କପିଳାସ ଭୂୟାଁ

କଥାରେ କଥାରେ ଆମେ କହୁ ସମୟ ବଦଳୁଛି ଓ ତା’ ସହିତ ସବୁ କିଛି ବଦଳି ଯାଉଛି। ପ୍ରକୃତରେ ସମୟ କ’ଣ ବଦଳେ? ସମୟର କ’ଣ ବୟସ ବଢ଼େ? ସମୟ କ’ଣ ପୁରୁଣା ହୁଏ?

ସୂର୍ଯ୍ୟ ଉଦୟ ହେବା ସହ ଗୋଟିଏ ଦିନ ଆରମ୍ଭ ହୁଏ। ସୂର୍ଯ୍ୟ ଅସ୍ତ ହେଲେ ରାତି ଆସେ, ଅନ୍ଧାର ହୁଏ, ଆକାଶରେ ତାରାମାନେ ଆଖି ମିଟିମିଟି କରନ୍ତି। ଶୁକ୍ଳ ପକ୍ଷ ହୋଇଥିଲେ ଜହ୍ନ ଆଲୁଅ ବିଞ୍ଚି ହେଇଯାଏ। ନଚେତ ଚାରିଆଡ଼େ ଡହଡହ ଅନ୍ଧାର – ଘର ଚାଳ, ଗଛ ଡାଳ କିମ୍ବା ଜଙ୍ଗଲ ବା ମାଳ, ଚାରି ଆଡ଼େ ଅନ୍ଧାର ରାଜୁତି କରେ। ନୂଆ ସୂର୍ଯ୍ୟର ଆଲୁଅ ଦେଖିବା ପାଇଁ ସ୍ଥାବର-ଜଙ୍ଗମ-କୀଟ-ପତଙ୍ଗ ସଭିଏଁ ଅଣନିଃଶ୍ଵାସୀ ହୋଇ ଅପେକ୍ଷା କରନ୍ତି।ଆକାଶର ରଙ୍ଗ ଫିଟେ, ନୂଆ ସୂର୍ଯ୍ୟର ଆଲୁଅ ସହ ହସହସ ନୂଆ ଦିନଟିଏ ଆରମ୍ଭ ହୁଏ। ଦିନ ଗଡ଼ିଚାଲେ ଯାହାର ହିସାବ ମଣିଷ ଛଡ଼ା ଆଉ କେହି ରଖେ ନାହିଁ। ଏହି ହିସାବ ରଖିବା ପାଇଁ ମଣିଷ ତିଆରି କରିଛି ଘଡ଼ି ଓ କ୍ୟାଲେଣ୍ଡର। ବର୍ଷ, ମାସ, ଦିନ, ଦଣ୍ଡର ମାପକ ତିଆରି କରିଛି ମଣିଷ। କିନ୍ତୁ ମଣିଷ କାହିଁକି ସମୟର ହିସାବ ରଖେ? ଅନନ୍ତର କ’ଣ ହିସାବ ରଖି ହୁଏ?

ହିସାବ ରଖିବା ମାନେ ହେଉଛି ଅହରହ ଘଟୁଥିବା ପ୍ରାକୃତିକ ଘଟଣାବଳୀକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରିବା, ନିଜକୁ ସର୍ବମାନ୍ୟ ଦେବା, ନୁହେଁ କି? ଏହି ହିସାବ ରଖିବା ପ୍ରକ୍ରିୟାକୁ ମଣିଷ ‘ବିକାଶ’ ଓ ‘ସଭ୍ୟତା’ ବୋଲି କହେ। ପ୍ରକୃତିର ହିସାବ ରଖିବାକୁ ଯାଇ ପ୍ରକୃତିର ହିସାବକୁ ଗଣ୍ଡଗୋଳ କରିଦିଏ।ପ୍ରକୃତିକୁ ଆୟତ୍ତ କରିବାକୁ ଚାହିଁବା ଏକ ସ୍ଵାର୍ଥର କଥା। ସୁଖ, ସ୍ଵାଚ୍ଛନ୍ଦ୍ୟ ପାଇଁ କିଛିଟା ସ୍ଵାର୍ଥାନ୍ଵେଷୀ ହେବା ହୁଏତ କିଛି ଭୁଲ ନୁହେଁ। ତେବେ ଏହାର ସୀମା ନିର୍ଦ୍ଧାରଣ କରିବ କିଏ? ଯଦି ମଣିଷ ଏହି ସୀମା ନିର୍ଦ୍ଧାରଣ ଦାୟିତ୍ଵଟି ବାବଦରେ ବିସ୍ମୃତ ହୁଏ, ତେବେ କ’ଣ ହେବ?

