ମିନତି ମିଶ୍ର

ଭାରତରେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ। ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ଭୟ।
ମଙ୍କିପକ୍ସକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ସେ କହିଛନ୍ତି, “ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ଦେଶର ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ଆଲର୍ଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।”
ବିଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍କିପକ୍ସ ସନ୍ଦେହରେ ଅଟକ ରଖାଯାଇଥିଲା। ସେ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାଙ୍କଠାରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲେଡ-୨ ବର୍ଗର। ତାଙ୍କୁ ଆଇସୋଲେସନରେ ରଖାଯାଇଛି।
ମଙ୍କିପକ୍ସ ହେଉଛି ଏକ ସଂକ୍ରାମକ ରୋଗ। ଆଫ୍ରିକୀୟ ଦେଶରୁ ବାହାରି ଥିବା ଏହି ଭାଇରସ ଏବେ ୟୁରୋପ ଓ ଆମରିକାରେ ପହଞ୍ଚି ଗଲାଣି। ବିଦେଶରୁ ଭାରତ ଆସିଥିବା ବ୍ୟକ୍ତିଙ୍କଠାରେ ସୋମବାର ଦିନ ମଙ୍କିପକ୍ସ ଚିହ୍ନଟ କରାଯାଇଛି।
କେମିତି ବ୍ୟାପେ ମଙ୍କିପକ୍ସ?
ମଙ୍କିପକ୍ସ ଭାଇରସ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ। ସଂକ୍ରମିତ ରୋଗୀ ବା ପଶୁଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଏପରିକି ସଂକ୍ରମିତ ବ୍ୟକ୍ତିଙ୍କ ଘା, ବ୍ୟବହୃତ ଦ୍ରବ୍ୟ ସଂସ୍ପର୍ଶରେ ଆସିଲେ ମଧ୍ୟ ମଙ୍କିପକ୍ସ ବ୍ୟାପିବାର ଭୟ ରହିଥାଏ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଭାଇରସ ଶରୀରରେ ରହିଥାଏ।
ତେବେ ଆଶ୍ୱାସନାର କଥା ଯେ, ସାମାନ୍ୟ ସଚେତନ ହେଲେ ଏବଂ ଠିକ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଏହା ଭଲ ହୋଇଯାଏ ବୋଲି ଡାକ୍ତର କୁହନ୍ତି। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଘନିଷ୍ଠ ଭାବେ ମିଶିଲେ ଓ ତାଙ୍କ ସହ ଯୌନ ସମ୍ପର୍କ ରଖିଲେ କିମ୍ବା ସଂକ୍ରମିତ ଘା’ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପକ ଭାବେ ସଂକ୍ରମିତ ହୋଇଥାଏ।
ମଙ୍କିପକ୍ସର ଲକ୍ଷଣ
ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି ଜ୍ୱର ଓ ମୁଣ୍ଡାବିନ୍ଧା। ମାଂସପେଶୀରେ ଯନ୍ତ୍ରଣା, ପିଠି ବିନ୍ଧା ମଧ୍ୟ ହୋଇଥାଏ।
ଆକ୍ରାନ୍ତଙ୍କୁ ଥଣ୍ଡା ଲାଗି ରହିବା ସହ ହାଲିଆ ଲାଗିଥାଏ। ଶରୀରରେ ଘିମିରି ପରି ଲାଲ ରଙ୍ଗର ଦାଗ ଦେଖାଯାଏ। କେତେକ କ୍ଷେତ୍ରରେ ଏହା ପାଣି ଫୋଟକା ପରି ଦେଖାଯାଏ ବୋଲି ଡାକ୍ତର କୁହନ୍ତି।
ବିଶେଷ କ୍ଷେତ୍ରରେ ରୋଗୀ ନିଃଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଥାଏ। ଆଖି ଫୁଲି ଯାଇଥାଏ।
କେମିତି ରହିବେ ସତର୍କ?
ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କଠାରୁ ଦୂରେଇ ରହିବା ଆବଶ୍ୟକ। ବାରମ୍ବାର ସାବୁନ ଏବଂ ହ୍ୟାଣ୍ଡଓ୍ଵାସରେ ହାତ ଧୋଇବା ଜରୁରୀ। କୌଣସି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଅନ୍ୟପକ୍ଷେ ମଙ୍କିପକ୍ସକୁ ନେଇ ଭୟଭୀତ ନହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ କୁହାଯଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧାସଳଖ ଯୋଗାଯୋଗଠାରୁ ଦୂରେଇ ରହିବାକୁ ଡବ୍ଲ୍ୟୁଏଚଓ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି, ସଂକ୍ରମିତଙ୍କଠାରୁ ଦୂରେଇ ରହିବା ଦ୍ୱାରା ହିଁ ମଙ୍କିପକ୍ସକୁ ରୋକା ଯାଇପାରିବ। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ। ପ୍ରାରମ୍ଭିକ ସ୍ତରରୁ ଚିକିତ୍ସା କରାଗଲେ ଏହା ବିଶେଷ କ୍ଷତିକାରକ ହେବ ନାହିଁ ବୋଲି ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି।
Tags: #Health #Monkeypox #WHO #India #Awareness #Odisha


















