ଓଡ଼ିଶାଲାଇଭ୍ ବ୍ୟୁରୋ

ପଲିଥିନର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସତେନତନା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନର ବ୍ୟବହାର। ଯଦିଓ ପଲିଥିନ ଉତ୍ପାଦନ, ଆମଦାନୀ, ରପ୍ତାନୀ ଏବଂ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ ମଧ୍ୟ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି। ପଲିଥିନ କିପରି ଆମ ପରିବେଶକୁ ନଷ୍ଟ କରୁଛି, ସେବାବଦରେ ଆଜି ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’ରେ ଚିନ୍ତା କରିବା ନିହାତି ଆବଶ୍ୟକ।

ଆଜିର ଦିନରେ ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷର ବଞ୍ଚିବା ଯେଭଳି କଷ୍ଟକର ହୋଇଯାଇଛି। ଏହା ଆମର ନିତିଦିନିଆ ଅଭ୍ୟାସ ପାଲଟିଗଲାଣି। ସମାଜରେ ଯେଉଁ ଆଡ଼କୁ ଅନାଇବେ ସବୁ ଆଡ଼େ ଖାଲି ପ୍ଲାଷ୍ଟିକ ହିଁ ଦେଖିବାକୁ ମିଳିବ। ଏବେ ପ୍ଲାଷ୍ଟିକ ବ୍ୟାଗ ମଧ୍ୟ ବିଭିନ୍ନ ରୋଗର କାରଣ ପାଲଟିଛି।

ଏହି ସିଙ୍ଗିଲ ୟୁଜଡ୍ ପ୍ଲାଷ୍ଟିକ ବ୍ୟାଗ୍ ମାଟିରେ ମିଶୁଚି ନା ପାଣିରେ ମିଳାଉଛି। ବର୍ଷ ବର୍ଷ ଧରି ମାଟିରେ ପଡ଼ି ରହିଲେ ବି ନଷ୍ଟ ହେଉନି। ଅନ୍ୟପଟେ ନିୟମିତ ଭାବେ ବିଭିନ୍ନ ସଉଦା ଦୋକାନ, ପରିବା ମାର୍କେଟ ସହ ଅନେକ ବଡ଼ ବଡ଼ ଷ୍ଟୋରରେ ମଧ୍ୟ ପଲିଥିନର ବ୍ୟବହାର ଜାରି ରହିଛି।

ସହରର ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ପଲିଥିନ ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ନାଳନର୍ଦ୍ଦମାରେ ପଲିଥିନ ପଡ଼ିରହୁଛି। ଯାହା ଫଳରେ ବର୍ଷା ସମୟରେ ନାଳ ଜାମ ହୋଇଯିବାରୁ ଜଳ ନିଷ୍କାସନ ହୋଇପାରୁନି। ଆଉ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି।

କେବଳ ପରିବେଶ ନୁହେଁ, ବରଂ ଜୀବଜନ୍ତୁଙ୍କ ପାଇଁ ମଧ୍ୟ କାଳ ସାଜୁଛି ପଲିଥିନ। ଆବର୍ଜନା ସହ ମିଶିକି ରହୁଛି ପଲିଥିନ। ତାହା ଜଳିଲେ ସେଥିରୁ ବାହାରୁଥିବା ଗ୍ୟାସ ପରିବେଶ ପାଇଁ ବେଶ୍ କ୍ଷତିକାରକ ସାବ୍ୟସ୍ତ ହେଉଛି।

 

“ପଲିଥିନ ଉତ୍ପାଦନ ସଂପୂର୍ଣ୍ଣ ରୂପେ ବନ୍ଦ ହେଲେ ଯାଇ ଏହାର ବ୍ୟବହାର ଉପରେ ରୋକ ଲାଗିପାରିବ। ସେମାନେ ଉତ୍ପାଦନକୁ ଅନୁମତି ଦେଉଛନ୍ତି। କିନ୍ତୁ ଆମ ଭଳି ଛୋଟ ଦୋକାନ ଉପରେ ଚଢ଼ଉ କରି ଫାଇନ ଆଦାୟ କରୁଛନ୍ତି। ଏଇଟା ପଲିଥିନ ବ୍ୟବହାରକୁ କେମିତି ରୋକିପାରିବ”, କହିଛନ୍ତି ସଉଦା ବ୍ୟବସାୟୀ ଶ୍ରୀକାନ୍ତ ସାହୁ।

“ଏହା କେବଳ ଆଇନକୁ ଆଖି ଠାର ଭଳି। ଉତ୍ପାଦନକାରୀ ପଲିଥିନ ଉତ୍ପାଦନ କରୁଛନ୍ତି ଏବଂ ମାର୍କେଟରେ ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ସରକାର ଖାଲି ଗ୍ରାହକ ଆଉ ଛୋଟ ଛୋଟ ଦୋକାନୀଙ୍କୁ ନାଲି ଆଖି ଦେଖାଉଛନ୍ତି”, କହିଛନ୍ତି ଭୁବନେଶ୍ଵର ବାସିନ୍ଦା ମନୋରଞ୍ଜନ ଦୀକ୍ଷିତ।

ନିୟମିତ ସଚେତନତା ସହ ଯେ ପର୍ଯ୍ୟନ୍ତ କଡ଼ା ନିୟମ ଲାଗୁ ନହୋଇଛି ସେତେବେଳ ଯାଏ ପଲିଥିନ ବ୍ୟବହାର ନିୟନ୍ତ୍ରଣକୁ ଆସିପାରିବନି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Tags: #SingleUsedPlastic #PolytheneBags #EnvironmentPollution #SayNoToPlastic

 

LEAVE A REPLY

Please enter your comment!
Please enter your name here