ପୃଥିବୀରେ ଘଟୁଥିବା ଅଧିକାଂଶ ବିପର୍ଯୟ ଉପରେ ଦୃଷ୍ଟି ପକାଇଲେ ଆମେ ଜାଣି ପାରିବା ଯେ ସେଭଳି ଘଟିବା ପାଇଁ ଅଧିକାଂଶତଃ ଭାବେ ମଣିଷ ହିଁ ଦାୟୀ। ସମ୍ପ୍ରତି ସାରା ବିଶ୍ଵରେ ଦାଉ ସାଧୁଥିବା ମହାମାରୀ କୋଭିଡ୍ ୧୯ ସଂକ୍ରମଣର ଭୂତାଣୁ ନୂତନ ସାର୍ସ-କୋଭ୨ର ଉତ୍ପତି ଚୀନର ଉହାନସ୍ଥିତ ମାଂସ ଓ ସାମୁଦ୍ରିକ-ମାଛ ବଜାରରେ ମନୁଷ୍ୟକୃତ ଭାବେ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ସେହିଭଳି ୧୯୮୮ରେ ଆର୍ମେନିଆସ୍ଥିତ ଆଣବିକ ଶକ୍ତି ପ୍ରକଳ୍ପର ଦୁର୍ଘଟଣା ଯେ ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ତାହାର ଯଥେଷ୍ଟ ପ୍ରମାଣ ମିଳି ସାରିଛି।ସେହି ଭଳି ୨୦୧୧ ମାର୍ଚ୍ଚ ୧୧ ତାରିଖ ଦିନ ଅପରାହ୍ନରେ ଜାପାନର ଫୁକୁସିମା ଡାଇଚିଠାରେ ସଂଘଠିତ ଭୂମିକମ୍ପ ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯୟକୁ ଅଧିକ ଭୟଙ୍କର କରିଥିଲା ସେଠାରେ ଥିବା ସମୁଦାୟ ୬ଟି ଆଣବିକ ଶକ୍ତି ପ୍ରକଳ୍ପ। ଜାପାନ ହେଉଛି ଏକ ଭୂମିକମ୍ପ ପ୍ରବଣ ଦେଶ। ତେଣୁ ଏହି ପ୍ରକଳ୍ପଗୁଡ଼ିକର ସ୍ଥାପନ କାଳରେ ରିଚର ସ୍କେଲରେ ୮ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ସହିବା ଭଳି ପ୍ରକଳ୍ପର ମୂଳଦୁଆ ନିର୍ମାଣ କରାଯାଇଥିଲା। କିନ୍ତୁ ସଂଘଠିତ ଭୂମିକମ୍ପ ସବୁ ସୁରକ୍ଷା ବ୍ୟବସ୍ଥାର ଉର୍ଦ୍ଧ୍ଵକୁ ଯାଇ ରିଚର ସ୍କେଲରେ ୯ରୁ ଅଧିକ ଶକ୍ତିଶାଳୀ ଝଟକା ଦେଇଥିଲା।

ଏହି ବିପର୍ଯୟ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ପ୍ରଳୟ ରଚାଇଥିଲା। ଏହା ଦ୍ଵାରା ସମୁଦାୟ ୩ ଲକ୍ଷ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆର୍ମେନିଆ ଆଣବିକ ଦୁର୍ଘଟଣା ଯୋଗୁଁ ୧ ଲକ୍ଷ ୫୪ ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଥିଲା। ଉଲ୍ଲେଖନୀୟ କି ଏହି ଦୁଇଟି ହେଉଛି ପୃଥିବୀର ସର୍ବାଧିକ ଭୟଙ୍କର ଆଣବିକ ଦୁର୍ଘଟଣା ଓ ଏହି ଉଭୟ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ସହଜରେ ଅଧିକରୁ ଅଧିକ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ମଣିଷର ଶେଷହୀନ ଲୋଭ।

ଫୁକୁସିମା ହେଉ କି ଆର୍ମେନିଆ, ଏହି ଉଭୟ ଦୁର୍ଘଟଣାରୁ ସାରା ବିଶ୍ଵ ବିଧ୍ଵସ୍ତ ହେବାର ଯେଉଁ ଆଶଙ୍କା ଉପୁଜିଥିଲା ଓ ସେଥିରୁ ମଣିଷ ଯାହା ଶିଖିବାର ଥିଲା, ତାହା କାହିଁ?

