ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ଭାରତରେ ସବୁ ଫୋନ୍ ଏବଂ ଲାପଟପ୍ ପାଇଁ ଗୋଟିଏ ପ୍ରକାରର ଚାର୍ଜର୍ ଦେଖିବାକୁ ମିଳିବ। ସବୁ ଇଲେକ୍ଟ୍ରୋନିକ୍ ଡିଭାଇସ୍‌ ପାଇଁ କେବଳ ୟୁଏସବି ଟାଇପ୍-ସି ଚାର୍ଜର୍ ଉପଲବ୍ଧ ହେବ। ୟୁରୋପିଆନ ଯୁନିଅନ ଓ ବ୍ରାଜିଲ ପରେ ଭାରତ ସରକାର ଏହି ‘ୱାନ ଚାର୍ଜର୍ ପଲିସି’ କାର୍ଯ୍ୟକାରି କରିବାକୁ ଯାଉଛନ୍ତି।

ସରକାରଙ୍କ ସହ ହୋଇଥିବା ଏକ ବୈଠକରେ ସବୁ ଇଲେକ୍ଟ୍ରୋନିକ୍ କମ୍ପାନିର ପ୍ରତିନିଧିମାନେ ଏହି ପଦକ୍ଷେପ ପାଇଁ ଏକମତ ହୋଇଛନ୍ତି। ତେବେ ଏହା କେବେଠାରୁ ଲାଗୁହେବ ଏବଂ ଏହାର ରୂପରେଖା କ’ଣ ରହିବ ସେ ନେଇ ସରକାର ପରବର୍ତ୍ତୀ ସମୟରେ ଘୋଷଣା କରିବେ।

ଏହି ଯୋଜନାକୁ ଲାଗୁ କରିବାପାଇଁ ସରକାର ବହୁତଦିନ ଧରି ବିଚାର କରୁଥିଲେ। ଏଯାବତ ବିଭିନ୍ନ ଫୋନପାଇଁ ଏକାଧିକ ପ୍ରକାରର ଚାର୍ଜର୍ ଉପଲବ୍ଧ ହେଉଛି। ଏଥିପାଇଁ କେତେକ ସମୟରେ ଲୋକମାନଙ୍କୁ ଚାର୍ଜର୍ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାଦ୍ଵାରା ଅଧିକ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ମଧ୍ୟ ବାହାରୁଛି।

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଭାରତରେ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁର ମାତ୍ରା ବହୁଳ ଭାବେ ବଢିବାରେ ଲାଗିଛି। ୨୦୧୮-୧୯ରେ ଭାରତରେ  ୭.୭୧ ଲକ୍ଷ ଟନ୍  ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ବହରିଥିଲା।

ଏକାଧିକ ପ୍ରକାରର ଚାର୍ଜର୍ ବ୍ୟବହାର ଦ୍ୱାରା ଅଧିକ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ଉତ୍ପର୍ଣ୍ଣ ହୋଇ ପରିବେଶ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି। ଏଥିପାଇଁ ଅନେକ ଦେଶର ସରକାର ଏହି ‘ୱାନ ଚାର୍ଜର୍ ପଲିସି’ ଭଳି ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି।

Tags: #Onechargerpolicy #Type-c #E-waste #Environmentpollution #India

LEAVE A REPLY

Please enter your comment!
Please enter your name here