବିଶେଷ ଏହା ସୁନିଶ୍ଚିତ କରିବା ଦରକାର ଯେ, ସଫେଇ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭିତ୍ତିଭୂମି ରହିଛି ଏବଂ ଏହି ଅସଙ୍ଗତି ଚିରସ୍ଥାୟୀ ନୁହେଁ।
୧୩. ସ୍ୱାସ୍ଥ୍ୟକର୍ମୀ ଏବଂ ଏହି ସମୁଦାୟଙ୍କ ମଧ୍ୟରେ ଥିବା ସଂକ୍ରମିତ (ଡ୍ରଗ୍-ରେଜିଷ୍ଟାଣ୍ଟ)ଙ୍କ ମଧ୍ୟରେ ଲିଙ୍ଗୀୟ ଅସମାନତା ବିପଦକୁ ଚିହ୍ନଟ କରିବା।
୧୪. ସଂକ୍ରମଣର ଚିକିତ୍ସା, ନିରାକରଣ ଓ ପ୍ରତିରୋଧ ପାଇଁ ସମ୍ବେଦନଶୀଳ ଭାବେ ଲିଙ୍ଗୀୟ ପାର୍ଥକ୍ୟ ନ ଥିବା ସ୍ୱାସ୍ଥ୍ୟସେବା ଯୋଗାଇବା।
୧୫. ଚିକିତ୍ସା କ୍ଷେତ୍ରରେ ସ୍ୱାସ୍ଥ୍ୟବୀମା ଓ ସ୍ୱାସ୍ଥ୍ୟସୁବିଧାର ସୁଯୋଗ ପାଇଥିବା ସୁନିଶ୍ଚିତ କରିବା ।
୧୬. ନକଲି ଔଷଧ (ଆଣ୍ଟିମାଇକ୍ରୋବାୟାଲ୍ସ) ବାବଦରେ ସଚେତନ ହେବା ସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।
୧୭. ସ୍ଥାନୀୟ ଅଞ୍ଚଳରେ କେତେମାତ୍ରାରେ ବିଭିନ୍ନ ରୋଗର ଆକଳନ କରିବା ସହ ଔଷଧର ପୂର୍ବାନୁମାନ କରି ଏହାର କ୍ରୟ ଉପରେ ଦୃଷ୍ଟିଦେବା।
୧୮. ବିଭିନ୍ନ ସଂକ୍ରମିତ ରୋଗର ନିରୁପଣ ଏବଂ ଲିଙ୍ଗୀୟ ଅସମାନତାକୁ ପୂର୍ବରୁ ହୋଇଥିବା ରୋଗ ସହ ତୁଳନା କରି ଏହାର ସମୀକ୍ଷା କରିବା।
ସଠିକ୍, ନିଶ୍ଚିତ-ଗୁଣବତ୍ତା ଚିକିତ୍ସା
୧୯. ନିୟମିତ ଭାବେ ପୂର୍ବ ପ୍ରେସ୍କ୍ରିପସ୍କୁ ଅନୁଧ୍ୟାନ କରି ଏଥିରେ ଲିଙ୍ଗୀୟ ବର୍ଗୀକରଣ କରିବା, ଏହାସହ ସଂଜ୍ଞାହୀନ ଲିଙ୍ଗୀୟ ଅସମାନତା ଚିହ୍ନଟ କରିବା।
୨୦. ଏହି ନୀତିଗୁଡ଼ିକର ପ୍ରଭାବ ଉପରେ ଲିଙ୍ଗୀୟ ପାର୍ଥକ୍ୟଭିତ୍ତିକ ଏକ ତଥ୍ୟ ପ୍ରସ୍ତୁତ କରିବା। ଏହି ତଥ୍ୟ ପ୍ରସ୍ତୁତିର ଗୋଟିଏ ଲକ୍ଷ୍ୟ ହେଉଛି, ଆବଶ୍ୟକତାଠାରୁ ଅଧିକ ଆଣ୍ଟିବାୟୋଟିକ୍ ବା ଆଣ୍ଟିମାଇକ୍ରୋବାୟାଲ୍ସର ବ୍ୟବହାର କମ୍ କରିବା।
Tags: #AntimicrobialResistance #AMR #HealthHazard #Antibiotics #Helath #WHO #India