ପୃଥିବୀ ପୃଷ୍ଠରେ ଜୀବନ ବଞ୍ଚି ରହିବାର ମୂଳ ଆଧାର ହେଉଛି ପ୍ରକୃତି। ପ୍ରାକୃତିକ ଭଙ୍ଗାଗଢ଼ା ନିୟମ ଭିତରେ ଅଦୃଶ୍ୟ ଭାବେ ଏକ ଭାରସାମ୍ୟ ବା ସନ୍ତୁଳନ ସର୍ବଦା ଜାରି ରହିଥାଏ। ଆଧୁନିକ ମଣିଷର ଅଭାବୀ ମନ ପ୍ରତି ନିୟତ ପ୍ରକୃତି ଉପରେ ଏତେ ଚାପ ସୃଷ୍ଟି କରୁଛି ଯେ ସେହି ପ୍ରାକୃତିକ ସନ୍ତୁଳନ ବାଧାପ୍ରାପ୍ତ ହେଉଛି। ଯେମିତି କି ଅଦିନରେ ବାଦଲ ଫଟା ବର୍ଷା ହେବା, କିମ୍ବା ଅଧିକ କ୍ଷମତାର ଭୂମିକମ୍ପ ବା ବାତ୍ୟା ପରେ ବାତ୍ୟା ଲାଗି ରହିବା ଇତ୍ୟାଦି ହେଉଛି ତାହାରି ଫଳ। ଏସବୁ ପ୍ରାକୃତିକ ବିପର୍ଯ୍ୟୟଜନିତ ପରାଭବରୁ କିଏ ବା ତରିଯାଇ ପାରିବ?ଆମ ରାଜ୍ୟ ଓଡ଼ିଶାରେ ଅପର୍ଯ୍ୟାପ୍ତ ଖଣି ଖନନଠାରୁ ଆରମ୍ଭ କରି ଘରଦ୍ଵାର, ରାସ୍ତାଘାଟ ଏତେ ପରିମାଣରେ ତିଆରି ହେଉଛି ଯେ ଜଙ୍ଗଲ ପାହାଡ କଥା ଛାଡ, ଚାଷ ଜମି ବି ବାଦ ପଡୁନାହିଁ। ଖଣି ଖୋଳା ଚାଲିଛି, ଜଙ୍ଗଲ ବି ପଦା ହେବାରେ ଲାଗିଛି। ଜଙ୍ଗଲ ପଦା ହେବାରୁ ପଶୁପକ୍ଷୀ ବାସହରା ହେଉଛନ୍ତି ଓ ନିପାତ ହୋଇ ଯାଉଛନ୍ତି।ଆଜିକାଲି ହାତୀମାନେ ଦଳବାନ୍ଧି ଜନପଦକୁ ଆସିବା, ଫସଲ ନଷ୍ଟ କରିବା ଓ ବେଳେବେଳେ ମଣିଷଙ୍କୁ ଆକ୍ରମଣ କରି ମାରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ଖଣି ଖାଦାନଠାରୁ ଆରମ୍ଭ କରି ସହରାଞ୍ଚଳ ବ୍ୟାପକ କରିବା ଦ୍ଵାରା ପ୍ରାକୃତିକ ପରିବେଶରେ ଯେଉଁ ଖାଦ୍ୟାଭାବ ସୃଷ୍ଟି ହେଉଛି ତାହା ହାତୀମାନଙ୍କ ପ୍ରକୃତିକୁ ପରିବର୍ତ୍ତନ କରୁଛି ବୋଲି କହିଲେ କିଛି ଭୁଲ ହେବ ନାହିଁ।ସେ ଯାହା ବି ହେଉ, ମଣିଷ ସମାଜ ବଞ୍ଚି ରହିବା ପାଇଁ ପ୍ରକୃତି ହେଉଛି ମୂଳ ଉତ୍ସ। ସେହି ଉତ୍ସକୁ ସମୂଳେ ନାଶ କରିବା ଭଳି କାର୍ଯ୍ୟ କରିବା ହେଉଛି ସୁନା ଅଣ୍ଡା ଦେଉଥିବା କୁକୁଡ଼ାକୁ ସଂପୂର୍ଣ୍ଣ ମାରିଦେବା ଭଳି କଥା। ପୃଥିବୀର ଧାରଣ କ୍ଷମତାକୁ ଅତୁଟ ରଖି ମଣିଷ ସମାଜର ବିକାଶ କେମିତି ହେବ ସେ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ। ଅନ୍ୟଥା ଆମ ପୃଥିବୀରେ ଅହରହ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ ଓ ତାହା ମଣିଷମାନଙ୍କ ତିଷ୍ଠି ରହିବା ପାଇଁ ଚରମ ଅବସ୍ଥା ସୃଷ୍ଟି କରିବ ବୋଲି କହିଲେ କିଛି ଭୁଲ ହେବ ନାହିଁ। ତେଣୁ ଆମର ଭବିଷ୍ୟତ ପିଢି ପାଇଁ ଆମକୁ ସଚେତନ ହେବାକୁ ପଡିବ।

[ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ନିଜସ୍ଵ।]

Comment