ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁରକୁ ଡାଇରିଆ ଡର। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଆଜି ପୁଣି ଯାଜପୁରକୁ ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍।
ବର୍ତ୍ତମାନ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ ରହିଛି। ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଥିବାବେଳେ ୨୬୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୧୪ ଜଣିଆ କେନ୍ଦ୍ରୀୟ ଟିମ ଏବଂ ରାଜ୍ୟ ଟିମ୍ ଯାଜପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କଲେରା ସହ ଅନ୍ୟାନ କାରଣ ଯୋଗୁଁ ହଇଜା ବ୍ୟାପୁଥିବା ସମୀକ୍ଷା ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ଟିମ।
କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ସୁପାରିଶ କରାଯାଇଛି।
ଏପଟେ ସ୍ଵାସ୍ଥ୍ୟ ସଚିବ ଯାଜପୁର ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ସହ ଡାଇରିଆ ସ୍ଥିତି ନିୟନ୍ତ୍ରଣ କରିବା ନେଇ ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି। ଫୁଟା ବା ଫିଲ୍ଟର ପାଣି, ରନ୍ଧା ଖାଦ୍ୟ ଏବଂ ବ୍ୟକ୍ତିଗତ ସ୍ଵଚ୍ଛତା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ଡାଇରିଆ କେବଳ ଯାଜପୁର ଜିଲ୍ଲାରେ ସୀମିତି ହୋଇ ରହିନାହିଁ। କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କନାଳ ଓ ପୁରୀ ଆଦିକୁ ମଧ୍ୟ ଡାଇରିଆ ମାଡ଼ିଲାଣି। କଟକ ଜିଲ୍ଲା ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପାଣିର ନମୁନା ସଂଗ୍ରହ କରିଛନ୍ତି। ଲୋକଙ୍କୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି।
Tags: #Diarrhea #Infection #Health #Jajpur #Odisha