ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ଲାଷ୍ଟିକ ଆମ ଜୀବନ ଏବଂ ବ୍ୟବସାୟର ଏକ ଅଭିନ୍ନ ଅଂଶ ପାଲଟିଛି ସତ ହେଲେ ଏହା ଆଜି ମନୁଷ୍ୟ ସମାଜ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ତେବେ ସ୍ପଷ୍ଟ ବୁଝାମଣା ଏବଂ ପ୍ରତିବଦ୍ଧତା ସହ ପ୍ଲାଷ୍ଟିକର କିଭଳି ଉପଯୁକ୍ତ ବ୍ୟବହାର କରାଯାଇପାରିବ ସେ ନେଇ ଆମର ଭବିଷ୍ୟତ ପିଢ଼ିକୁ ସଜାଗ ହେବାକୁ ପଡ଼ିବ। ଏ ଦିଗରେ ନୂଆ ଉଦ୍ଭାବନ ଓ ନୂଆ ଜ୍ଞାନକୌଶଳର ବିକାଶ ପାଇଁ ଏବେ ସମୟ ଅନୁକୂଳ ରହିଛି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍) ପକ୍ଷରୁ କାର୍ବନଆଉଟ୍ ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର (ଆଇସିସି) ମିଳିତ ଆନୁକୂଲ୍ୟରେ ‘ଗ୍ରୀନ୍ ଇକୋନୋମି ୱିଥ୍ ଗ୍ରୀନ୍ ପ୍ଲାଷ୍ଟିକ୍’ ଶୀର୍ଷକ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବୈଜ୍ଞାନିକ, ବିଶେଷଜ୍ଞ, ଷ୍ଟାର୍ଟଅପ ଉଦ୍ୟୋଗୀ ଅନ୍ୟ ଅଂଶୀଦାରମାନେ ଏକାଠି ହୋଇଥିଲେ। ଏଠାରେ ପ୍ଲାଷ୍ଟିକ୍ ବ୍ୟବହାରରେ ସ୍ଥାୟୀ ଅଭ୍ୟାସର ଆବଶ୍ୟକତା ଏବଂ ସବୁଜ ଅର୍ଥନୀତିର ଗୁରୁତ୍ଵ ଉପରେ ଆଲୋଚନା କରାଯାଇଥିଲା।

“ସାଧାରଣ ପ୍ଲାଷ୍ଟିକକୁ ସବୁଜ ପ୍ଲାଷ୍ଟିକରେ ପରିଣତ କରିବା ପାଇଁ ଆମେ ଏକ ମ୍ୟାଟ୍ରିକ୍ସ ସିଷ୍ଟମ ତିଆରି କରିବାକୁ ଲକ୍ଷ୍ୟ ରଖିଛୁ। ଏହାଦ୍ଵାରା ପରିବେଶ ଉପରେ ପଡ଼ୁଥିବା ଏହାର କୁପ୍ରଭାବକୁ କମ କରାଯାଇ ପାରିବ। ଏଥିରେ ବ୍ୟବହାର ପରେ ସବୁଜ ପ୍ଲାଷ୍ଟିକର ଦାୟିତ୍ଵପୂର୍ଣ୍ଣ ପ୍ରକ୍ରିୟାକରଣ ଉପରେ ଗୁରୁତ୍ଵ ଦିଆଯାଉଛି। ଏହି ପ୍ରୟାସ ପାଇଁ ନାଗରିକଙ୍କ ଅଭ୍ୟାସରେ ପରିବର୍ତ୍ତନ ଓ ସେମାନଙ୍କଠାରେ ସବୁଜ ପ୍ଲାଷ୍ଟିକର ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି”, କହିଥିଲେ ସିପେଟ୍ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରିନ୍ସପାଲ ସାଇଣ୍ଟିଷ୍ଟ ଡକ୍ଟର ସ୍ମିତା ମହାନ୍ତି।

କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍ ଦ୍ଵାରା ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହାସହ ପରିବେଶ ସୁରକ୍ଷା ପାଇଁ ସବୁଜ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏଥିପାଇଁ ପାଇଁ ଆବଶ୍ୟକ ଥିବା ଇକୋସିଷ୍ଟମର ବିକାଶ ଓ ପ୍ଲାଷ୍ଟିକ୍ ଶିଳ୍ପରେ ବିପ୍ଳବ ଆଣିବା ଦିଗରେ ଯୋଗ ଦେଇଥିବା ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

“ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ପ୍ରୟାସ ବଦଳରେ ଏହାର ବ୍ୟବହାର ଜାରି ରହିଛି। ଆମ ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ସମ୍ବନ୍ଧୀୟ ସବୁ ପ୍ରସଙ୍ଗ ଅଙ୍ଗାରକାମ୍ଳ ନିର୍ଗମନ ଦ୍ୱାରା ପରସ୍ପର ସହ ଜଡ଼ିତ। ୨୦୭୦ ମସିହା ସୁଦ୍ଧା ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରିବା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିବା ଜରୁରୀ”, କହିଥିଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଏନଭରମେଣ୍ଟାଲ ଇଂଜିନୟର ଦିଲ୍ଲୀପ କୁମାର ଦାଶ।

ସେ ଆହୁରି ମଧ୍ୟ କହିଥିଲ, “ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବା ଏକ ସମୃଦ୍ଧ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସୁସ୍ଥ ଜୀବନଶୈଳୀ ପାଇଁ ପରିବେଶ ଉପରେ ଅଙ୍ଗାରକାମ୍ଳ ନିର୍ଗମନର ପ୍ରତିକୂଳ ପ୍ରଭାବ ବିଷୟରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି।”

ସବୁଜ ପ୍ଲାଷ୍ଟିକର ବ୍ୟବହାର ସର୍କୁଲାର ଅର୍ଥନୀତି ସହିତ ସମନ୍ୱିତ। ଏଥିରେ ସମ୍ବଳକୁ ଅଧିକ ଦକ୍ଷତାର ସହ ବ୍ୟବହାର କରାଯାଏ ଏବଂ ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଏବଂ ପୁନଃବ୍ୟବହାର ମାଧ୍ୟମରେ ଏହା ସମ୍ପତ୍ତିରେ ରୂପାନ୍ତରିତ ହୁଏ। ତେବେ ବୈଷୟିକ ଜ୍ଞାନକୌଶଳର ଉନ୍ନତି ସହିତ ପ୍ଲାଷ୍ଟିକ ରିସାଇକେଲିଂ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କାର୍ବନ୍ଆଉଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଦୀପ୍ତ ପାଣିଗ୍ରାହୀ, ବିଶିଷ୍ଟ ଇନଫ୍ରାଷ୍ଟକ୍ଚର କନ୍ସଲଟାଣ୍ଟ ବିମଳ ଦାସ, ରଥ ଆର୍କିଟେକ୍ଟୋନିକର ପ୍ରିନ୍ସପାଲ ଆର୍କିଟେକ୍ଟ ମନୋଞ୍ଜୟ ରଥ ଏବଂ ଏସଜେ ଏମ୍ପେରିୟନ ପ୍ରପଟିସର ନିର୍ଦ୍ଦେଶକ ମନୋଜ କର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ପ୍ଲାଷ୍ଟିକ ଉଦ୍ୟୋଗ ସହ ଜଡ଼ିତ ଏକାଧିକ ଷ୍ଟାର୍ଟଅପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।    

Tags: #GreenEconomywithGreenPlastic #EnvironmentPollution #GreenPlastic #CIPET-Bhubaneswar

Comment